ମହମ୍ମଦ ରିଜୱାନ ହେଲେ ୧ ନମ୍ବର ଟି-୨୦ ବ୍ୟାଟ୍ସମ୍ୟାନ: ଟପ୍ ଟେନରେ ଜଣେ ଭାରତୀୟ, ଜାଣନ୍ତୁ ବିରାଟଙ୍କ ସ୍ଥାନ…

415

କନକ ବ୍ୟୁରୋ: ଏସିଆକପ ମଧ୍ୟରେ ଜାରି ହୋଇଛି ଟି-୨୦ ରାଙ୍କିଙ୍ଗ ଲିଷ୍ଟ । ତାଜା ଅପଡେଟ ଅନୁସାରେ ପାକିସ୍ତାନର ମହମ୍ମଦ ରିଜୱାନ ଏବେ ଟି-୨୦ରେ ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇଛନ୍ତି । ବାବର ଆଜମଙ୍କୁ ପଛରେ ପକାଇ ୧ ନମ୍ବର ସ୍ଥାନ ହାସଲ କରିଛନ୍ତି ରିଜୱାନ । ଅର୍ଥାତ ଟି-୨୦ ବ୍ୟାଟ୍ସମ୍ୟାନ ଲିଷ୍ଟରେ ଏବେ ପାକିସ୍ତାନର ଦବଦବା ରହିଛି । ମହମ୍ମଦ ରିଜୱାନ ୮୧୫ ପଏଣ୍ଟ ସହ ଟେବୁଲର ଉପରେ ରହିଛନ୍ତି, ଯାହା ତାଙ୍କ କ୍ୟାରିୟରର ସବୁଠୁ ବେଷ୍ଟ ରେଟିଂ ।

ଏସିଆ କପରେ ମହମ୍ମଦ ରିଜୱାନ ସବୁଠାରୁ ଅଧିକ ରନ କରିଛନ୍ତି । ମାତ୍ର ୩ଟି ମ୍ୟାଚରେ ସେ ୧୯୨ ରନ କରିଛନ୍ତି । ଭାରତ ବିପକ୍ଷ ପ୍ରଥମ ମ୍ୟାଚରେ ୪୩, ହଂକଂ ବିପକ୍ଷରେ ୭୮ ଓ ପୁଣି ଭାରତ ବିପକ୍ଷରେ ୭୧ ରନ କରିଥିଲେ । ଯାହା ତାଙ୍କୁ ଟି-୨୦ ରାଙ୍କିଙ୍ଗରେ ଭଲ ଫଳ ଦେଇଛି ।

ଏହି ଲିଷ୍ଟର ଟପ ଟେନରେ କେବଳ ଜଣେ ମାତ୍ର ଭାରତୀୟ ରହିଛନ୍ତି । ସୂର୍ଯ୍ୟ କୁମାର ଯାଦବ ୭୭୪ ପଏଣ୍ଟ ସହ ଏକମାତ୍ର ଭାରତୀୟ ଭାବେ ଚତୁର୍ଥ ସ୍ଥାନରେ ରହିଛନ୍ତି । ଟପ ୫ରେ ମହମ୍ମଦ ରିଜୱାନ, ବାବର ଆଜମ, ଏଡେନ ମାର୍କରମ, ସୂର୍ଯ୍ୟ କୁମାର ଯାଦବ, ଡେଭିଡ ମାଲାନ ରହିଛନ୍ତି । ସୂର୍ଯ୍ୟଙ୍କ ପରେ ରୋହିତ ଶର୍ମା ୧୪ ତମ ସ୍ଥାନରେ ରହିଛନ୍ତି । ସେହିପରି ବିରାଟ କୋହଲି ୫୪୨ ପଏଣ୍ଟ ସହ ୨୯ ତମ ସ୍ଥାନରେ ରହିଛନ୍ତି ।