ଶିକ୍ଷକଙ୍କୁ ବିଦେଶ ପଠାଇବା ଦ୍ୱାରା ଦିଲ୍ଲୀ ସରକାରୀ ସ୍କୁଲର ପିଲାଙ୍କୁ ହେଲା କି ଫାଇଦା? ଜାଣନ୍ତୁ …

97

କନକ ବ୍ୟୁରୋ: କେଜ୍ରିୱାଲ ସରକାର ଦିଲ୍ଲୀର ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କ ଉନ୍ନତ ଶିକ୍ଷା ପାଇଁ ଶିକ୍ଷକଙ୍କୁ ବିଦେଶୀ ଟ୍ରେନିଂ ଦେବାକୁ ଚାହୁଁଛନ୍ତି । ଏହାକୁ ନେଇ ଉପରାଜ୍ୟପାଳଙ୍କ ସହ ଲଗାତର ଭାବେ ବିବାଦ ବଢିବାରେ ଲାଗିଛି । ଦିଲ୍ଲୀ ସରକାର ଚାହୁଁଛନ୍ତି ଯେ ଶିକ୍ଷକମାନେ ଫିନଲାଣ୍ଡରୁ କିଛି ଶିକ୍ଷାକରି ଆସିବେ ଏବଂ ଦିଲ୍ଲୀର ସରକାରୀ ସ୍କୁଲରେ ଉନ୍ନତ ଶିକ୍ଷା ପ୍ରଦାନ କରିବେ।

୨୦୧୪ରେ ପ୍ରଥମ ଥର ଆପ ଦିଲ୍ଲୀରେ ସରକାର ଗଠନ କରିଥିଲା । ସେବେଠାରୁ ବର୍ତ୍ତମାନ ଯାଏ ଆପ ସରକାର ଶିକ୍ଷକଙ୍କୁ ସିଙ୍ଗାପୁର-ଫିନଲାଣ୍ଡର ସ୍କୁଲକୁ ପଠାଉଛନ୍ତି । ସେଠାରୁ ଟ୍ରେନିଂ ନେଇ ଆସିବା ପରେ ଶିକ୍ଷକମାନେ ଦିଲ୍ଲୀର ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିଥାନ୍ତି । ୨୦୧୪ ପୂର୍ବରୁ ଦିଲ୍ଲୀରେ ଶିଲା ଦିକ୍ଷିତ ସରକାର କେବେହେଲେ ଶିକ୍ଷକଙ୍କୁ ବିଦେଶୀ ଟ୍ରେନିଂ ପାଇଁ ପଠାଇନଥିଲେ ।

ଦିଲ୍ଲୀ ସରକାରଙ୍କ ଅଭିଯୋଗ ଯେ ଉପରାଜ୍ୟପାଳ ଦ୍ୱାରା ଶିକ୍ଷକଙ୍କୁ ଫିନଲାଣ୍ଡ ପଠାଯିବା ଫାଇଲକୁ ରୋକିଦିଆଯାଇଛି । ତେବେ ପ୍ରଶ୍ନ ଏହା ଯେ ଫିନଲାଣ୍ଡ ଯାଉଥିବା ଶିକ୍ଷକମାନେ ୫ଦିନରେ ଏମିତି କଣ ଶିକ୍ଷାଗ୍ରହଣ କରିବେ ଯେ ସେଠାରୁ ଆସିବା ପରେ ସ୍କୁଲରେ ଉନ୍ନତ ଶିକ୍ଷାଦାନ କରିପାରିବେ । ସରକାର ଚାହିଁଲେ ବିଦେଶରୁ ଶିକ୍ଷକ ଆଣି ଦିଲ୍ଲୀର ଶିକ୍ଷକଙ୍କୁ ଟ୍ରେନିଂ ମଧ୍ୟ ଦେଇପାରନ୍ତେ । ସେହିଭଳି ଶିକ୍ଷକଙ୍କର ମଧ୍ୟ ଟ୍ରେନିଂ ହୋଇପାରିବ ।

ଦିଲ୍ଲୀ ସରକାରଙ୍କ କହିବା କଥା ଯେ ଉନ୍ନତ ଟ୍ରେନିଂ ଦ୍ୱାରା ଶିକ୍ଷକଙ୍କୁ ଅନେକ ଫାଇଦା ହୋଇପାରିବ । ଆପର ମୁଖପାତ୍ର ଗଜେନ୍ଦ୍ର ଭରଦ୍ୱାଜ କହିଛନ୍ତି, ପିଲାମାନଙ୍କ ରେଜଲ୍ଟ ଗତ ସରକାର ଅମଳରେ ୭୦ ପ୍ରତିଶତ ରହୁଥିଲା । କେଜ୍ରିୱାଲ ସରକାର ଆସିବା ପରେ ଏହା ୯୯ ପ୍ରତିଶତକୁ ବୃଦ୍ଧି ପାଇଛି । ଏହାଛଡା ମଧ୍ୟ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଆଇଆଇଟି- ଇଞ୍ଜିନିୟରିଂର ବଡ ବଜ ସଂସ୍ଥାନରେ ହୋଇପାରୁଛି । ଏହା ଶିକ୍ଷକଙ୍କ ଟ୍ରେନିଂ ଦ୍ୱାରା ସମ୍ଭବ ହୋଇପାରିଛି ।