ନବ ଦାସ ଗୁଳିକାଣ୍ଡ ଘଟଣା : ପାଇଖାନା ଟାଙ୍କି ଖୋଳି ଖୋଜାଯାଇଛି ପ୍ରମାଣ; ସତ ଉପରେ ବଢିଲା ସନ୍ଦେହ !

2,261

କନକ ବ୍ୟୁରୋ : ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣା । ପାଇଖାନା ଟାଙ୍କିରେ ଲୁଚିଛି ପ୍ରମାଣ । ଅଭିଯୁକ୍ତ ଗୋପାଳ ଦାସଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇଛି । ଏହି ସମୟରେ ଅଭିଯୁକ୍ତ ଗୋପାଳ ଦାସ ପାଇଖାନା ଟାଙ୍କିରେ କିଛି କାଗଜ ଫିଙ୍ଗି ଥିବା ସୂଚନା ରହିଛି । ତେଣୁ ରାତି ଅଧିଆ କ୍ରାଇମବ୍ରାଞ୍ଚ ଟିମ୍ ସ୍ଥାନୀୟ ପୋଲିସ ସହାୟତାରେ ଝାରସୁଗୁଡା ବିମାନବନ୍ଦର ଥାନାର ଲାଟିନ ଟାଙ୍କି ଖୋଳିଛି । ମିଳିଥିବା ସୂଚନା ଅନୁସାରେ ଗୁଳିକାଣ୍ଡ ଘଟଣା ପରେ ପୋଲିସ ଅଭିଯୁକ୍ତକୁ ବିମାନବନ୍ଦର ଥାନାକୁ ଆଣିିିଥିଲା ।

ଏହି ଠାରେ ଅଧିକ ସମୟ ରହିବା ଭିତରେ ଅଭିଯୁକ୍ତ ପାଖରେ ଥିବା କିଛି କାଗଜକୁ ଥାନା ଭିତରେ ଥିବା ପାଇଖାନାରେ ପକାଇ ଫ୍ଲସ ମାରିଦେଇଥିଲେ । ତେଣୁ ସେହି କାଗଜଟି ପାଇଖାନା ଟାଙ୍କିରେ ରହିଥିବାରୁ ତଦନ୍ତକାରୀ ଟିମ୍ ଲାଟିନ ଟାଙ୍କି ଖୋଳିଛି । ଆଉ ସେହି କାଗଜକୁ ପାଇଥିବା ସୂଚନା ରହିଛି । ଏବେ ସେହି କାଗଜପତ୍ରକୁ ଫୋରେନସିକ୍ ଲାବକୁ ପଠାଯିବ ବୋଲି ସୂଚନା ରହିଛି । ଅନ୍ୟପଟେ ତଦନ୍ତକାରୀ ଦଳ ଅଭିଯୁକ୍ତ ଗୋପାଳ ଦାସଙ୍କୁ ନେଇ କରିପାରେ ସିନ୍ ରିକ୍ରିଏସନ୍ ।

ପାଇଖାନା ଟାଙ୍କିରେ ପ୍ରମାଣ
ସତ ଉପରେ ସନ୍ଦେହ !

ସନ୍ଦେହ ନମ୍ବର ୧ : ମନ୍ତ୍ରୀଙ୍କୁ ହତ୍ୟା ପରେ ଗୋପାଳ ଦାସଙ୍କୁ ତନ୍ନତନ୍ନ କରି ଯାଞ୍ଚ କରିନଥିଲା କି ପୁଲିସ
ସନ୍ଦେହ ନମ୍ବର ୨ : ଝାରସୁଗୁଡା ବିମାନ ବନ୍ଦର ଥାନାରେ ପକେଟରେ କାଗଜ ରଖି ବାଥରୁମ ଯାଇଥିଲେ ଗୋପାଳ
ସନ୍ଦେହ ନମ୍ବର ୩ : ପ୍ରମାଣ ଲୁଚାଇବା ବା ନଷ୍ଟ ପାଇଁ ମଣିଷ ସାଧାରଣତଃ କାଗଜକୁ ଟିକି ଟିକି କରି ଚିରି ଫୋପାଡିଥାଏ । କିନ୍ତୁ ଗୋପାଳ କାଗଜକୁ ନଚିରି ଲାଟ୍ରିନରେ ପକାଇଥିଲେ ।
ସନ୍ଦେହ ନମ୍ବର ୪ : କାଗଜ ୫ରୁ ୧୦ ମିନିଟ୍ ଭିତରେ ପାଣିରେ ନଷ୍ଟ ହୋଇଯାଏ, ଲେଖା ଲିଭିଯାଏ, କିନ୍ତୁ ଏଠି ଟାଙ୍କି ଭିତରେ ୪ ଦିନ ପର୍ଯ୍ୟନ୍ତ ଅକ୍ଷତ ଅବସ୍ଥାରେ ରହିଛି କାଗଜ
ସନ୍ଦେହ ନମ୍ବର ୫ : ଅବ୍ୟବହୃତ ଲାଟ୍ରିନ୍ ହୋଇଥିଲେ ଭିନ୍ନ କଥା, ବିମାନବନ୍ଦରର ଏ ପାଇଖାନାକୁ କିନ୍ତୁ ପ୍ରତିଦିନ ଶହ ଶହ ଲୋକ ବ୍ୟବହାର କରୁଛନ୍ତି ଓ ଫ୍ଲସ ବି ମାରୁଛନ୍ତି
ସନ୍ଦେହ ନମ୍ବର ୬ : ୪ ଦିନ ପରେ ପାଇଖାନା ଟାଙ୍କିର ପାଣି ଛାଣି ତଥ୍ୟ ପ୍ରମାଣ ରୂୂପକ ପ୍ରମାଣକୁ ପାଇଗଲା କ୍ରାଇମବ୍ରାଂଚ, ଲେଖା ବି ଲିଭିନି ଓ ଏହାର ଯାଂଚ ପାଇଁ ଫରେନସିକ୍ ଲ୍ୟାବକୁ ପଠାଯାଇଛି ।
ସନ୍ଦେହ ନମ୍ବର ୭ : ଛୋଟମୋଟ ଅପରାଧିଙ୍କୁ ଧରିବା ପରେ ପୁଲିସ ସାମ୍ବାଦିକ ସମ୍ମିଳନୀ କରି ଅପରାଧ ସମ୍ପର୍କରେ ସୂଚନା ଦେଇଥାଏ, ସର୍ବସମ୍ମୁଖରେ ସ୍ପଷ୍ଟ ଦିବାଲୋକରେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା କରିଥିବା ଗୋପାଳ ଦାସ କଣ ସତ ମାନିଛନ୍ତି କାହିଁକି କହୁନି କ୍ରାଇମବ୍ରାଞ୍ଚ ।