ଅନ୍ତର୍ଜାତୀୟ ଗଣମାଧ୍ୟମରେ ମୟୂରଭଞ୍ଜକୁ ନେଇ ଚର୍ଚ୍ଚା । ବିଶ୍ୱର ୫୦ ପ୍ରାକୃତିକ ପରିବେଶ ତାଲିକାରେ ସ୍ଥାନ ପାଇଲା ମୟୂରଭଞ୍ଜ

109

କନକ ବ୍ୟୁରୋ: ଅନ୍ତର୍ଜାତୀୟ ଗଣମାଧ୍ୟମ ଟାଇମ୍ ମାଗାଜିନରେ ସ୍ଥାନ ପାଇଛି ମୟୂରଭଞ୍ଜ ଜିଲ୍ଲା । ବିଶ୍ୱର ୫୦ ପ୍ରାକୃତିକ ପରିବେଶ ତାଲିକାରେ ସ୍ଥାନ ପାଇଛି ମୟୂରଭଞ୍ଜ । ଟାଇମ ପତ୍ରିକାରେ ପ୍ରକାଶିତ ୨୦୨୩ର ଶ୍ରେଷ୍ଠ ସ୍ଥାନ ମଧ୍ୟରୁ ଭାରତର ଲଦାଖ ଓ ମୟୁରଭଞ୍ଜ ସ୍ଥାନ ପାଇଛି । ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ମୟୁରଭଞ୍ଜ ନିଜର ପ୍ରାକୃତିକ ପରିବେଶ, ବାଘ, ପ୍ରାଚୀନ ମନ୍ଦିର ଓ ଛଉ ନୃତ୍ୟ ପାଇଁ ପରିଚିତ । ମୟୁରଭଞ୍ଜରେ ଥିବା ଶିମିଳିପାଳ ଅଭୟାରଣ୍ୟ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ପ୍ରାକୃତିକ ପରିବେଶ, ଝରଣା, ଏସୀୟ ହାତୀ, କଳା ବାଘଙ୍କ ପାଇଁ ଏହା ବିଶ୍ୱର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ । ଏହା ସହିତ ସବାଇ ଘାସ ସାମଗ୍ରୀ ଓ କଳାକୃତି ସଂପର୍କରେ ବି ପତ୍ରିକାରେ ଉଲ୍ଲେଖ ରହିଛି ।

ମୟୂରଭଞ୍ଜର ପ୍ରସିଦ୍ଧ ବେଲଗାଡ଼ିଆ ପ୍ରାସାଦ ସମ୍ପର୍କରେ ମଧ୍ୟ ଟାଇମ ମାଗାଜିନରେ ଉଲ୍ଲେଖ ରହିଛି । ୨୦ ଏକରରୁ ଅଧିକ ଜାଗାରେ ନିର୍ମିତ ଏହି ରାଜପ୍ରାସାଦଟି ୧୮୦୦ ଖ୍ରୀଷ୍ଟାବ୍ଦର ପ୍ରଥମ ଭାଗରେ ଭିକ୍ଟୋରିଆନ୍ ଓ କୋରେନସିଆଥ୍ ଶୈଳୀରେ ତକ୍ରାଳୀନ ମହାରାଜେଶ୍ୱରୀ ସୁମିତ୍ରା ଭଞ୍ଜଦେଓଙ୍କ ଶାସନ କାଳରେ ନିର୍ମାଣ କରାଯାଇଥିଲା । ପ୍ରଥମେ ଏହି ପ୍ରାସାଦଟି ମୟୂରଭଞ୍ଜର ରାଜ୍ୟ ଅତିଥିଶାଳା ଭାବେ ବ୍ୟବହୃତ ହେଉଥିଲା ଏବଂ ଗ୍ରୀଷ୍ମ ଋତୁରେ ମହାରାଜ ମାନେ ଏଠାରେ ବସବାସ କରୁଥିବାରୁ ଏହାକୁ ସମର ପ୍ୟାଲେସ୍ ବୋଲି ମଧ୍ୟ ଅଭିହିତ କରାଯାଉଥିଲା । ତେବେ ମୁଖ୍ୟ ରାଜପ୍ରସାଦଟି ୧୯୫୮ ମସିହାରେ ଏମ୍.ପି.ସି. କଲେଜ ପାଇଁ ମହାରାଜା ପ୍ରତାପଚନ୍ଦ୍ର ଭଞ୍ଜଦେଓ ଶିକ୍ଷା ବିଭାଗକୁ ହସ୍ତାନ୍ତର କରିବା ପରେ ରାଜ ପରିବାର ଏହି ପ୍ରାସାଦରେ ବସବାସ କରି ଆସୁଛନ୍ତି ।

ମୟୂରଭଞ୍ଜର କଳା, ସଂସ୍କୃତି ଐତିହ୍ୟ ଏବଂ ବନ୍ୟପ୍ରାଣୀଙ୍କ ବିଷୟରେ ବିଶେଷ ଭାବରେ ଏହି ମାଗାଜିନରେ ଉଲ୍ଲେଖ ରହିଛି । ଏହାକୁ ନେଇ ଜିଲ୍ଲାବାସୀଙ୍କ ମନରେ ଖୁସିର ଲହରୀ ଦେଖାଦେଇଛି । ଆଗକୁ ପର୍ଯ୍ୟଟନ କ୍ଷେତରେ ମୟୂରଭଞ୍ଜ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ଜିଲ୍ଲାବାସୀ ଆଶାପ୍ରକଟ କରିଛନ୍ତି ।