ପୁଣି ଲୌହ ଦାନବର ରକ୍ତଭୋଜି । ଟ୍ରେନ ନେଇଗଲା ୬ ଜୀବନ । ଯାଜପୁର ରୋଡ ଷ୍ଟେସନରେ ଅଘଟଣ ।

873

କନକ ବ୍ୟୁରୋ: ପୁଣି ଜୀବନ ନେଲା ଲୌହ ଦାନବ । ଯାଜପୁର ରୋଡ ଷ୍ଟେସନ ନିକଟରେ ୱାଗନରେ କଟି ଚାଲିଗଲା ୬ ଜଣଙ୍କ ଜୀବନ । ବର୍ଷା ପବନ ହେବା ବେଳେ ଟ୍ରାକରେ ଥିବା ୱାଗନ୍ ତଳେ ସାହାରା ନେଇଥିଲେ ସାତ ଜଣ ଶ୍ରମିକ । ହେଲେ ହଠାତ୍ ୱାଗନଟି ଗଡିଯିବାରୁ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଗୁରୁତର ଦୁଇ ଜଣ ଶ୍ରମିକଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ଟ୍ରାକ ସଜାଡିବା କାମରେ ନିୟୋଜିତ ଶ୍ରମିକମାନେ ୱାଗନ୍ ତଳେ ଆଶ୍ରୟ ନେଇଥିଲେ । ଆଗରୁ ମଧ୍ୟ ହଠାତ୍ ବର୍ଷା ହେଲେ ସେଠାରେ ଆଶ୍ରୟ ନେଇଥାନ୍ତି । ହେଲେ ସବୁଦିନ ଭଳି ଆଜିର ସମୟ ଶ୍ରମିକଙ୍କୁ ସାଥ ଦେଲା ନାହିଁ । ହଠାତ୍ ୱାଗନଟି ଟ୍ରାକରେ ଗଡିବାରୁ ଶ୍ରମିକମାନେ କଟିଗଲେ । ସୂଚନା ଅନୁସାରେ, ଦୀର୍ଘଦିନ ହେଲା ଏହି ୱାଗନଗୁଡିକ ଯାଜପୁର ରୋଡ ଷ୍ଟେସନରେ ସେଫ୍ଟି ଲାଇନରେ ଅଟକି ରହିଥିଲା । ୱାଗନରେ ଇଞ୍ଜିନ ଲାଗିନଥିଲା । ରେଳ ଟ୍ରାକ କାମ କରୁଥିବାବେଳେ ବର୍ଷା ହେବାରୁ ୱାଗନ ତଳେ ପଶିଯାଇଥିଲେ । ତେବେ ଜୋରରେ ପବନ ହେବାରୁ ୱାଗନଗୁଡିକ ଗଡିଯାଇଥିବା କୁହାଯାଉଛି । ଆଉ ଏହି ସମୟରେ ଶ୍ରମିକମାନେ ଚକାତଳେ ଚାପି ହୋଇଯାଇଥିଲେ ।

୩ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ୩ ଜଣ ମେଡିକାଲରେ ପ୍ରାଣ ହରାଇଛନ୍ତି । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ମେଡିକାଲକୁ ନେଇଥିଲେ । ଘଟଣା ପରେ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ପଂହଚିଛି । ତେବେ କାହାର ଅବହେଳାକୁ ଏଭଳି ଦୁର୍ଘଟଣା ଘଟିଲା ତାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରେଳ ଧାରଣାରେ ଯେଉଁ ୱାଗନ ଥିଲା ସେଥିରେ କିଛି ମାଲ ଥିବାବେଳେ ଆଉ କିଛି ଖାଲି ଥିଲା । କିନ୍ତୁ ୱାଗନ ନ ଗଡିବା ପାଇଁ କୌଣସି ଜାମ କିମ୍ବା ବ୍ରେକ ଦିଆଯାଇଥିଲା ନା ନାହିଁ, ସେ ନେଇ ବଡ ପ୍ରଶ୍ନ ସୃଷ୍ଟି ହୋଇଛି ।