ବାଇଗଣ ଚାଷରୁ ଲକ୍ଷପତି। ନିଜେ ଆତ୍ମନିଭର ହେବା ସହ ଅନ୍ୟକୁ କର୍ମନିଯୁକ୍ତି ଦେଇଛନ୍ତି ତାପସ ।

231

କନକ ବ୍ୟୁରୋ: କଥାରେ ଅଛି ଚାଷ କାମ ଯାହାର, କି ଆନନ୍ଦ ତାହାର । ଏକର ଏକର ଜମିରେ ଫଳିଛି କ୍ୱିଂଟାଲ କ୍ୱିଂଟାଲ ବାଇଗଣ । ଚାଷ କାମରେ ଲାଗିଛନ୍ତି ୧୫ରୁ ୨୦ ଜଣ ପୁରୁଷ ଓ ମହିଳା । କିଏ ଚାଷ ଜମିରେ ମାଟି ହାଣିବାରେ ଲାଗିଛି ତ ପୁଣି କିଏ ମାଟି କୋଡ଼ା ଖୋସା କରୁଛି । ଆଉ କିଛି ମହିଳା ମାନେ ଗଛରୁ ବାଇଗଣ ତୋଳିବାରେ ବ୍ୟସ୍ତ ଅଛନ୍ତି । ପୋଲସରା ବେଗୁନିଆପଡ଼ା ଅଂଚଳର ଦୃଶ୍ୟ । ତାପସ କୁମାରଙ୍କ ତତ୍ୱାବଧାନରେ ଏକର ଏକର ଜମିରେ ହୋଇଛି ବାଇଗଣ ଚାଷ । ସେ ପେଷରେ ଜଣେ ବ୍ୟବସାୟୀ ହୋଇଥିଲେ ମଧ୍ୟ ଚାଷ କରିବା ଏବଂ କିଛି ଲୋକଙ୍କୁ ରୋଜଗାର ଦେବା ଆଶାରେ ସେ ଏଭଳି ପ୍ରୟାସ ଆରମ୍ଭ କରିଥିଲେ । ଯାହା ଏବେ ତାଙ୍କୁ ସଫଳତା ଦେଇଛି ।
ଏହି ଜମିରୁ ଦିନକୁ ୫ଶହ କିଲୋ ବାଇଗଣ ତୋଳା ହେଉଛି । ସ୍ଥାନୀୟ ଅଂଚଳର ବ୍ୟବସାୟୀ ଏହାକୁ କିଣି ନେଉଛନ୍ତି । ବାର୍ଷିକ ୮ରୁ ୧୦ ଲକ୍ଷ ଟଙ୍କା ରୋଜଗାର ହେଉଥିବା କହିଛନ୍ତି ଚାଷୀ । ଗୋଟିଏ ଗୋଟିଏ ଗଛରୁ ୧୦ରୁ ୧୫ କିଲୋ ବାଇଗଣ ତୋଳା ହୋଇଥାଏ । କେଜି ପ୍ରତି ବଜାରରେ ୨୦ ଟଙ୍କା ଥିବା ବେଳେ ଏହା ଭଲ ଲାଭ ଦେଉଛି । ଅନ୍ୟପଟେ ଜମି ନିକଟରେ ଜଳ ଉତ୍ସ ନଥିବାରୁ ଚାଷ ପାଇଁ ସୌରଶକ୍ତି ଦ୍ୱାରା ପାଣି ଓ ବିଦ୍ୟୁତ୍ ବ୍ୟବହାର କରାଯାଉଛି ।

କରୋନା ମହାମାରୀ ସମୟରେ ଲୋକଙ୍କ କର୍ମନିଯୁକ୍ତି ଯୋଗାଇବା ଆଶାରେ ପରିବା ଚାଷ ଆରମ୍ଭ କରିଥିଲେ ତାପସ କୁମାର । ୩ ଏକର ଜମିରେ ବିଭିନ୍ନ ପ୍ରକାରର ପରିବା ଚାଷ କରିଥିଲେ । ତେବେ ତାଙ୍କର ଏହି ପ୍ରୟାସ ପାଇଁ ୧୫ଟି ପରିବାରଙ୍କ ମୁହଁରେ ହସ ଫୁଟିପାରିଛି । ୨ ବର୍ଷ ହେଲା ପ୍ରାୟ ୧୫ ଜଣ ଲୋକ ଏହି କାମରେ ନିୟୋଜିତ ଅଛନ୍ତି । ଘର ପାଖରେ କାମ ପାଇଥିବାରୁ ଖୁସି ପ୍ରକାଶ କରିଛନ୍ତି କର୍ମଚାରୀ ।