‘ହାତଯୋଡି କହୁଛି କରୋନା ନିୟମ ମାନନ୍ତୁ’ । ରାଜ୍ୟବାସୀଙ୍କୁ କୋଭିଡ୍ ନିୟମ ମାନିବାକୁ ହାତଯୋଡିଲେ ମୁଖ୍ୟମନ୍ତ୍ରୀ । କହିଲେ, ପ୍ରତିଟି ଜୀବନ ମୋ ପାଇଁ ମୂଲ୍ୟବାନ ।

320

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣ ଓ ମେ ପହିଲାରୁ ଆରମ୍ଭ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଟିକାକରଣ ପୂର୍ବରୁ ବଡ ଘୋଷଣା କରିଛନ୍ତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ମେ ପହିଲାରୁ ରାଜ୍ୟରେ ଆରମ୍ଭ ହେଉଥିବା ସାବାଳକ ଟିକାକରଣକୁ ମୁଖ୍ୟମନ୍ତ୍ରୀ ମାଗଣା ବୋଲି ଘୋଷଣା କରିଛନ୍ତି । ଅର୍ଥାତ, ୧୮ ବର୍ଷରୁ ଅଧିକ ଯେକୌଣସି ବ୍ୟକ୍ତି ରାଜ୍ୟରେ ମାଗଣାରେ କୋଭିଡ୍ ଟିକା ନେଇପାରିବେ ।

ଏଥିସହ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ସାରା ଦେଶ ଏବେ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି । ଏହାକୁ ଯୁଦ୍ଧକାଳୀନ ପରିସ୍ଥିତି ବୋଲି କହିଲେ ମଧ୍ୟ ଭୁଲ ହେବ ନାହିଁ । ପ୍ରତିଦିନ ଦେଶରେ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି, ହଜାର ହଜାର ହଜାର ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି । ତେଣୁ ଆମେ ସତର୍କ ହେବା ନିହାତି ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏଥିସହ ସବୁଠାରୁ ଦୁଃଖର କଥା ହେଉଛି ବିଭିନ୍ନ ରାଜ୍ୟରେ ଶ୍ମଶାନ ଘାଟ ମାନଙ୍କରେ ଶବଦାହ ପାଇଁ ଜାଗା ମୁଳନି । ଏଭଳି ଭୟଙ୍କର ପରିସ୍ଥିତି ଭାରତ ବର୍ଷରେ ପ୍ରଥମ । ଆମ ପଡୋଶୀ କିଛି ରାଜ୍ୟରେ ସଂକ୍ରମଣ ସମସ୍ତ ସୀମା ଅତିକ୍ରମ କରିସାରିଛି ।  ଆମ ରାଜ୍ୟରେ ମଧ୍ୟ ସଂକ୍ରମଣର ଗଭୀର ପ୍ରଭାବ ପଡିଛି । ଗତବର୍ଷ ଆମେ ସମସ୍ତେ ମିଳିମିଶି କୋଭିଡକୁ ମୁକାବିଲା କରିଥିଲେ । ତେଣୁ ଏବେ ମୁଁ ହାତଯୋଡି କହୁଛି ସମସ୍ତେ କୋଭିଡ୍ ନିୟମ ମାନନ୍ତୁ ବୋଲି ନବୀନ କହିଛନ୍ତି ।

ତା ସହିତ ଆମ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ, ତେଣୁ ଆମେ ସତର୍କ ହେବା ସହିତ ନିଜ ନିଜର ଦାୟିତ୍ୱ ପ୍ରତି ସଚେତନ ହେବା ସହ ମିଳିମିଶି ଏ ପରିସ୍ଥିତିକୁ ମୁକାବିଲା କରିପାରିବା । କାହିଁକି ନାଁ ଜଣକର ମୃତ୍ୟୁ ଗୋଟିଏ ପରିବାରକୁ ବଡ କଷ୍ଟ ଦେଇଥାଏ । ତେଣୁ ଆମ ସମସ୍ତେ ଟିକାକରଣ ପ୍ରକ୍ରିୟାକୁ ଆଗେଇ ନେବା ସହିତ ସତର୍କ ଓ ସଚେତନ ରହିବା ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।