ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କଲେ ସାଂସଦ ପିନାକୀ ମିଶ୍ର । କହିଲେ, ବିରୋଧ କରିବା ପୂର୍ବରୁ ଆଇନର ଜ୍ଞାନ ହାସଲ କରନ୍ତୁ ।

160

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଉପରେ ମାନ୍ୟବର ହାଇକୋର୍ଟ ରହିତାଦେଶ ଦେଇନାହାନ୍ତି । ବରଂ ଏଏସଆଇ ସହିତ ସମନ୍ୱୟ ରଖି ରାଜ୍ୟ ସରକାର ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ମାନ୍ୟବର ହାଇକୋର୍ଟ ଏହା ସ୍ପଷ୍ଟ କଲା ପରେ ବିରୋଧୀମାନେ କେଉଁ ଆଧାରରେ ଏବଂ କେଉଁ କ୍ଷମତା ବଳରେ କାମ ବନ୍ଦ ରଖିବା ଉଚିତ୍ ବୋଲି କହୁଛନ୍ତି ? ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ଏଏସଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବା ପରେ ଆଜି ପ୍ରକଳ୍ପ ବିରୋଧୀଙ୍କୁ ଏଭଳି ପ୍ରଶ୍ନ କରିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର ।

ଗଣମାଧ୍ୟମରେ ମତ ରଖି ପିନାକୀ କହିଛନ୍ତି ଯେ ରାଜ୍ୟ ସରକାର ଯାହା କାମ କରୁଛନ୍ତି ଆଇନର ପରିସରରେ ରହି କରୁଛନ୍ତି । ଶୌଚାଳୟ, ଡ୍ରେନ୍ ଏବଂ ବୈଦ୍ୟୁତିକ ନିର୍ମାଣ ଆମସାର ଆଇନ୍ ପରିସରରେ ଆସୁନାହିଁ, ତେଣୁ ଏହି ସବୁ କାମ କରାଯାଇପାରିବ ବୋଲି ନିଜେ ଏଏସଆଇ ତାଙ୍କ ସତ୍ୟପାଠରେ କହିଛନ୍ତି । ଏହାଛଡ଼ା ଏନଏମଏ ବା ଜାତୀୟ ସ୍ମାରକୀ ପ୍ରାଧୀକରଣ ଆମକୁ ଏଥିପାଇଁ ୪ ସେପ୍ଟେମ୍ବର ୨୦୨୧ରେ ଏନଓସି ଦେଇଛନ୍ତି ବୋଲି ଆଡଭୋକେଟ୍ ଜେନେରାଲ ହାଇକୋର୍ଟରେ କହିଛନ୍ତି ।

ପିନାକୀ ଆହୁରି କହିଛନ୍ତି ଯେ, ଏଏସଆଇ ନିଜର ସତ୍ୟପାଠରେ ଉଲ୍ଲେଖ କରିଥିବା କେତେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭିନ୍ନ ମତ ରହିଛି ବୋଲି ଆଡଭୋକେଟ୍ ଜେନେରାଲ ମାନ୍ୟବର ହାଇକୋର୍ଟଙ୍କୁ ସ୍ପଷ୍ଟ ଭାବେ ଜଣାଇଛନ୍ତି । ସେଥିପାଇଁ ହାଇକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କୁ ଜବାବୀ ସତ୍ୟପାଠ ଦାଖଲ କରିବାକୁ ସମୟ ଦେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆବେଦନକାରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଉପରେ ରହିତାଦେଶ ଦିଆଯାଉ ବୋଲି ବାରମ୍ବାର ନିବେଦନ କରିଥିଲେ । ମାତ୍ର ହାଇକୋର୍ଟ ଏହା ଉପରେ ରହିତାଦେଶ ଦେବାକୁ ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି । ବରଂ ରାଜ୍ୟ ସରକାର ଓ ଏଏସଆଇ ପରସ୍ପର ଭିତରେ ସମନ୍ୱୟ ରଖି କାମ ଜାରି ରଖିବାକୁ ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପୁରୀର ଲୋକ ଏହି ପରିକ୍ରମା ପ୍ରକଳ୍ପ କାମ ହେଉ ବୋଲି ଚାହୁଁଛନ୍ତି ବୋଲି ଦର୍ଶାଇ ପିନାକୀ ମିଶ୍ର କହିଛନ୍ତି ଯେ ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ଲାଗି ଆସୁଥିବା ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ଶୌଚାଳୟ ଓ ଅନ୍ୟାନ୍ୟ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ସ୍ପର୍ଶକାତର ସମସ୍ୟାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଉପଲବ୍ଧି କଲା ପରେ ଲୋକଙ୍କ ସୁବିଧା ଲାଗି ଏନଏମଏର ଏନଓସି ନେଇ ଶୌଚାଳୟ ଆଦି ନିର୍ମାଣ କରୁଛନ୍ତି । ଅନ୍ୟପକ୍ଷରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଯୁଗ୍ମ ଅନୁଧ୍ୟାନ ପରେ ଏନେଇ ଏଏସଆଇ ସତ୍ୟପାଠରେ ଯେଉଁସବୁ ବିଷୟ ଉଲ୍ଲେଖ କରିଛି, ହାଇକୋର୍ଟ ଏହାକୁ ଅସ୍ପଷ୍ଟ ବୋଲି ଦର୍ଶାଇଛନ୍ତି ଏବଂ ଏହି ନିର୍ମାଣ କାର୍ଯ୍ୟ ମନ୍ଦିର ଉପରେ କ୍ଷତି ପହଞ୍ଚାଇବ କି ନାହିଁ ତାହା ଉପରେ ଅଧିକ ଅନୁଧ୍ୟାନ କରି ନିର୍ଦ୍ଦିଷ୍ଟ ଭାବେ ରିପୋର୍ଟ ଦେବାକୁ ଏଏସ୍ଆଇକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାଛଡ଼ା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବୀ ସତ୍ୟପାଠ ଦାଖଲ ପାଇଁ ସମୟ ଦେବା ସହ କାମ ଜାରି ରଖିବାକୁ କହିଛନ୍ତି । ହାଇକୋର୍ଟ ସ୍ପଷ୍ଟ ଭାବେ ଏଭଳି ନିର୍ଦ୍ଦେଶ ଦେବା ପରେ ପ୍ରକଳ୍ପ କାମ ବନ୍ଦ କରିବାକୁ କାହାର ସତସାହାସ ହେଉଛି ବୋଲି ପିନାକୀ ମିଶ୍ର ପ୍ରଶ୍ନ କରିଛନ୍ତି । ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଗଣମାଧ୍ୟମରେ ଏନେଇ ମତ ରଖିବା ପରେ ପିନାକୀ ମିଶ୍ର ତାଙ୍କ ନାମ ନ ନେଇ ତାଙ୍କୁ କଟାକ୍ଷ କରିଛନ୍ତି ଏବଂ ଯେଉଁମାନେ ପାର୍ଲାମେଣ୍ଟ ଯିବାକୁ ଚାହୁଁଛନ୍ତି ସେମାନେ ପ୍ରଥମେ ଆଇନର ଜ୍ଞାନ ହାସଲ କରନ୍ତୁ ବୋଲି ସେ କହିଛନ୍ତି ।