ସୁଲୋଚନାଙ୍କୁ ଚାଷ ଦେଇଛି ସଫଳତା । ମାଛ, କୁକୁଡ଼ା ଓ ପନିପରିବା ଚାଷ କରି ଆତ୍ମନିର୍ଭର ।

164

କନକ ବ୍ୟୁରୋ: ସମୟ ବଦଳିବା ସହ ବଦଳୁଛି ମହିଳାଙ୍କ କାର୍ଯ୍ୟଦକ୍ଷତା । ଘର କାମ ସହ ଚାଷ କାମ କରି ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା । କେନ୍ଦ୍ରାପଡା ଡଙ୍କାରି ଗାଁର ସଫଳ ମହିଳା ଚାଷୀ ସୁଲଚନା ଦାସ । କ୍ଷେତରେ ମାଟି କୋଡ଼ିବା, ଗଛରେ ପାଣି ଦେବା ଓ ମେସିନ୍ ସାହାଯ୍ୟ ହଳ କରୁଛନ୍ତି । ୨ ଏକର ଜମିରେ ମାଛ, କୁକୁଡା, ଫଳ ପନିପରିବା ଚାଷକରି ବାର୍ଷିକ ୫ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି । ଏହି କାମରେ ସହଯୋଗ କରିବା ପାଇଁ ୨ଜଣଙ୍କୁ ନିଯୁକ୍ତି ଦେଇଛନ୍ତି । ତାଙ୍କ ସ୍ୱାମୀ ମନୋରଞ୍ଜନ ଦାସ ସରକାରି ଚାକିରି କରିଥିବାରୁ ସେ ବାହାରେ ରୁହନ୍ତି । ଘର କାମ ପରେ ପଡ଼ିଆ ପଡ଼ିଥିବା ୨ ଏକର ଜମିରେ ଚାଷ କାମ କରୁଛନ୍ତି ସୁଲୋଚନା ।

ଫାର୍ମରେ ଥିବା ପୋଖରୀରେ ରୋହି, ଭାକୁର, ଚିଙ୍ଗୁଡ଼ି, ଗ୍ରାସକପ୍ ଭଳି ମାଛ ଚାଷ କରିଛନ୍ତି ସୁଲୋଚନା । ନିଜ ହାତରେ ମାଛ ମାନଙ୍କୁ ଖାଦ୍ୟ ଦେବା ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ଯତ୍ନ ନିଅନ୍ତି । ମାଛ ଚାଷ ସହ କୁକୁଡ଼ା ଚାଷ କରି ସେଥିରୁ ଭଲ ଲାଭ ପାଉଛନ୍ତି । ବିଭିନ୍ନ ପ୍ରଜାତିର କୁକୁଡ଼ା ଯଥା କଲର ବାର୍ଡ଼, ଚାଇନା କୁକୁଡ଼ା, ତର୍କି ଭଳି କୁକୁଡ଼ା ଚାଷ ତାଙ୍କୁ ବେଶ ଲାଭ ଦେଉଛି । କୁକୁଡ଼ାଙ୍କୂ ଦାନା ଦେବା ଏବଂ ଫଳ ପନିପରିବା ଚାଷର ଦେଖାରଖା କରିବା ପାଇଁ ୨ଦିନକୁ ରୁ ୩ଘଂଟା ସମୟ ଦିଅନ୍ତି । ଆପଲବେରି, ଡ଼୍ରାଗନ ଫ୍ରୁଟ୍ସ, ଅଙ୍ଗୁର, ନଡ଼ିଆ, ଆମ୍ବ, ପିଜୁଳି ଫଳ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ସୁଲୋଚନାଙ୍କ ଏହି ଚାଷ ଦେଖିବା ପାଇଁ ସ୍ଥାନୀୟ ଅଂଚଳର ଲୋକେ ତାଙ୍କ ଚାଷଜମି ବୁଲିବାକୁ ଆସନ୍ତି । ଆଉ ତାଙ୍କ ଠାରୁ ଚାଷ କରିବାର ପ୍ରଣାଳୀ ଶିକ୍ଷା ଗ୍ରହଣ କରନ୍ତି । ସୁଲୋଚନାଙ୍କ ଭଳି ଜଣେ ଗୃହିଣୀଙ୍କର ସଫଳ ଚାଷ ପ୍ରଣାଳୀ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।