୩ଶହ ଫୁଟ ତଳେ କୁନିଝିଅ କରୁଛି ଜୀବନ-ମରଣ ସହ ସଂଘର୍ଷ, ମଧ୍ୟପ୍ରଦେଶ ସିହୋରରେ ଚାଲିଛି ରେସ୍କ୍ୟୁ ଅପରେସନ

506

କନକ ବ୍ୟୁରୋ : ଘର ପାଖରେ ଥିବା କ୍ଷେତରେ ନୀରିହ ପିଲାଟି ମନ ଖୁସିରେ ଖେଳୁଥିଲା । ହଠାତ ସବୁ କିଛି ଓଲଟପାଲଟ ହୋଇଗଲା ଯେତେବେଳେ ଅଢେଇବର୍ଷର ଶିଶୁ କନ୍ୟା କ୍ଷେତରେ ଖେଳୁ ଖେଳୁ ୩ ଶହ ଫୁଟ ବୋରୱେଲରେ ଖସିପଡ଼ିଥିଲା । ମଧ୍ୟପ୍ରଦେଶ ସିହୋର ଜିଲ୍ଲାର ମୁଗାଭଲି ଗାଁରେ ଏହି ଅଘଟଣ ଘଟିଛି । ସୋମବାର ଅପରାହ୍ନ ସମୟରେ ଘର ପାଖ କ୍ଷେତରେ ଜେଜେମା’ଙ୍କ ସହ ଖେଳୁଥିବା ବେଳେ ବୋରୱେଲରେ ପଡ଼ିଯାଇଥିଲା । ଖବର ପାଇ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଁଚିଥିଲା ଉଦ୍ଧାରକାରୀ ଦଳ । ଉଦ୍ଧାରକାର୍ଯ୍ୟରେ ଏନ୍ଡିଆରଏଫ୍ ଓ ଏସଡ଼ିଆରଏଫ ମଧ୍ୟ ସାମିଲ ହୋଇଛି । ଉଦ୍ଧାରକାରୀ ଟିମ ପ୍ରାଣପ୍ରଣେ ପିଲାଟିକୁ ଉଦ୍ଧାର କରିବା କାମରେ ଲାଗିଛନ୍ତି । ବେଳେବେଳେ ପିଲାଟିର ଗତି ବିଷୟରେ ଜଣାପଡ଼ୁ ନଥିବା ଜଣେ ଅଧିକାରୀ କହିଛନ୍ତି । ତେବେ ଖୋଳିବା ସମୟରେ ତଳେ ବହୁ କଠିନ ପଥର ରହୁଥିବାରୁ ଉଦ୍ଧାର କାର୍ଯ୍ୟ ବାଧା ହେଉଛି ।

ପିଲାଟି ବୋରୱେଲରେ ଖସିବା ଖବର ଶୁଣି ଜିଲ୍ଲାପାଳ , ପୁଲିସ ଅଧିକାରୀ ଓ ଅନ୍ୟ ଅଧିକାରୀ ପ୍ରମୁଖ ଘଟଣାସ୍ଥଳରେ ପହଁଚିଛନ୍ତି । ତେବେ ସୂଚନା ଅନୁଯାୟୀ, ଘର ପାଖରେ ଥିବା କ୍ଷେତରେ ପ୍ରାୟ ଦୁଇ ମାସ ହେବ ସୃଷ୍ଟିର ପାଖ ପଡ଼ୋଶୀ ବୋରୱେଲ ଖୋଲିଥିଲେ । ହେଲେ ସେଥିରୁ ପାଣି ନ ବାହାରିବାରୁ ସେହିପରି ଖୋଲା ପକାଇଦେଇଥିଲେ । ଫଳରେ ଆଜି ନୀରିହ ପିଲାଟି ଜୀବନ ମରଣ ସହ ସଂଘର୍ଷ କରୁଛି ।

ତେବେ ଜୋରଦାର ଚାଲିଛି ଅଢ଼େଇ ବର୍ଷର ଶିଶୁ ‘ସୃଷ୍ଟି’ର ଉଦ୍ଧାରକାର୍ଯ୍ୟ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଝିଅକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉଦ୍ଧାରକାର୍ଯ୍ୟରେ ସେନା ମଧ୍ୟ ନିୟୋଜିତ ହୋଇଛି ।

ବୋରୱେଲରେ ଖସିପଡ଼ିବା ଘଟଣା ନୂଆ ନୁହେଁ । ବାରମ୍ବାର ବିଭିନ୍ନ ସ୍ଥାନରୁ ଏପରି ଘଟଣା ସାମ୍ନାକୁ ଆସୁଛି । ସାଧାରଣ ଜନତାଙ୍କ ଅବହେଳା ହେଉ କିମ୍ବା ପ୍ରଶାସନର ଅବହେଳା ଯୋଗୁଁ ବିପଦରେ ପଡୁଛି ଜୀବନ ।