ପିଜୁଳି ଚାଷ କରି ପରିବାର ମୁହଁରେ ହସ ଫୁଟାଇଲେ ଗଜପତିର ମୋହନ ପାତ୍ର। ବଗିଚାରୁ ଉତ୍ପାଦନ ହେଉଛି ଟନ୍ ଟନ୍ ପିଜୁଳି।

164

କନକ ବ୍ୟୁରୋ: ପିଜୁଳି ଚାଷ କରି ଲକ୍ଷପତି । ତାଙ୍କ ବଗିଚାରୁ ଉତ୍ପାଦନ ହେଉଛି ୩ରୁ ୪ଟନ ପିଜୁଳି । ଏହି ଚାଷକୁ ଅପଣାଇ ବେଶ ହସଖୁସିରେ ପରିବାର ପ୍ରତିପୋଷଣ କରୁଛନ୍ତି ଗଜପତି ଜିଲ୍ଲା ଗୋଷାଣି ବ୍ଲକ ମଧୂସୂଦନପୁର ଗାଁର ମୋହନ ପାତ୍ର । ମୋହନ ପୂର୍ବର ପାରମ୍ପରିକ ଧାନ ଓ ପନିପରିବା ଚାଷ କରୁଥିଲେ । ହେଲେ ତାଙ୍କୁ ସେଥିରେ ସଫଳତା ମିଳିନଥିଲା । ଏହା ପରେ ଉଦ୍ୟାନ ବିଭାଗର ପରାମର୍ଶ କ୍ରମେ ପିଜୁଳି ଚାଷ ଆରମ୍ଭ କଲେ । ଉଦ୍ୟାନ ବିଭାଗ ପକ୍ଷରୁ ପ୍ରଥମେ ତାଙ୍କୁ ୨୭୫ଟି ଚାରା ଗଛ ଯୋଗାଇଦିଆଯାଇଥିଲା । ୨୦୧୯ରୁ ଏହି ଚାଷ ଆପଣାଇଥିବାବେଳେ ଏବେ ଏହି ଚାଷ ତାଙ୍କୁ ଭଲ ରୋଜଗାର ଦେଉଛି ।

ଖାଲି ପିଜୁଳି ଚାଷ ନୁହେଁ ପିଜୁଳି ସହିତ ଆମ୍ବ ଓ ଅନ୍ୟାନ୍ୟ ଚାରା ଗଛ ଉତ୍ପାଦନ କରୁଛନ୍ତି ମୋହନ । ନିଜେ ଅଧିକ ଚାରା ରୋପଣ କରିବା ସହ ଅନ୍ୟ ଚାଷୀଙ୍କୁ ଚାରା ବିକ୍ରି କରି ଲାଭବାନ ହେଉଛନ୍ତି । ଚାରା ଉତ୍ପାଦନ ପାଇଁ ସେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ତାଲିମ ମଧ୍ୟ ନେଇଛନ୍ତି । ଏବେ ତାଙ୍କ ବଗିଚାରେ ପାଖାପାଖି ୫୦୦ ଗଛ ରହିଛି । ଅଧା ଏକର ଜମିରେ ପିଜୁଳି ଚାଷ କରିବା ସହ ଅଧା ଏକର ଜମିରେ ପନିପରିବା ଚାଷ କରୁଛନ୍ତି ମୋହନ । ଦିନେ ପାରମ୍ପରିକ ଚାଷ ଦ୍ୱାରା କ୍ଷତି ସହୁଥିବା ଏହି ଚାଷୀ ଜଣକ ପିଜୁଳି ଏବଂ ଚାରା ଉତ୍ପାଦନ କରି ବେଶ ଖୁସିରେ ଅଛନ୍ତି । ପିଜୁଳି କିଲୋ ପିଛା ୫୦ ଟଙ୍କାରେ ବିକ୍ରି କରୁଛନ୍ତି ମୋହନ । ଏହାକୁ ବିକ୍ରି କରିବାରେ ମଧ୍ୟ ଅସୁବିଧା ହେଉନାହିଁ ।

ସେହିପରି ଗଞ୍ଜାମ ପୋଲସରା ଅଞ୍ଚଳରେ ୩ଏକର ଜମିରେ ପିଜୁଳି ଚାଷ କରିଛନ୍ତି ଚାଷୀ ସୁବାଷ ସାହୁ । ତାଙ୍କ ବଗିଚାରେ ୮ଟି ପ୍ରଜାତିର ଗଛରେ ଭିନ୍ନ ଭିନ୍ନ ସ୍ୱାଦର ପିଜୁଳି ଫଳାଇଛନ୍ତି ସୁବାଷ । ବଜାରରେ ଏହାର ଚାହିଦା ରହିଥିବା ବେଳେ ଏହି କାମରେ ସ୍ଥାନୀୟ ଅଞ୍ଚଳର କିଛି ଲୋକଙ୍କୁ ରୋଜଗାର ମିଳିପାରୁଛି । ତେବେ ମୋହନ ଓ ସୁବାଷଙ୍କ ପିଜୁଳି ଚାଷ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି । ଆଖପାଖ ଅଂଚଳର ଅନ୍ୟ ଚାଷୀମାନେ ତାଙ୍କୁ ଅନୁସରଣ କରୁଛନ୍ତି ।