ମଣିପୁର ହିଂସା ଭିତରେ ଆସିଲା ଅଭାବନୀୟ ଘଟଣା- ଆମ୍ବୁଲାନ୍ସରେ ନିଆଁ ଲଗାଇ ୩ଜଣଙ୍କ ଜୀବନ୍ତ ଦଗ୍ଧ କଲେ ଉପଦ୍ରବକାରୀ, ଆହତ ପୁଅକୁ ଡାକ୍ତରଖାନା ନେଇ ଯାଉଥିଲେ ମା ଓ ସର୍ମ୍ପକୀୟ

366

କନକ ବ୍ୟୁରୋ : ଦିନକୁ ଦିନ ଅଧିକ ଭୟଙ୍କର ଓ ହିଂସାତ୍ମକ ମୋଡ଼ ନେଉଛି ମଣିପୁର ହିଂସା । ବିଭିନ୍ନ ସମୟରେ ମଣିପୁରର ଲୋମଟାଙ୍କୁରା ଦୃଶ୍ୟ ସାମ୍ନାକୁ ଆସୁଥିବାବେଳେ ଏବେ ଆଉ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ନିଷ୍ଠୁର ହୋଇପଡ଼ିଛନ୍ତି , ପ୍ରଦର୍ଶନକାରୀ , ମରିଯାଇଛି ସେମାନଙ୍କ ମାନବିକତା । ବିବେକ ଶୂନ୍ୟ ହୋଇପଡ଼ିଛନ୍ତି ସେମାନେ । ନିଷ୍ଠୁରତା ହିଂସ୍ର ପ୍ରଦର୍ଶନକାରୀମାନେ ନେଇଯାଇଛନ୍ତି ତିନୋଟି ନିରୀହ ଜୀବନ । ଆମ୍ବୁଲାନ୍ସରେ ଆହତ ପିଲାକୁ ନେଇ ହସ୍ପିଟାଲକୁ ଯାଉଥିବାବେଳେ ତିନି ଜଣଙ୍କୁ ଜୀବନ୍ତ ଜାଳି ଦେଇଛନ୍ତି । ଏପରି ଲୋମଟାଙ୍କୁରା ଘଟଣା ଗତ ରବିବାର ସଂଧ୍ୟା ପଶ୍ଚିମ ଇମ୍ପାଲ ଜିଲ୍ଲାରେ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ , ପାଖାପାଖି ଆଠ ବର୍ଷର ଆହତ ପିଲାକୁ, ପିଲାଟିର ମାଆ ଓ ଜଣେ ସମ୍ପର୍କୀୟ ଡ଼ାକ୍ତରଖାନା ନେବା ବାଟରେ ପ୍ରଦର୍ଶନକାରୀ ଏହାକୁ ଅଟକାଇ ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଥିଲେ । ଆଉ ଜୀବନ୍ତ ଜଳିଯାଇଥିଲେ ତିନି ନୀରିହ ।

ମାଆ ଚାହିଁଥିଲା ପୁଅକୁ ବଂଚାଇବ । ସେଥିପାଇଁ ପ୍ରାଣପ୍ରଣେ ପୁଅ ମୁଣ୍ଡରେ ଗୁଳି ବାଜିବା ପରେ ତୁରନ୍ତ ହସ୍ପିଟାଲକୁ ନେଉଥିଲେ । ହେଲେ ପୁଅ ସହ ମାଆ ଓ ସମ୍ପର୍କୀୟଙ୍କୁ ଜୀବନ୍ତ ଜାଳିଦେଲେ ନିଷ୍ଠୁର ପ୍ରଦର୍ଶନକାରୀ । ମଣିପୁରରେ ଲାଗିରହିଥିବା ଜାତିଗତ ହିଂସାରେ ଏପର୍ଯ୍ୟନ୍ତ ପ୍ରାୟ ୯୮ ଜଣଙ୍କ ଜୀବନ ଗଲାଣି । ଏହା ସହ ୩୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅନ୍ୟପଟେ ୩୭ ହଜାର ୪୫୦ ଜଣ ୨୭୨ଟି ଆଶ୍ରୟସ୍ଥଳୀରେ ଶରଣ ନେଇଛନ୍ତି ।

ଦୀର୍ଘଦିନ ଧରି ଜାତିଗତ ହିଂସାକୁ ନେଇ ମଣିପୁରରେ ଲାଗି ରହିଥିବା ହିଂସା ଥମିବାର ନାଁ ନେଉନଥିବା ବେଳେ ଏହା ଆହୁରି ଭୟାନକ ହେଉଛି । ବନ୍ଦ ଆମ୍ବୁଲାନ୍ସ ଭିତରେ ତିନିଜଣଙ୍କୁ ଜୀବନ୍ତ ଜାଳିଦେବା ଘଟଣାକୁ ସବୁଆଡ଼େ ନିନ୍ଦା କରାଯାଇଛି ।