୩ ଦିନ ଭିତରେ ହେବ ବଡ ଘୋଷଣା, ପଛ ସିଟରେ ବସିଲେ ସିଟ୍ ବେଲ୍ଟ ପିନ୍ଧିବା ହେବ ବାଧ୍ୟତାମୂଳକ!

73

କନକ ବ୍ୟୁରୋ : ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍ ସାଇରସ ମିସ୍ତ୍ରୀଙ୍କର ଗାଡି ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ଦେଶରେ ସଡକ ସୁରକ୍ଷାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କାରଣ ଦେଶରେ ସଡକ ଦୁର୍ଘଟଣାରେ ସବୁଠୁ ଅଧିକ ମୃତ୍ୟୁ ହେଉଛି । ପଛ ସିଟରେ ବସି ସିଟ୍ ବେଲ୍ଟ ନ ଦେବା କାରଣରୁ ସାଇରସ ମିସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଆଉ ଏହା ସତ ଯେ, ଭାରତରେ ଅଧିକାଂଶ ଲୋକ ପଛ ସିଟରେ ବସିଲେ ସିଟ୍ ବେଲ୍ଟ ଦେଇନଥାନ୍ତି । କିନ୍ତୁ ଏବେ କେନ୍ଦ୍ର ସରକାର ଏହାକୁ ନେଇ ବେଶ କଠୋର ହୋଇଛନ୍ତି । ଏଣିକି ପଛ ସିଟରେ ବସି ସିଟ୍ ବେଲ୍ଟ ନଦେଲେ ଜରିମାନା ଗଣିବାକୁ ପଡିବ ।

କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, ଏବେ ପର୍ଯ୍ୟନ୍ତ ଡ୍ରାଇଭର ଓ ଆଗ ସିଟରେ ବସିଥିବା ଲୋକଙ୍କ ପାିଁ ସିଟ ବେଲ୍ଟ ବାଧ୍ୟତାମୂଳକ ଥିଲା । ଆଉ ଏହି ନିୟମ ନ ମାନୁଥିଲେ ଜରିମାନା ଦେବାକୁ ପଡୁଥିଲା । କିନ୍ତୁ ଏବେ ନିୟମରେ ପରିବର୍ତ୍ତନ କରାଯାଇଛି । ପଛରେ ବସିଥିବା ଯାତ୍ରୀ ମଧ୍ୟ ଏଣିକି ସିଟ୍ ବେଲ୍ଟ ପିନ୍ଧିବେ । ଆଉ ଯଦି ଏହି ନିୟମ ପାଳନ ନକରନ୍ତି ତେବେ ଜରିମାନା ଗଣିବାକୁ ପଡିବ । ଆସନ୍ତା ୩ ଦିନ ମଧ୍ୟରେ ଏନେଇ ଏକ ନୋଟିସ ଜାରି କରାଯିବ । ଯେଉଁଥିରେ ଜରିମାନା ବାବଦରେ ପୂରା ସୂଚନା ଦିଆଯିବ । ଏହାଛଡା କେନ୍ଦ୍ର ସରକାର ସମସ୍ତ କାର ନିର୍ମାତା କମ୍ପାନି ସହ ଆଲୋଚନା କରିଛନ୍ତି ଏବଂ ସମସ୍ତ ଗାଡିରେ ବିପର ଲଗାଇବାକୁ କହିଛନ୍ତି । ପଛ ସିଟରେ ବସିଥିବା ଯାତ୍ରୀ ସିଟ୍ ବେଲ୍ଟ ନ ପିନ୍ଧିଲେ ଏହା ଆପଣାଛାଏଁ ଅଫ୍ ହୋଇଯିବ ।

ତେବେ ଏହି ନିୟମ ପୂର୍ବରୁ ମଧ୍ୟ ଅଛି । ପଛ ସିଟରେ ବସୁଥିବା ଯାତ୍ରୀ ସିଟ୍ ବେଲ୍ଟ ନପିନ୍ଧିଲେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ନିୟମ ରହିଛି । କିନ୍ତୁ ଏହାର ଅନୁପାଳନ ଦେଖିବାକୁ ନାହିଁ । ତେବେ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ପରେ ଏହି ନିୟମକୁ ପାଳନ କରିବାକୁ ତତ୍ପରତା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ପୁରୁଣା ନିୟମରେ କିଛି ପରିବର୍ତ୍ତନ ଆଣି ନୂଆ ନିୟମ ବାବଦରେ ଘୋଷଣା କରିବ କେନ୍ଦ୍ର । ତେବେ ନୂଆ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏଥିରେ କିଛି ମାତ୍ରାରେ ପରିବର୍ତ୍ତନ ଆସିପାରେ । ୨୦୨୦ରେ ସିଟ୍ ବେଲ୍ଟ ନ ପିନ୍ଧିବା କାରଣରୁ ୧୫,୧୪୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୯,୧୦୨ ଜଣ ଆହତ ହୋଇଥିଲେ ।