ଚାଷୀଙ୍କୁ ରୋଜଗାର ଦେଉଛି ଟସର ଚାଷ। ସହାୟତା ଯୋଗାଉଛି ସୁକିନ୍ଦାରେ ଥିବା ଟସର ପାଇଲଟ୍ ପ୍ରୋଜେକ୍ଟ ।

109

କନକ ବ୍ୟୁରୋ: ଟସର ଦେଉଛି ରୋଜଗାର । ରାଜ୍ୟ ତଥା ରାଜ୍ୟ ବାହାରେ ଟସର ଉତ୍ପାଦିତ ସାମଗ୍ରୀର ଚାହିଦା ଅଧିକ ରହିଛି । ଏହାଦ୍ୱାରା କେବଳ ବୁଣାକାର ନୁହଁନ୍ତି ଟସର ଚାଷୀ ମାନଙ୍କ ପାଇଁ ମଧ୍ୟ ରୋଜଗାରର ନୂଆ ବାଟ ଖୋଲିଛି । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ମଙ୍ଗଳପୁର ଠାରେ ରହିଛି ଏକ ଟସର ଫାର୍ମ । ୧୯୭୨ ମସିହାରୁ ଏଠରେ ସରକାରଙ୍କ ପକ୍ଷରୁ ଟସର ପାଇଲଟ୍ ପ୍ରୋଜେକ୍ଟ ସେଣ୍ଟର ପ୍ରତିଷ୍ଠା କରାଯାଇଛି । ୬୫୦ ଏକର ଜମିରେ ଏହି ଟସର ଉତ୍ପାଦନ କେନ୍ଦ୍ର ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳର ପାଖାପାଖି ୪୦୦ ଚାଷୀ ପରିବାର ଏଥିରେ ଉପକୃତ ହେଉଛନ୍ତି । ଏହାଦ୍ୱାରା ଟସର ଚାଷୀଙ୍କ ପାଇଁ ସରକାର ଆବଶ୍ୟକୀୟ ଭିତିଭୂମି ଯୋଗାଇଦେବା ସହ ଚାଷୀଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେଉଛନ୍ତି ।

ସାଧାରଣତଃ ଅସନ ଓ ଅର୍ଜୁନ ଗଛରେ ଟସର ଚାଷ କରାଯାଇଥାଏ । ପ୍ରଥମେ ଗଛକୁ ୬ରୁ ୧୦ ଫୁଟ ଉଚ୍ଚତାରେ କଟାଯାଇଥାଏ । ଏହାପରେ ରୋଗପୋକରୁ ରକ୍ଷା କରିବା ପାଇଁ ଗଛର ମୂଳକୁ ଭଲଭାବେ ସଫା କରାଯାଏ । ଏହା ସହ ଗଛର ପତ୍ରରେ କୀଟନାଶକ ସିଞ୍ଚନ କରି ସେଥିରେ ପରୀକ୍ଷାଗାରରେ ପରୀକ୍ଷଣ ହୋଇଥିବା ରୋଗମୁକ୍ତ ଅଣ୍ଡା ଛଡ଼ାଯାଏ । ଦୁଇ ଦିନ ପରେ ଅଣ୍ଡାରୁ ପୋକ ବାହାରିବା ପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଗଛର ଡାଳରେ ଛଡ଼ାଯାଏ । ଏହା ପରେ ପୋକ ମାନେ ଗଛରେ କୋଷା ବାନ୍ଧିବା ଆରମ୍ଭ କରନ୍ତି । ଏହାପରେ ଗଛରୁ କୋଷା ସଂଗ୍ରହ କରନ୍ତି ଚାଷୀ । ଏହାକୁ ପ୍ରୋସେସିଂ କରାଯାଇ ଟସର ସିଲକ ପ୍ରସ୍ତୁତ କରାଯାଏ । ମାତ୍ର ଦୁଇ ମାସ ଚାଷ କରି ଚାଷୀ ମାନେ ଦେଢ଼ରୁ ୨ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରନ୍ତି । ଧାନ, ଆଖୁ ଓ ପନିପରିବା ଚାଷ ଭଳି ଚାଷୀଙ୍କୁ ଟସର ଚାଷରେ ଅଧିକ ଲାଭ ମିଳିଥାଏ ।

ସୁକିନ୍ଦାରେ ଥିବା ଟସର ଚାଷୀ ସମବାୟ ସମିତି ଚାଷୀଙ୍କୁ ଟସର ପ୍ରସ୍ତୁତକାରୀ ପୋକର ଡିମ୍ବ ଓ ଚାଷ ପାଇଁ ସମସ୍ତ ସରଞ୍ଜାମ ମାଗଣାରେ ଯୋଗାଇଦେଉଛନ୍ତି । ଯାହାଦ୍ୱାରା ସୁରୁଖୁରୁରେ ଟସର ଉତ୍ପାଦନ କରି ଲାଭବାନ ହେଉଛନ୍ତି । ଏଠାରୁ ଉତ୍ପାଦିତ ହେଉଥିବା ଟସରର ଚାହିଦା ଅଧିକ ରହିଛି । ରାଜ୍ୟ ବିଭିନ୍ନ ବୁଣାକାର ସମିତି ଟସର କୋଷା ନେଉଥିବା ବେଳେ ଦେଶ ବାହାରକୁ ମଧ୍ୟ ରପ୍ତାନୀ କରାଯାଉଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଠାକାର ଚାଷୀ ଅନେକ ଥର ପୁରସ୍କୃତ ହୋଇଛନ୍ତି ।