ଆମେରିକାର କାଲିଫର୍ଣ୍ଣିଆରେ ଆଖିବୁଜା ଗୁଳିମାଡ । ୧୬ ଜଣ ଲୋକ ଗୁଳିମାଡର ଶିକାର ।

102

କନକ ବ୍ୟୁରୋ : ଆମେରିକାର କାଲିଫର୍ଣ୍ଣିଆ ସହରରେ ଆଖିବୁଜା ଗୁଳିମାଡ । ଯେଉଁ ଘଟଣାରେ ୧୬ରୁ ଅଧିକ ଲୋକ ଗୁଳିମାଡର ଶିକାର ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପୂରା ଅଞ୍ଚଳକୁ ଘେରାବନ୍ଦୀ କରିଥିବା ବେଳେ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇଛି ।

ଆମେରିକାର ଗଣମାଧ୍ୟମ ସୂତ୍ର ଅନୁଯାୟୀ, କାଲିଫର୍ଣ୍ଣିଆ ସହରର ମଣ୍ଟେରି ପାର୍କରେ ଚୀନ ନବ ବର୍ଷ ସମାରୋହ ଆୟୋଜିତ ହେଉଥିଲା । କିନ୍ତୁ ରାତି ପ୍ରାୟ ୧୦ଟା ସମୟରେ ଏହି ଅଞ୍ଚଳରେ ଆଖିବୁଜା ଗୁଳିମାଡ କରିଥିଲେ କିଛି ଦୁବୃର୍ତ୍ତ । ଯେହେତୁ ଏହି ସମାରୋହରେ ଅନେକ ଲୋକ ଉପସ୍ଥିତ ଥିଲେ ତେଣୁ ପ୍ରାୟ ୧୬ରୁ ଅଧିକ ଲୋକ ଗୁଳିମାଡର ଶିକାର ହୋଇଛନ୍ତି । ତେବେ ଦୁବୃର୍ତ୍ତ କୌଶଳ କ୍ରମେ ଘଟଣାସ୍ଥଳରୁ ଖସି ଯାଇଥିବା ବେଳେ ପୂରା ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।

ଏହାପୂର୍ବରୁ ସୋମବାର କାଲିଫର୍ଣ୍ଣିଆର ଏକ ଘରେ ଗୁଳିମାଡ ହୋଇଥିଲା । ଯେଉଁଥିରେ ୧୭ ବର୍ଷୀୟ ମା’ ଓ ୬ ମାସର କୁନି ଶିଶୁ ସହିତ ୬ ଲୋକଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଏହାକୁ ଟାର୍ଗେଟ କିଲିଙ୍ଗ ବୋଲି ଦର୍ଶାଇଥିଲା । କିନ୍ତୁ ଉକ୍ତ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାରେ ଏଯାବତ ପୋଲିସ ବିଫଳ ରହିଛି ।