ପଶ୍ଚିମବଙ୍ଗରେ ଆଉ ରାଲି କରିବେ ନାହିଁ ପ୍ରଧାନମନ୍ତ୍ରୀ । ସମସ୍ତ ରାଲି ବାତିଲ କଲେ ମୋଦି

272

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ଆଉ ୨ ଟି ପର୍ଯ୍ୟାୟ ବାକିଥିବା ବେଳେ ପ୍ରଧାନମନ୍ତ୍ରୀ ଆଉ ରାଲି କରିବେ ନାହିଁ ବୋଲି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । କରୋନାକୁ ଦୃଷ୍ଟିରେ ରଖି ବାକି ଥିବା ୨ ପର୍ଯ୍ୟାୟ ପାଇଁ ତାଙ୍କର ପଶ୍ଚିମବଙ୍ଗରେ ହେବାକୁ ଥିବା ସମସ୍ତ ଜନସଭା ଓ ରୋଡ ସୋ କୁ ସେ ବାତିଲ କରିଦେଇଛନ୍ତି ।

ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଲିକୁ ବାତିଲ କରିଥିବା ବେଳେ ଏହି ସମୟରେ ସେ କରୋନା ସଂକ୍ରମଣରୁ ଦେଶବାସୀଙ୍କୁ ରକ୍ଷା କରିବାକୁ ଉଚ୍ଚସ୍ତରୀୟ ବୈଠକ କରିବେ ବୋଲି ଟ୍ୱିଟରେ ଲେଖିଛନ୍ତି ।

କହିରଖୁ କି ପଶ୍ଚିମବଙ୍ଗ ବିଧାନସଭା ପାଇଁ ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ ହେଉଛି । ଏହାପରେ ଆହୁରି ୨ ଟି ପର୍ଯ୍ୟାୟ ମତଦାନ ବାକି ରହିଛି   । ହେଲେ ନିର୍ବାଚନ ହେବା ପୂର୍ବରୁ ପଶ୍ଚମବଙ୍ଗ ଦଖଲରେ ପୁରା ଲାଗିପଡିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଏହାସହ ବିଜେପିର ମାଳ ମାଳ ବରିଷ୍ଠ ନେତା ଓ କେନ୍ଦ୍ରମନ୍ତ୍ରୀ ମାନେ ପଶ୍ଚିମବଙ୍ଗରେ ଡେରା ପକାଇଛନ୍ତି । ଅନ୍ୟପଟେ କରୋନା ମହାମାରୀ ବେଳେ ଲକ୍ଷ ଲକ୍ଷ ଲୋକଙ୍କୁ ସାଙ୍ଗରେ ନେଇ ରୋଡ ସୋ ଓ ଜନସଭା କରିବାକୁ ବିରୋଧୀଦଳମାନେ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଥିଲେ । ଅନ୍ୟପଟେ ପଶ୍ଚିମବଙ୍ଗରେ ନିର୍ବାଚନୀ ରାଲି ଓ ସଭା ନକରିବାକୁ ପ୍ରଥମେ ବାମଦଳ ଘୋଷଣା କରିଥିଲା । ଏହାପରେ ଟିଏମସି ଓ ଆଜି ପ୍ରଧାନମନ୍ତ୍ରୀ ଏଭଳି ଘୋଷଣା କରିଛନ୍ତି ।