ବିଜେଡି ପାଇଁ ଚ୍ୟାଲେଞ୍ଜ କି ବ୍ରଜରାଜନଗର? କଂଗ୍ରେସ ଭୋଟକୁ ଫେରାଇଆଣିବେ କିଶୋର!

172

କନକ ବ୍ୟୁରୋ: ୧୯ ବର୍ଷର ଶାସନ ପରେ ୨୦୧୯ରେ ବ୍ରଜରାଜନଗର ବିଧାନସଭା ଆସନରେ ପ୍ରଥମ ଥର ପାଇଁ ବିଜୟର ସ୍ୱାଦ ଚାଖିଥିଲା ଶାସକ ବିଜେଡି । ତେଣୁ ଏବେ ହେବାକୁ ଥିବା ଉପ-ନିର୍ବାଚନରେ ଏହାକୁ ବଜାୟ ରଖିବାକୁ ଦଳ କୈାଣସି ସୁଯୋଗକୁ ହାତଛଡା କରିବାକୁ ଚାହିଁବନି ।

ତବେ ଅତୀତର ନିର୍ବାଚନକୁ ସମୀକ୍ଷା କଲେ, ବିଜୟ ପାଇଁ ବିଜେଡିର ବାଟ ସୁଗମ ନହୋଇପାରେ ନିର୍ବାଚନମଣ୍ଡଳୀରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଏକଦା କଂଗ୍ରେସର ଗଡ ଥିବା ବ୍ରଜରାଜନଗରର ତିନି ତିନି ଥର ବିଧାୟକ ରହିଥିବା ଅନୁପ ସାଏ ୨୦୧୪ରେ ବିଜେଡି ଟିକେଟରୁ ଏଠାରୁ ପ୍ରତିଦ୍ୱନ୍ଦିତା କରିଥିଲେ । ସମୀକରଣକୁ ଦେଖିଲେ, ଅନୁପ ୪୪ ହଜାର ଭୋଟ ପାଇଥିବା ବେଳେ, କଂଗ୍ରେସରୁ କିଶୋର ପଟେଲ ୩୮ ହଜାର ଭୋଟ ଓ ବିଜେପିରୁ ରାଧାରାଣୀ ପଣ୍ଡା ୫୦ ହଜାରରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ ।

ତେବେ ୨୦୧୯ରେ ବୁଝାମଣା କରି କଂଗ୍ରେସ ଏହି ଆସନ ସିପିଆଇକୁ ଛାଡି ଦେଇଥିଲା । ହେଲେ ବାମଦଳର ପ୍ରାର୍ଥୀ ମାତ୍ର ୯ ହଜାର ଭୋଟ ପାଇଥିଲେ । ଆଉ ଯାହା ବିଜେଡିକୁ ଆସନ ହାତେଇବାରେ ସାହାଯ୍ୟ କରିଥିଲା ବୋଲି କୁହାଯାଏ । ତେଣୁ ଉଭୟ ବିଜେପ ଓ କଂଗ୍ରେସ ପୁଣି ନିଜ ଗଡ ଫେରିପାଇବା ନେଇ ଆଶାବାଦୀ ଅଛନ୍ତି ।

ସେପଟେ ୨୦୧୯ରେ ଶାସକଦଳକୁ ସମର୍ଥନ କରିଥିବା ମୂରଲୀପାଲି ଅଂଚଳର ୧୯ଟି ମୈାଜାର ବାସିନ୍ଦା ଏବେ ମିଳିତ ଭାବରେ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କୁ ଛିଡା କରେଇବା ଶାସକଦଳ ପାଇଁ ଚ୍ୟାଲେଂଜ ସୃଷ୍ଟି କରିପାରେ ବୋଲି କୁହାଯାଉଛି । ହେଲେ ସଦ୍ୟ ସମାପ୍ତ ପଂଚାୟତ ଓ ପୈାର ନିର୍ବାଚନ ଫଳାଫଳକୁ ନେଇ ବେଶ ଆଶାବାଦୀ ଅଛି ବିଜେଡି ।

ଉପ- ନିର୍ବାଚନରେ ବିଜୟର ଇତିହାସକୁ ଦେଖିଲେ ବିଜେଡିର ପଲା ସବୁବେଳେ ଭାରି ରହିଆସିଛି । ତେଣୁ ଦଳର ମାଇକ୍ରୋ ମ୍ୟାନେଜମେଂଟ ଫର୍ମୁଲା ବ୍ରଜରାଜନଗରରେ କଣ ଫଳ ଆଣୁଛି ଦେଖିବାକୁ ବାକି ରହିଲା ।