୮ ଦିନ ପରେ ବି ନବ ଦାସ ମୃତ୍ୟୁ ମାମଲାରେ ପୁଲିସ ହାତ ଖାଲି : କାହିଁକି ମନ୍ତ୍ରୀଙ୍କୁ ମାରିଲା ଗୋପାଳ କାରଣ ଖୋଜୁଛି କ୍ରାଇମବ୍ରାଞ୍ଚ

118

କନକ ବ୍ୟୁରୋ : ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାକୁ ୮ ଦିନ ପୂରିଲାଣି । ହେଲେ ଏପର୍ଯ୍ୟନ୍ତ ହତ୍ୟା ରହସ୍ୟ ଭେଦି ପାରନି କ୍ରାଇମବ୍ରାଞ୍ଚ । ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିବା ଗୋପାଳ ସ୍ୱୀକାର କରିଥିଲେ ମଧ୍ୟ କାହିଁକି କଲା ହତ୍ୟା ତାହା ଏବେ ବି ଅସ୍ପଷ୍ଟ । ମୃତ୍ୟୁ ରହସ୍ୟ ଖୋଜିବାକୁ ଗୋପାଳଙ୍କୁ ପଚରାଉଚରା ଜାରି ରଖିଛି କ୍ରାଇମବ୍ରାଞ୍ଚ । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ଅଧିକାରୀ ମାରାଥନ ଜେରା କରୁଛନ୍ତି । ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଜାଣିବା ପାଇଁ ତଦନ୍ତ ପରିସରକୁ ଆହୁରି ବ୍ୟାପକ କରିଛି କ୍ରାଇମବ୍ରାଞ୍ଚ । ଗୋପାଳର ମାନସିକ ସ୍ଥିତି ପରୀକ୍ଷା କରାଯାଉଛି ।

ଏସସିବିର ୫ ଜଣ ବିଶେଷଜ୍ଞ ଝାରସୁଗୁଡ଼ାରେ ପହଞ୍ଚି ଅଭିଯୁକ୍ତ ଗୋପାଳର ମାନସିକ ଅବସ୍ଥାର ଟିକିନିକ ପରୀକ୍ଷା କରୁଛନ୍ତି । ବିଶେଷଜ୍ଞ ଦଳ ଗୋପାଳର ପୂର୍ବ ପ୍ରେସକ୍ରିପ୍ସନକୁ ମଧ୍ୟ ଯାଞ୍ଚ କରିଛନ୍ତି । ଗୋପାଳର ମାନସିକ ସ୍ଥିତି ପରୀକ୍ଷା କରିବା ସମୟରେ ଭିଡିଓ ରେକର୍ଡିଂ ମଧ୍ୟ କରାଯାଇଛି । ଏହି ଭିଡିଓ ରେକର୍ଡିଂକୁ ବିଶେଷଜ୍ଞଙ୍କ ଦ୍ୱାରା ତର୍ଜମା କରାଯିବ । ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରାଯାଇ ମେଡିକାଲ ବୋର୍ଡର ରିପୋର୍ଟ ପରେ ହିଁ ସିନ୍ ରିକ୍ରିଏସନ୍ କରାଯିବା ସମ୍ଭାବନା ରହିଛି । ଅନ୍ୟପଟେ ତଦନ୍ତରେ ସହାୟତା ପାଇଁ କ୍ରାଇମବ୍ରାଞ୍ଚ ଆଉ ଏକ ୬ ଜଣିଆ ଟିମ୍ ଗଠନ କରିଛି । ଡିଏସପି ଆରତିଙ୍କ ନେତୃତ୍ୱରେ ଏହି ଟିମ୍ ଝାରସୁଗୁଡ଼ା ଯାଇଛି ।