ଛାତିକୁ ନୁହେଁ ମୁଣ୍ଡକୁ ଗୁଳି କରିବାକୁ ଯୋଜନା କରିଥିଲା ଗୋପାଳ? ଜେରା ବେଳେ କ୍ରାଇମବ୍ରାଞ୍ଚ ଆଗରେ ଗୋପାଳ ମୁହଁ ଖୋଲିଥିବା ସୂଚନା!

1,588

କନକ ବ୍ୟୁରୋ : ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ଗୋପାଳ ଦାସଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ଆଉ ଏହି ଜେରା ସମୟରେ କ୍ରାଇମବ୍ରାଞ୍ଚକୁ ଗୋପାଳ ଚାଞ୍ଚଲ୍ୟକର ତଥ୍ୟ ଦେଇଥିବା ସୂଚନା ମିଳିଛି । ନବଙ୍କ ଛାତିକୁ ନୁହେଁ ବରଂ ମୁଣ୍ଡକୁ ଗୁଳି କରିବାକୁ ଅଭିଯୁକ୍ତ ଗୋପାଳ ଯୋଜନା କରିଥିଲା ବୋଲି ସୂଚନା ମିଳିଛି । ଆଉ ଏଥିପାଇଁ ସୁଯୋଗ ଅପେକ୍ଷାରେ ଗୋପାଳ ରହିଥିଲା । ନବଙ୍କୁ ଅତି ପାଖରୁ ପାଇବା କ୍ଷଣି ଗୋପାଳ ଗୁଳି କରି ହତ୍ୟା କରିଥିଲା । ଫାୟାରିଂ ଟ୍ରେନିଂରେ ଗୋପାଳ ବେଶ ଭଲ ଲକ୍ଷ୍ୟଭେଦ କରି ପାରୁଥିବା ନେଇ ସୂଚନା ମିଳିଛି ।

ସୁଚିନ୍ତିତ ଷଡଯନ୍ତ୍ର କରି ସୁଯୋଗ ଅପେକ୍ଷାରେ ଥିଲା ଗୋପାଳ । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଫଟୋରେ ଗୋପାଳଙ୍କୁ ଅନେକ ସମୟରେ ନବଙ୍କ ଅତି ପାଖରେ ଥିବାର ଦେଖିବାକୁ ମିଳିଛି । କିନ୍ତୁ କଡା ସୁରକ୍ଷା କାରଣରୁ ବୋଧହୁଏ ଏଥିରେ ସଫଳ ହୋଇନଥିଲେ ଗୋପାଳ । କିନ୍ତୁ ବ୍ଲାଙ୍କ ପଏଣ୍ଟ ପାଇବା କ୍ଷଣି ଗୋପାଳ ସୁଯୋଗ ହାତ ଛଡା କରିନଥିଲେ ଏବଂ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

ଅନ୍ୟପଟେ ଅଭିଯୁକ୍ତ ଗୋପାଳ ଦାସ ପାଇଖାନା ଟାଙ୍କିରେ କିଛି କାଗଜ ଫିଙ୍ଗି ଥିବା ସୂଚନା ରହିଛି । ତେଣୁ ରାତି ଅଧିଆ କ୍ରାଇମବ୍ରାଞ୍ଚ ଟିମ୍ ସ୍ଥାନୀୟ ପୋଲିସ ସହାୟତାରେ ଝାରସୁଗୁଡା ବିମାନବନ୍ଦର ଥାନାର ପାଇଖାନା ଟାଙ୍କି ଖୋଳିଛି । ମିଳିଥିବା ସୂଚନା ଅନୁସାରେ ଗୁଳିକାଣ୍ଡ ଘଟଣା ପରେ ପୋଲିସ ଅଭିଯୁକ୍ତକୁ ବିମାନବନ୍ଦର ଥାନାକୁ ଆଣିିିଥିଲା । ଏହିଠାରେ ଅଧିକ ସମୟ ରହିବା ଭିତରେ ଅଭିଯୁକ୍ତ ପାଖରେ ଥିବା କିଛି କାଗଜକୁ ଥାନା ଭିତରେ ଥିବା ପାଇଖାନାରେ ପକାଇ ଫ୍ଲସ ମାରିଦେଇଥିଲେ । ତେଣୁ ସେହି କାଗଜଟି ପାଇଖାନା ଟାଙ୍କିରେ ରହିଥିବାରୁ ତଦନ୍ତକାରୀ ଟିମ୍ ପାଇଖାନା ଟାଙ୍କି ଖୋଳିଛି । ଆଉ ସେହି କାଗଜକୁ ପାଇଥିବା ସୂଚନା ରହିଛି । ଏବେ ସେହି କାଗଜପତ୍ରକୁ ଫୋରେନସିକ୍ ଲାବକୁ ପଠାଯିବ ବୋଲି ସୂଚନା ରହିଛି । ଅନ୍ୟପଟେ ତଦନ୍ତକାରୀ ଦଳ ଅଭିଯୁକ୍ତ ଗୋପାଳ ଦାସଙ୍କୁ ନେଇ କରିପାରେ ସିନ୍ ରିକ୍ରିଏସନ୍ ।