ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି : ଦିଲ୍ଲୀ ରାଜପଥରେ ପରେଡ୍ ଅଭ୍ୟାସ

ଜାନୁଆରୀ ୨୬ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା; ନଜର ରଖିବ ୩ ଶହ ସିସିଟିଭି

123

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସ ପାଇଁ ଜୋରଦାର ଆରମ୍ଭ ହେଲାଣି ପ୍ରସ୍ତୁତି । ଦିଲ୍ଲୀ ରାଜପଥରେ ଚାଲିଛି ପରେଡ୍ ଅଭ୍ୟାସ । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ପରେଡ୍ ଅଭ୍ୟାସ ହେବ । ସେପଟେ ଗାଜିପୁର ଫୁଲ୍ ମାର୍କେଟ୍ ନିକଟରେ ଆଇଇଡି ମିଳିବା ପରେ ଦିଲ୍ଲୀ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ୩୦୦ ସିସିଟିଭି କ୍ୟାମେରା ଲଗାଯାଇଛି । ଆତଙ୍କବାଦୀ ଆକ୍ରମଣ ଭୟ ସହ କୋଭିଡ୍-୧୯ ଯବାନଙ୍କ ପାଇଁ ବିପଦ ସୃଷ୍ଟି କରିଛି । ପୋଲିସ କର୍ମଚାରୀଙ୍କୁ ଆବଶ୍ୟକୀୟ ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଛି । କରୋନା କଟକଣା ପାଇଁ ଏଥର ମାତ୍ର ୪ ହଜାର ଟିକେଟ୍ ରହିଛି । ମୋଟ୍ ୨୪ ହଜାର ଲୋକ ଉତ୍ସବରେ ସାମିଲ ହୋଇପାରିବେ ।

ଜାନୁଆରୀ ୨୬ରେ ଶିକ୍ଷାନୁଷ୍ଠାନରେ ପାଳିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସରେ ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ କରାଯିବ । ସଙ୍ଗୀତର ଧୂନ ସହ ତ୍ରିରଙ୍ଗା ସମ୍ମୁଖରେ ସୂର୍ଯ୍ୟ ନମସ୍କାର କରିବାକୁ ଦେଶର ୩୦ ହଜାର ଶିକ୍ଷାନୁଷ୍ଠାନକୁ ପରାମର୍ଶ ଦିଆଯାଇଛି । ଏଥିରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଷ୍ଟାଫ୍‌ କିଭଳି ଭାଗ ନେଇ ପାରିବେ । ଏଥିସହ ଆୟୁଷ ମନ୍ତ୍ରଣାଳୟ ଦ୍ବାରା ଜାରି ଗାଇଡ୍‌ଲାଇନ୍‌ ପାଳନ କରିବା ଦିଗରେ ପଦକ୍ଷେପ ନେବାକୁ ୟୁଜିସି ପକ୍ଷରୁ ଦେଶର ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଉଚ୍ଚ ଶିକ୍ଷାନୁଷ୍ଠାନରେ ସାଧାରଣତନ୍ତ୍ର ଦିବସ କିଭଳି ପାଳନ କରାଯିବ, ସେନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏସ୍‌ଓପି ଜାରି ହୋଇଛି । ସେଥିରେ ଉଲ୍ଲେଖ ହୋଇଛି ଯେ ସକାଳ ୯ଟା ୩୦ ସୁଦ୍ଧା ସାଧାରଣତନ୍ତ୍ର ଦିବସର ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଶେଷ ହେବ । କୋଭିଡ୍‌ ସ୍ଥିତିକୁ ଦେଖି ଭର୍ଚୁଆଲ କିମ୍ବା ଫିଜିକାଲ ମୋଡ୍‌ରେ କାର୍ଯ୍ୟକ୍ରମ କରାଯିବ ଏବଂ ସମସ୍ତ ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ଏଥିରେ ଉପସ୍ଥିତ ରହିବେ । ନ୍ୟାସନାଲ ୱାର୍‌ ମେମୋରିଆଲ୍‌ କିମ୍ବା ଏଥିସହ ଜଡ଼ିତ ଥିବା କୌଣସି ଭିଡ଼ିଓ ସମସ୍ତଙ୍କ ନିକଟରେ ପହଞ୍ଚାଯିବ । ସ୍ବାଧୀନତାର ୭୫ ବର୍ଷ ପାଳନ କରାଯାଉଥିବାରୁ ସମସ୍ତ ଶିକ୍ଷାନୁଷ୍ଠାନ ନିଜର କ୍ରାଫ୍ଟ ପ୍ରୋଜେକ୍ଟ ପ୍ରସ୍ତୁତ କରିବା ସହ ସେଗୁଡ଼ିକୁ ସୀମାରେ ଥିବା ଯବାନଙ୍କ ନିକଟକୁ ପଠାଇବେ । କ୍ରାଫ୍ଟ ପଠାଇବା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟସ୍ତରରେ ଏକ ସ୍ବତନ୍ତ୍ର ପରିଚାଳନା ବ୍ୟବସ୍ଥା ହେବ ।

ଯଦି ଶିକ୍ଷାନୁଷ୍ଠାନ ବନ୍ଦ ରହିଥାଏ, ତେବେ ପିଲାମାନେ ନିଜ ଘରେ ଏହାକୁ କରିବାକୁ ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ଉତ୍ସାହିତ କରିବେ । ପ୍ରୋଜେକ୍ଟଗୁଡ଼ିକୁ ଆରଡିସି ୱେବସାଇଟ୍‌ରେ ଶିକ୍ଷାନୁଷ୍ଠାନ ନାମ ସହ ପ୍ରଦର୍ଶିତ କରାଯିବ। ଶ୍ରେଷ୍ଠ ବିବେଚିତ କ୍ରାଫ୍ଟକୁ ଜାତୀୟସ୍ତରରେ ପୁରସ୍କୃତ କରାଯିବାର ବ୍ୟବସ୍ଥା ରହିଛି । ସାଧାରଣତନ୍ତ୍ର ଦିବସ ଉପରେ ୫ଟି ବିଷୟବସ୍ତୁକୁ ନେଇ ଜାନୁଆରି ୨୫ ସୁଦ୍ଧା ଶିକ୍ଷାନୁଷ୍ଠାନରେ ବକ୍ତୃତା, ନାଟକ, ପ୍ରବନ୍ଧ ଲିଖନି ଆଦି କରିବାକୁ ପରାମର୍ଶ ଦିଆଯାଇଛି । କୋଭିଡ୍‌ ଗାଇଡ୍‌ଲାଇନ୍‌ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମ କରିବାକୁ ୟୁଜିସି ଅଧୀନ ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକୁ ନିର୍ଦେଶ ଦିଆଯାଇଛି ।