ମୋହନାରେ କେବେ ନିର୍ମାଣ ହେବ ବସଷ୍ଟାଣ୍ଡ । ଦୁଇ ଦୁଇ ଥର ଭିତ୍ତିପ୍ରସ୍ତର ସ୍ଥାପନ କରି ବସିପଡିଛି ପ୍ରଶାସନ ।

88

କନକ ବ୍ୟୁରୋ: ଗ୍ରାମାଞ୍ଚଳ ହେଉ ଅବା ସହରାଞ୍ଚଳ ସବୁଠି ବିକାଶ ଲାଗି ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଖର୍ଚ୍ଚ କରିଆସୁଛନ୍ତି କୋଟିକୋଟି ଟଙ୍କା । ଏଥିପାଇଁ ବିକାଶ ନାଁରେ ଡିଣ୍ଡିମ ପିଟି ବାଃ ବାଃ ନେଉଛନ୍ତି ନେତା ଓ ମନ୍ତ୍ରୀ। ହେଲେ ମୋହନା ସହରରେ ଦୀର୍ଘ ବର୍ଷ ବର୍ଷ ଧରି ବସଷ୍ଟାଣ୍ଡର ଆବଶ୍ୟକତା ନେଇ ଅଞ୍ଚଳବାସୀ ଦାବୀ କରିଆସୁଥିବା ବେଳେ ବାରମ୍ବାର ଭିତିପ୍ରସ୍ତର ସ୍ଥାପନ କରି ଜନସାଧାରଣଙ୍କୁ କେବଳ ସ୍ୱପ୍ନ ଦେଖାଇ ଚାଲିଛନ୍ତି ଜନପ୍ରତିନିଧି। ସେପଟେ ଜନସାଧାରଣ କହୁଛନ୍ତି ଏସବୁ ଲୋକ ଦେଖାଣିଆ.. ଆଜି ଭି ଫଳକରେ ସିମୀତ ହୋଇ ରହିଛି ମୋହନା ବସଷ୍ଟାଣ୍ଡ ।

ଭିତିପ୍ରସ୍ତର ସ୍ଥାପନରେ ଅଟକିଛି ବସଷ୍ଟାଣ୍ଡ ନିର୍ମାଣ । ବସଷ୍ଟାଣ୍ଡ ନିର୍ମାଣ ପାଇଁ ବର୍ଷେ ତଳୁ ଶୁଭ ଦେଇ ଲୋକଙ୍କୁ ସ୍ୱପ୍ନ ଦେଖାଇଛନ୍ତି ରାଜନେତା ଓ ପ୍ରଶାସନିକ ବାବୁ । ହେଲେ ସ୍ଥିତି ସୁଧୁରିବାର ନାଁ ଧରୁନି । ଗଜପତି ଜିଲ୍ଲା ମୋହନା ସହରରେ ବସଷ୍ଟାଣ୍ଡଟିଏ ନିର୍ମାଣ ପାଇଁ ସାଂସଦ ଓ ବିଧାୟକଙ୍କ ଉପସ୍ଥିତିରେ ଥରେ ନୁହେଁ ଦୁଇ ଦୁଇ ଥର ଭିତିପ୍ରସ୍ତର ସ୍ଥାପନ ହୋଇଛି । ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ବି ଶେଷ ହୋଇଛି । କିନ୍ତୁ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ଖାମଖିଆଲି ମନୋଭାବ ଯୋଗୁଁ କାମ ଆଗେଇ ପାରୁନଥିବା ଅଭିଯୋଗ ହୋଇଛି ।

ଗଜପତି ଜିଲ୍ଲାର ମୋହନା ଓଡିଶାର ଦ୍ୱିତୀୟ ବୃହତ୍ତମ ବ୍ଲକ ଭାବେ ପରିଚିତ । ମୋହନା ଦେଇ ବିଜୟୱାଡା ରାଂଚି କରିଡରକୁ ୩୨୬ ନମ୍ବର ଜାତୀୟ ରାଜପଥ ସଂଯୋଗ କରୁଛି । ଆନ୍ଧ୍ରପ୍ରଦେଶ, ଗଂଜାମ ଠାରୁ କୋରାପୁଟ ଓ ମାଲକାନଗିରି ଭଳି ୭ଟି ଜିଲ୍ଲାକୁ ସଂଯୋଗ କରିବାର ପ୍ରମୁଖ ପେଣ୍ଠସ୍ଥଳି ମୋହନା । ତେଣୁ ପ୍ରତିଦିନ ବସ୍ ଯୋଗେ ଯିବାଆସିବା ପାଇଁ ଶହଶହ ଯାତ୍ରୀ ରାସ୍ତାକଡରେ ଅପେକ୍ଷା କରି ରୁହନ୍ତି, କାରଣ ଏଠାରେ ବସଷ୍ଟାଣ୍ଡର ବ୍ୟବସ୍ଥା ନାହିଁ । କେବଳ ଏତିକି ନୁହେଁ ବିଭିନ୍ନ ସମୟରେ ରାସ୍ତାକଡରେ ବସ ରହୁଥିବାରୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୁଏ ବୋଲି ବସ୍ ଡ୍ରାଇଭର କୁହନ୍ତି ।

ବସଷ୍ଟାଂଡ ଟିଏ ନଥିବାରୁ ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏ ସଂପର୍କରେ ମୁହଁ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିବାକୁ ମନା କରିଦେଇଛନ୍ତି ମୋହନା ବିଡିଓ । ଆଉ ବସଷ୍ଟାଂଡ ନିର୍ମାଣ ପାଇଁ ଲାଗିଥିବା ଫଳକ ହିଁ ବୟାନ କରୁଛି ନିଦାବିଷ୍ଣୁ ସାଜିଥିବା ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା କେତେ?