ନବ ଦାସ ହତ୍ୟା ମାମଲା, ତଦନ୍ତରେ ବଡ଼ ଅଗ୍ରଗତି : ପାଇଖାନା ଟାଙ୍କିରୁ ମିଳିଲା ଗୋପାଳ ଦାସଙ୍କ ହାତଲେଖା ୨୦ଖଣ୍ଡ କାଗଜ; ଆଗରୁ ରଚିଥିଲା ହତ୍ୟାର ଷଡ଼ଯନ୍ତ୍ର

806

କନକ ବ୍ୟୁରୋ : ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ହାତରେ ଲାଗୁଛି । ନବ ଦାସଙ୍କ ହତ୍ୟାକାରୀ ଗୋପାଳ ଦାସ ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ବହୁ ଆଗରୁ ରଚିସାରିଥିଲେ ଷଡ଼ଯନ୍ତ୍ର । ଆଉ ହାତରେ ହତ୍ୟାର ବ୍ଲୁପ୍ରିଣ୍ଟ ଧରି ବୁଲୁଥିଲେ ଗୋପାଳ ଦାସ । ଆଉ ଏହାରି ଭିତରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି କିଛି ଗୁରୁତ୍ୱପୂର୍ଣ୍ଣ କାଗଜ ।

କୁହାଯାଉଛି ଯେ, ପ୍ରଥମେ ୧୫ ଖଣ୍ଡ, ପରେ ୫ ଖଣ୍ଡ କାଗଜ ଖଣ୍ଡ ମିଳିଛି । ଏହି କାଗଜ ଖଣ୍ଡ ଝାରସୁଗୁଡ଼ା ଏୟାରପୋର୍ଟ ଥାନା ପାଇଖାନା ଟାଙ୍କରୁ ମିଳିଛି । ଏହି କାଗଜକୁ ଗୋପାଳ ଦାସ ନିଜ ପକେଟରେ ଧରି ବୁଲୁଥିଲା । ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଏହି କାଗଜରେ ସେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା କୁହାଯାଉଛି ।

ଟାଙ୍କିରେ ପ୍ରମାଣ ଲୁଚିରହିଥିବା ନେଇ ଚର୍ଚ୍ଚା ପରେ ଗତକାଲି ରାତିରେ ଜୋରଦାର ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ଗୋପାଳ ଦାସଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇଛି । ରିମାଣ୍ଡ ବେଳେ ଅଭିଯୁକ୍ତ ଗୋପାଳ ଦାସ ପାଇଖାନା ଟାଙ୍କିରେ କିଛି କାଗଜ ଫିଙ୍ଗି ଥିବା ସୂଚନା ମିଳିଥିଲା । ତେଣୁ ରାତି ଅଧିଆ କ୍ରାଇମବ୍ରାଞ୍ଚ ଟିମ୍ ସ୍ଥାନୀୟ ପୋଲିସ ସହାୟତାରେ ଝାରସୁଗୁଡା ବିମାନବନ୍ଦର ଥାନାର ଲାଟିନ ଟାଙ୍କି ଖୋଳିଛି ।

ମିଳିଥିବା ସୂଚନା ଅନୁସାରେ ଗୁଳିକାଣ୍ଡ ଘଟଣା ପରେ ପୋଲିସ ଅଭିଯୁକ୍ତକୁ ବିମାନବନ୍ଦର ଥାନାକୁ ଆଣିିିଥିଲା । ଏହିଠାରେ ଅଧିକ ସମୟ ରହିବା ଭିତରେ ଅଭିଯୁକ୍ତ ପାଖରେ ଥିବା କିଛି କାଗଜକୁ ଥାନା ଭିତରେ ଥିବା ପାଇଖାନାରେ ପକାଇ ଫ୍ଲସ ମାରିଦେଇଥିଲେ । ତେଣୁ ସେହି କାଗଜଟି ପାଇଖାନା ଟାଙ୍କିରେ ରହିଥିବାରୁ ତଦନ୍ତକାରୀ ଟିମ୍ ଲାଟିନ ଟାଙ୍କି ଖୋଳିଛି । ଆଉ ସେହି କାଗଜକୁ ପାଇଥିବା ସୂଚନା ରହିଛି । ଏବେ ସେହି କାଗଜପତ୍ରକୁ ଫୋରେନସିକ୍ ଲାବକୁ ପଠାଯିବ ବୋଲି ସୂଚନା ରହିଛି । ଅନ୍ୟପଟେ ତଦନ୍ତକାରୀ ଦଳ ଅଭିଯୁକ୍ତ ଗୋପାଳ ଦାସଙ୍କୁ ନେଇ କରିପାରେ ସିନ୍ ରିକ୍ରିଏସନ୍ ।