ଅଧରାସ୍ତାରେ ଫେରନ୍ତା ପ୍ରବାସୀଙ୍କ ମୃତ୍ୟୁ । ହାଇଦ୍ରାବାଦରୁ ଫେରୁଥିଲେ, ଜୟପୁର ନିକଟରେ ଅଧରାସ୍ତାରେ ଚାଲିଗଲା ଜୀବନ ।

217

କନକ ବ୍ୟୁରୋ: ଅଧରାସ୍ତାରେ ଫେରନ୍ତା ପ୍ରବାସୀଙ୍କ ମୃତ୍ୟୁ । କରୋନା ମହାମାରୀ ଯୋଗୁଁ କାମ ବନ୍ଦ ହୋଇଯିବା ପରେ ଜୀବନ ବିକଳରେ ଭିଟାମାଟିକୁ ଫେରୁଥିଲେ । ହେଲେ ଘରେ ପହଂଚିବା ଆଗରୁ ଅଧରାସ୍ତାରେ ଚାଲିଗଲା ଜୀବନ । ସ୍ୱାମୀ-ସ୍ତ୍ରୀ ଦୁହେଁ ମିଶି ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ । କରୋନା କାଳରେ ମାଲିକ କାମ ବନ୍ଦ କରିଦେବା ପରେ ଘରକୁ ଫେରି ଆସୁଥିଲେ ପ୍ରବାସୀ ଶ୍ରମିକ । ହେଲେ ଘରେ ପହଂଚି ପାରିଲେ ନାହିଁ । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଳାର ବୋରିଗୁମ୍ମା ବ୍ଳକର କସାଗୁଡ଼ା ଗ୍ରାମ ନିକଟ ଜାତୀୟ ରାଜପଥ କଡରେ । ରାସ୍ତାକଡରେ ସ୍ୱାମୀର ମୃତଦେହ ରଖି ସ୍ତ୍ରୀ କାନ୍ଦୁଥିବାର ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି । ନୂଆପଡ଼ା ଜିଲ୍ଳାର ସିନାପାଲି ବ୍ଳକ ଗୁଂଠାବାଲି ଗାଁର ଶ୍ରାମ ଭୋଇ ଓ ତାଙ୍କ ପତ୍ନୀ କ୍ଷୀର ଭୋଇ ଗତ ୬ ମାସ ହେଲା ଦାଦାନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ । କାମ ମଧ୍ୟ ଠିକ ଠାକ ଚାଲିଥିଲା । ହେଲେ କରୋନାର ଦ୍ୱତୀୟ ଲହର କାମ ବନ୍ଦ ହୋଇଯିବାରୁ ଘରକୁ ଫେରି ଆସୁଥିଲେ ସ୍ୱାମୀ-ସ୍ତ୍ରୀ ।