ଯବାନ ତିଆରି କରିବାରେ ଲାଗିଛନ୍ତି ଯବାନ । ବେକାର ଯୁବକ ଯୁବତୀଙ୍କୁ ମାଗଣାରେ ତାଲିମ ଦେଉଛନ୍ତି ବିଂଝାରପୁରର ସେଖ ଉମର ଓ ତାଙ୍କ ସାଥୀ ।

232

କନକ ବ୍ୟୁରୋ: ଯବାନ ତିଆରିରେ ଲାଗିଛନ୍ତି ଯବାନ । ଦେଶର ସୁରକ୍ଷା ପାଇଁ ଭାରତୀୟ ସେନାରେ ଯୋଗକୁ ବେକାର ଯୁବକ ଯୁବତୀଙ୍କୁ ମାଗଣା ତାଲିମ ଦେଇ ଉତ୍ସାହିତ କରୁଛନ୍ତି ସେନାରେ କାର୍ଯ୍ୟରତ ଯବାନ । ଚାକିରିରୁ ଘରକୁ ଛୁଟି କାଟିବାକୁ ଆସି ନୂତନ ଯବାନ ସୃଷ୍ଟି ପାଇଁ ଲାଗି ପଡନ୍ତି ଯାଜପୁର ବିଂଝାରପୁରର ସୁଯୋଗ୍ୟ ସନ୍ତାନ ସେଖ ଉମର ଓ ତାଙ୍କ ସାଥୀ ।

କୁହାଯାଏ ଯବାନଙ୍କର କୌଣସି ଛୁଟି ନଥାଏ । ଯାହାକୁ ପ୍ରମାଣ କରିଦେଖାଇଛନ୍ତି ଭାରତୀୟ ସେନାରେ କାର୍ଯ୍ୟରତ ଯାଜପୁର ଜିଲା ବିଂଝାରପୁର ଅଂଚଳର ଯବାନମାନେ । ଛୁଟିରେ ଘରକୁ ଆସିବା ବେଳେ ସ୍ଥାନୀୟ ଅଂଚଳର ଯୁବକ ଯୁବତୀଙ୍କୁ ଭାରତୀୟ ସେନାରେ ସାମିଲ କରିବା ପାଇଁ ଦେଉଛନ୍ତି ତାଲିମ । ଚାକିରିରୁ ଛୁଟି ନେଇ ପରିବାର ଲୋକଙ୍କୁ ଭେଟିବାକୁ ଆସନ୍ତି ସତ କିନ୍ତୁ ସମୟ ବିତେ ଯବାନ ତିଆରି ଏଇ କାରଖାନାରେ । ପାଠପଢ଼ା ପରେ ଯୁବ ସମାଜ ସୋସିଆଲ ମିଡିଆ ଓ ଗୁଲି ଗପରେ ସମୟ ବିତାଉଥିବା ଦେଖି ଡିପେଂନ୍ସ ଏକାଡେମୀ ଖୋଲିବାର ସ୍ୱପ୍ନ ଦେଖିଥିଲେ ଭାରତୀୟ ସେନାର ଯବାନ ସେକ ଉମର ଏବଂ ତାଙ୍କ ସାଥୀ ।

ପ୍ରତିଦିନ ସକାଳ ୬ଟା ଠାରୁ ଆରମ୍ଭ ହୋଇଯାଏ ଶାରୀରିକ ବାୟ୍ୟାମ ଓ କସରତ । ସେନାରେ ନିଯୁକ୍ତି ପାଇଁ ଆବଶ୍ୟକ ସମସ୍ତ ଦକ୍ଷତାର ବିକାଶ କରାଯାଏ ଏହି ଡିପେଂନ୍ସ ଏକାଡେମୀରେ । ଦୌଡ, ଲମ୍ବା ଡିଆଁ, ଦୌଡି ଯୋଗେ ଗଛଚଢା ଠାରୁ ଆରମ୍ଭ କରି ବିଭିନ୍ନ କଳାକୌଶଳର ଶିକ୍ଷା ଦେଇଥାନ୍ତି ସେଖ ଉମରଙ୍କ ସହିତ ଆଖପାଖ ଅଂଚଳର ସାଥୀ ଯବାନ ମାନେ । କେବଳ ଶାରିରିକ ଶିକ୍ଷା ନୁହେଁ ଲିଖିତ ପରୀକ୍ଷା ସହିତ ଡାକ୍ତରୀ ପରୀକ୍ଷା ପାଇଁ ମଧ୍ୟ ତାଲିମ ଦେଇଥାନ୍ତି । ଗତ ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଡିିପେଂନ୍ସ ଏକାଡେମୀର ଅନେକ ଛାତ୍ରଛାତ୍ରୀ ଏବେ ଭାରତୀୟ ସେନାରେ ନିଯୁକ୍ତି ପାଇଛନ୍ତି । ଏହି ଡିପେଂନ୍ସ ଏକାଡେମୀର ସପଂଳତା ଦେଖି ଏବେ ଜିଲା ବାହାରର ଅନେକ ଯୁବକ ଏଠାରେ ଯୋଗ ଦେଇ ତାଲିମ ନେଉଛନ୍ତି । ଯବାନମାନଙ୍କର ଏଭଳି ମହନୀୟ କାର୍ଯ୍ୟ ସତରେ ପ୍ରଶଂସନୀୟ ।