ଟେଷ୍ଟ ମ୍ୟାଚରେ ଟି-୨୦ ପ୍ରଦର୍ଶନ ଦେଖାଇଲେ ଇଶାନ । ୱେଷ୍ଟଇଣ୍ଡିଜ ମାଟିରୁ ରିଷଭ ପନ୍ତଙ୍କୁ ଜଣାଇଲେ ଧନ୍ୟବାଦ, କୋହଲିଙ୍କୁ ନେଇ କହିଲେ କିଛି ଏମିତି?

929

କନକ ବ୍ୟୁରୋ : ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଶେଷ ଦିନରେ ଭାରତକୁ ବିଜୟ ପାଇଁ ୮ଟି ୱିକେଟର ଆବଶ୍ୟକତା ଥିବା ବେଳେ ୱେଷ୍ଟଇଣ୍ଡିଜକୁ ୨୮୯ ରନର ଆବଶ୍ୟକତା ରହିଛି । ତେଣୁ ଫଳାଫଳ ଆସିବା ଏକପ୍ରକାର ନିଶ୍ଚିତ ରହିଛି । ତେବେ ଦ୍ୱିତୀୟ ପାଳିରେ ଭାରତର ଆକ୍ରମଣାତ୍ମକ ବ୍ୟାଟିଂ କ୍ରିକେଟପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଦ୍ୱିତୀୟ ଇନିଂସରେ ମାତ୍ର ୨୪ ଓଭରରେ ୧୮୧ ରନ କରି ପାଳି ଘୋଷଣା କରିଥିଲା ଟିମ୍ ଇଣ୍ଡିଆ । ଅଧିନାୟକ ରୋହିତ ଓ ଇଶାନ କିଷାନଙ୍କ ବିସ୍ଫୋରକ  ଇନିଂସ ଟି-୨୦ ମ୍ୟାଚ୍ ଭଳି ଅନୁଭବ ଦେଇଥିଲା । ମାତ୍ର ୩୪ ବଲରୁ ୫୨ ରନର ଧୂଆଁଧାର ଇନିଂସ ଖେଳିଥିଲେ ଇଶାନ ।  ଯେଉଁଥିରେ ୪ଟଇ ଚୌକା ଓ ୨ଟି ବିଶାଳ ଛକା ରହିଥିଲା । ବିରାଟଙ୍କ ଆଗରୁ ବ୍ୟାଟିଂ କରିବାକୁ ଆସି ଇଶାନ ୱେଷ୍ଟଇଣ୍ଡିଜ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରିଥିଲେ ।

ଟେଷ୍ଟ ମ୍ୟାଚରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିବା ପରେ ଇଶାନ ନିଜ ସାଥୀ ଖେଳାଳୀ ରିଷଭ ପନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଆଉ ଏହା ପଛର ଏକ ରୋଚକ କାହାଣୀ ମଧ୍ୟ କହିଥିଲେ । ଇଶାନ କହିଛନ୍ତି,  ୱେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ଏନସିଏରେ ଥିବା ବେଳେ ରିଷଭ ପନ୍ତ ବ୍ୟାଟିଂକୁ ନେଇ କିଛି ପରାମର୍ଶ ଦେଇଥିଲେ । କିଭଳି ବ୍ୟାଟ ପୋଜିସନ ରଖାଯିବ ତାହା କହିଥିଲେ । ଆମେ ଅଣ୍ଡର-୧୯ରୁ ସାଙ୍ଗ ହୋଇ ଖେଳି ଆସୁଛୁ । ତେଣୁ ମୋ ବ୍ୟାଟିଂ ଶୈଳୀ ବାବଦରେ ରିଷଭ ଭଲ ଭାବେ ଜାଣିଛନ୍ତି । ରିଷଭଙ୍କ ପରାମର୍ଶ ମୋତେ ରନ୍ ସ୍କୋର କରିବାରେ ସହଯୋଗ କଲା । ଏଥିପାଇଁ ରିଷଭଙ୍କୁ ଧନ୍ୟବାଦ ।

କେବଳ ଏତିକି ନୁହେଁ ୪ ନମ୍ବରରେ ବ୍ୟାଟିଂକୁ ନେଇ ଇଶାନ କହିଛନ୍ତି, ମୋତେ ଏହି ନମ୍ବରରେ ବ୍ୟାଟିଂ କରିବାକୁ ପୂରା ଟିମ୍ ସହ ବିରାଟ ଭାଇ କହିଥିଲେ । ଏହି ଅର୍ଦ୍ଧଶତକ ମୋ ପାଇଁ ସ୍ୱତନ୍ତ୍ର । ମୋତେ ଜଣାଥିଲା ଯେ, ଦଳ ମୋ ଠାରୁ କଣ ଚାହୁଁଛି । ସମସ୍ତେ ଏଥିପାଇଁ ସମର୍ଥନ କରିଥିଲେ । ଏପରିକି ବିରାଟ ଭାଇ କହିଥିଲେ, ଯାଅ ଏବଂ ନିଜ ଶୈଳୀରେ ଖେଳ । ବାମହାତୀ ସ୍ପିନରଙ୍କୁ ଭଲ ଖେଳୁଥିବାରୁ ଦଳ ମୋତେ ଏହି ସ୍ଥାନରେ ପଠାଇଥିଲା ଏବଂ ନିଷ୍ପତ୍ତି ଦଳ ପାଇଁ ସଠିକ୍ ସାବ୍ୟସ୍ତ ହୋଇଥିଲା । ଆକ୍ରମଣାତ୍ମକ ଶୈଳୀରେ ବ୍ୟାଟିଂ କରି ଦଳ ପାଇଁ ରନ୍ ସଂଗ୍ରହ ସହ ମୋ ନିଜର ଅର୍ଦ୍ଧଶତକ ପୂରା କରିପାରିଥିଲି ।