ଫେସୁବକରେ ପ୍ରେମ ସମ୍ପର୍କ : ସ୍ୱାମୀକୁ ଛାଡି ପ୍ରେମିକ ପାଇଁ ସୀମା ପାର ହୋଇ ପାକିସ୍ତାନରେ ଭାରତର ଅଞ୍ଜୁ ; ଶ୍ୱଶୂର ଘର ଲୋକଙ୍କ ବଢିଲା ଚିନ୍ତା

725

କନକ ବ୍ୟୁରୋ : ଦେଶରେ ସୀମା ହାଇଦରଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । କିଏ କହୁଛି ସେ ପାକିସ୍ତାନର ଗୁଇନ୍ଦା ଆଉ କିଏ କହୁଛି ସେ ତାର ପ୍ରେମ ପାଇଁ ଭାରତ ଆସିଛି । ଆଉ ଏବେ ସେ ଭାରତର ବୋହୂ ହୋଇ ରହିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । କିନ୍ତୁ ଏହାରି ଭିତରେ ଟିକିଏ ବ୍ୟତିକ୍ରମ ଦେଖିବାକୁ ମିଳିଛି ଯେଉଁଥିରେ ଜଣେ ଭାରତୀୟ ବୋହୂ ପାକିସ୍ତାନ ଯାଇଛନ୍ତି ନିଜର ପ୍ରେମ ପାଇଁ । ପାକିସ୍ତାନୀ ମହିଳା ସୀମା ହାଇଦର ଯେଭଳି ପବ୍ଜି ଖେଳି ଖେଳି ସୀମା ଅତିକ୍ରମ କରି ଭାରତ ପହଞ୍ଚି ଯାଇଥିଲେ ସେଭଳି ଘଟଣା ଏବେ ଭାରତର ଅଞ୍ଜୁଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ।

ଫେସବୁକ ବନ୍ଧୁଙ୍କ ପ୍ରେମରେ ପଡ଼ି ରାଜସ୍ଥାନର ଭିୱାଡ଼ି ଜିଲ୍ଲାରେ ରହୁଥିବା ଅଞ୍ଜୁ ଫେସବୁକ ପ୍ରେମିକଙ୍କୁ ଭେଟିବା ପାଇଁ ପାକିସ୍ତାନରେ ପହଂଚି ଯାଇଛନ୍ତି । ପ୍ରେମୀ ନସ୍ରୁଲ୍ଲାହଙ୍କ ସହ ଏବେ ଅଞ୍ଜୁ ପାକିସ୍ତାନର ଖୈବର ପଙ୍ଖତୁନଖ୍ୱାରେ ରହିଥିବା ଜଣାପଡ଼ିଛି । ସେଠାରେ ମେଡିକାଲ ରିପ୍ରେଜେଂଟେଟିଭ୍ ଥିବା ନସରୁଲ୍ଲାଙ୍କ ସହିତ ରହିବା ପାଇଁ ଅଞ୍ଜୁ ନଷ୍ପତିି ନେଇସାରିଛନ୍ତି । ଅଞ୍ଜୁଙ୍କ ଭିସା ସଂପର୍କରେ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଅଞ୍ଜୁଙ୍କ ପାକିସ୍ତାନ ଯାତ୍ରା ପାଇଁ ମେ ୪ରେ ପାକିସ୍ତାନ ଦ୍ୱାରା ଭିସା ଜାରି ହୋଇଥିଲା ।

ଏହି ଭିସାର ଅବଧି ୯୦ ଦିନ ରହିଛି ଏବଂ ସେ ୱାଘା ବୋର୍ଡର ଦେଇ ପାକିସ୍ତାନରେ ପ୍ରବେଶ କରିଛନ୍ତି । ଅଞ୍ଜୁ କହିଛନ୍ତି ସେ ନସରୁଲ୍ଲାଙ୍କୁ ପ୍ରେମ କରୁଛନ୍ତି ଏବଂ ତାଙ୍କୁ ଛାଡ଼ି ରହିପାରିବେ ନାହିଁ । ଅନ୍ୟପକ୍ଷରେ ଅଞ୍ଜୁ ତାଙ୍କ ପରିବାରକୁ ମିଛ କହି ଘର ଛାଡ଼ିଥିବା ଜଣାପଡ଼ିଛି । ସେ ତାଙ୍କ ସ୍ୱାମୀ ଅରବିନ୍ଦଙ୍କୁ କହିଥିଲେ ଯେ କୌଣସି ବନ୍ଧୁଙ୍କୁ ଭେଟିବା ପାଇଁ ଜୟପୁର ଯାଉଛନ୍ତି । ପରେ ଅରବିନ୍ଦ ଜାଣିପାରିଥିଲେ ଯେ ତାଙ୍କ ପତ୍ନୀ ସୀମା ଅତିକ୍ରମ କରି ପାକିସ୍ତାନୀ ପ୍ରେମିକଙ୍କ ପାଖକୁ ପଳାଇଛନ୍ତି ।