ବର୍ଷାଙ୍କ ଏତଲାରେ ଅନୁଭବଙ୍କ ଦିଲ୍ଲୀ ବାନ୍ଧବୀଙ୍କ କଥା । ଏଫଆଇଆରରେ ସାଂଘାତିକ ଅଭିଯୋଗ ।

1,404

କନକ ବ୍ୟୁରୋ: ଅନୁଭବଙ୍କ ସହ ବିବାଦ ବଢିଥିବା ବେଳେ ଥାନାରେ ମାମଲା ରୁଜୁ କରିଛନ୍ତି ଅଭିନେତ୍ରୀ ବର୍ଷା । ପୁରୀଘାଟ ଥାନାରେ ଏନେଇ ଲିଖତ ଅଭିଯୋଗ କରିଛନ୍ତି ବର୍ଷା । ନିଜର ବିବାହ ବିଚ୍ଛେଦ ପାଇଁ ବର୍ଷା ଦିଲ୍ଲୀରେ ଥିବା ଅନୁଭବଙ୍କ ବାନ୍ଧବୀଙ୍କୁ ଦାୟୀ କରିଛନ୍ତି । ସମ୍ପୃକ୍ତ ବାନ୍ଧବୀଙ୍କ କାରଣରୁ ତାଙ୍କ ପାରିବାରିକ ଅସାନ୍ତି ସୃ,୍ଟି ହୋଇଥିାବ ସେ ଲେଖିଛନ୍ତି । ଏହା ହେବା ଦ୍ୱାରା ତାଙ୍କ ପରିବାରକୁ କ୍ଷତି ପହଞ୍ଚିଛି ।

ବର୍ଷା ଏଫଆଇଆରରେ ଲେଖିଛନ୍ତି, “ମୋ ସ୍ୱାମୀଙ୍କ ସହିତ କୋର୍ଟରେ ଡିଭୋର୍ସ କେସ ଚାଲୁଥିବା ସମୟରେ ୧୯ ତାରିଖ ଦିନ ସକାଳ ସମୟରେ ସୋସିଆଲ୍ ମିଡିଆ ମାଧ୍ୟମରେ ମୋ ସ୍ୱାମୀଙ୍କର ଏକ ଭିଡିଓ ଭାଇରାଲ ହେବା କଥା ମୁଁ ଜାଣିବାକୁ ପାଇଥିଲି । ଯେଉଁ ଭିଡିଓଟି ସେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ କରିଥିଲେ । ଏହି ଭିଡିଓରେ ସେ ମୋତେ ଭଲପାଇବା ସମ୍ପର୍କରେ ମନଗଢା କାହାଣୀ କହିଥିଲେ । ମୋତେ ଆକ୍ଷେପ କରି ଅନେକ ମିଛ କଥାମାନ କହିଥିଲେ ।”

ଖାଲି ସେତିକି ନୁହେଁ ବର୍ଷା ଆହୁରି ମଧ୍ୟ ଏତଲାରେ ଲେଖିଛନ୍ତି ଯେ, ଗତକାଲି ଅର୍ଥାତ ୨୧ ତାରିଖ ଦିନ ସନ୍ଧ୍ୟାରେ ତାଙ୍କ ସ୍ୱାମୀ ଆଉ ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ତାଙ୍କ ବିରୋଧରେ ସମ୍ପୂର୍ଣ୍ଣ ମିଥ୍ୟା ଆରୋପ ଲଗାଇ, ମୋର ନାରୀତ୍ୱକୁ ଅପମାନ କରିଥିଲେ । ଆମ ଦୁହିଁଙ୍କ ଭିତରେ ଥିବା ଶାରିରୀକ ସମ୍ପର୍କର କଥାମାନ ସମ୍ପୂର୍ଣ୍ଣ ମିଥ୍ୟା ଅଭିଯୋଗ, ଆରୋପ ଲଗାଇ ସୋସିଆଲ୍ ମିଡିଆ ମାଧ୍ୟମରେ ମୋର ଚରିତ୍ର ସଂହାର କରିବାର ଷଡଯନ୍ତ୍ର କରିଛନ୍ତି ବୋଲି ବର୍ଷା ଏତଲାରେ ଲେଖିଛନ୍ତି । ତା ସହିତ ବିନା ଦୋଷରେ ମୋତେ ଦୋଷୀ ସଜାଇ, ମୋ ନାରୀତ୍ୱକୁ ଆଘାତ ଓ ଅପମାନ ଦେଇ ମୋ ବଞ୍ଚିବାର ଅଧିକାର ଅନୁଭବ ଛଡାଇ ନେଉଛନ୍ତି ବୋଲି ବର୍ଷା କହିଛନ୍ତି ।

ଅନୁଭବ ନିଜର ସୋସିଆଲ୍ ଇମେଜକୁ ସଜାଡିବାକୁ ହୀନ ଷଡଯନ୍ତ୍ର କରୁଛନ୍ତି । ଏମିତିକି ତାଙ୍କ ସମର୍ଥକଙ୍କୁ ଏକାଠି କରି ତାଙ୍କ ବିରୋଧରେ ମିଥ୍ୟା ଓ ନିମ୍ନ କଥା କହି ଉସୁକାଇ ଭ୍ରାନ୍ତ ଧାରଣା ସୃଷ୍ଟି କରୁଛନ୍ତି । ଏତଲାରେ ବର୍ଷା କହିଛନ୍ତି, ୨୦୨୦ ମସିହାରେ ଅନୁଭବ ଯେତେବେଳେ ତାଙ୍କୁ ଡିଭୋର୍ସ ଦେବାକୁ ବାଧ୍ୟ କରିଥିଲେ, ସେତବେଳେ ସେ ରାଜି ନହେବାରୁ ସେ ତାଙ୍କୁ ଡରାଇଥିଲେ । ଯଦି ବର୍ଷା ତାଙ୍କୁ ଭଲରେ ଭଲରେ ୩ ଦିନ ଭିତରେ ଡିଭୋର୍ସ ନଦିଅନ୍ତି, ତେବେ ସେ ତାଙ୍କୁ ସମାଜରେ ବାଟ ଚଲେଇ ଦେବେନି ବୋଲି କହିଥିଲେ । ବର୍ଷା ତାଙ୍କ ଗୋଡ ହାତ ଧରିକି କାନ୍ଦିବା ସହିତ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ବର୍ଷା ତାଙ୍କ ବୈବାହିକ ସମ୍ପର୍କକୁ ଭାଙ୍ଗିବାକୁ ଚାହୁଁନଥିଲେ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି । ଆଉ ଶେଷରେ ଅନୁଭବଙ୍କର ଦୁଇଟି ଯାକ ଭିଡିଓକୁ ଅନୁଧ୍ୟାନ କରି ଆଇନ୍ ଅନୁସାରେ ଦୋଷୀକୁ ଉପଯୁକ୍ତ ଦଣ୍ଡବିଧାନ କରିବାକୁ ବର୍ଷା ଅନୁରୋଧ କରିଛନ୍ତି ।