ବଲାଙ୍ଗୀରରେ ପୁଣି ସକ୍ରିୟ ମାଓବାଦୀ : ବ୍ୟାନର ଲଗାଇ ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ଦେଲେ ଆହ୍ୱାନ

92

କନକ ବ୍ୟୁରୋ : ଦୀର୍ଘଦିନ ପରେ ମାଓବାଦୀମାନେ ବଲାଙ୍ଗୀରରେ ନିଜର ଉପସ୍ଥିତି ଜାହିର କରିଛନ୍ତି । ପଞ୍ଚାୟତ ନିର୍ବାଚନରୁ ବର୍ଜନ କରିବାକୁ ବ୍ୟାନର ଓ ପୋଷ୍ଟର ମାରିଛନ୍ତି । ତୁରେକେଲା ବ୍ଲକ ସମରସିଂ ଗାଁରେ ମାଓ ପୋଷ୍ଟର ଲାଗିଛି ।  ଏଥିରେ କୁହାଯାଇଛି, ଲୋକେ ପଞ୍ଚାୟତ ଭୋଟକୁ ବର୍ଜନ କରି ଜନତାର ସରକାର ଗଢନ୍ତୁ । ନେତାମାନଙ୍କ ପର୍ଦ୍ଦାଫାସ କରିବାକୁ ପୋଷ୍ଟରରେ ଆହ୍ୱାନ ଦିଆଯାଇଛି ।

ସେପଟେ, ବଲାଙ୍ଗୀର ପୁଇଁତଳା ବ୍ଲକରୁ ଆସିଲା ସାଂଘାତିକ ଅଭିଯୋଗ ଆସିଛି । ପଞ୍ଚାୟତରୁ ମାତ୍ର ଜଣେ ହିଁ ସରପଞ୍ଚ ପାଇଁ ଏଥର ନାମାଙ୍କନପତ୍ର ଦାଖଲ କରିବେ ଏବଂ ତାଙ୍କୁ ହିଁ ସମସ୍ତେ ସରପଞ୍ଚ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ପଂଚାୟତବାସୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୨୨ ପଂଚାୟତ ନିର୍ବାଚନ ସମୟରେ କରୋନା ସମସ୍ତଙ୍କୁ ଡରାଇଛି। ଏଣୁ ଏଥର ମନୋନୟନ ଭିତ୍ତିରେ ସରପଞ୍ଚ ବାଛିବାକୁ ବୈଠକ ହୋଇଥିଲା। ଏଥିରେ ବିଲେଇସର୍ଡା ପଂଚାୟତର ବିଲେଇସର୍ଡା, ବନ୍ଦନାକଟା, କସୁରପାଲି ଗାଁର ବରିଷ୍ଠ ଲୋକଙ୍କୁ ଡକାଯାଇଥିଲା। ଏହାସହ ଯେଉଁମାନେ ପ୍ରାର୍ଥୀ ହେବାକୁ ଆଶାୟୀ ଥିଲେ ସେମାନଙ୍କୁ ବି ଡକାଯାଇଥିଲା। ୪ ଜଣ ପ୍ରତିଦ୍ୱନ୍ଦ୍ବୀ ରହିଥିଲେ। ବୈଠକରେ ସୁଶାନ୍ତଙ୍କୁ ଲୋକେ ମନୋନୀତ କରିଥିଲେ ।

ବୈଠକରେ ସେ ଯାହା ନିର୍ବାଚନରେ ଖର୍ଚ୍ଚ କରିବେ ତାହା ଜଗନ୍ନାଥ ମନ୍ଦିରକୁ ଦେବାକୁ ନେଇ ଆଲୋଚନା ହୋଇଥିଲା ଏବଂ ସୁଶାନ୍ତ ନିଜେ ଗରିବ ଶ୍ରେଣୀର ହୋଇଥିବାରୁ ୪୪ ହଜାର ଟଙ୍କା ଦେବେ ବୋଲି କହିଥିଲେ। ଏଭଳି ଭାବେ ଗାଁରେ ବସିଥିବା ପଂଚ ତଥା ବୈଠକରେ ସରପଞ୍ଚ କିଏ ହେବ ମନୋନୟନ ହୋଇଛି। ସମସ୍ତେ ସୁଶାନ୍ତଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି କହିଛନ୍ତି। କିନ୍ତୁ ବୈଠକ ନିଷ୍ପତ୍ତିକୁ ନମାନି ଯଦି କେହି ନାମାଙ୍କନ ଦାଖଲ କଲେ ଆଉ କଣ କରାଯାଇପାରିବ ବୋଲି ପଂଚାୟତବାସୀ କହିଛନ୍ତି। କିନ୍ତୁ କରୋନା କାଳରେ ସଂକ୍ରମଣର ଭୟାବହତାକୁ ଦେଖି ଏଭଳି ବୈଠକ କରାଯାଇ ସରପଞ୍ଚ କିଏ ହେବ ଚୟନ କରାଯାଇଥିବା ସମସ୍ତେ କହିଛନ୍ତି। ଏଭଳି ଭାବରେ ସରପଂଚ ଚୟନକୁ ନେଇ ଅନେକ ପ୍ରଶ୍ନ ଏବେ ଉଠିଛି । ଏହା ଗଣତନ୍ତ୍ରର ବିଡ଼ମ୍ବନା ନା ସହମତିରେ ସରପଞ୍ଚ ବୋଲି ପ୍ରଶ୍ନ ଉଠିଲାଣି। ଏଥର ନିର୍ବାଚନ ନାମାଙ୍କନ ଦାଖଲ ସମୟରେ ଏଭଳି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।