ରାଷ୍ଟ୍ରପତି ନିର୍ବାଚନ ପାଇଁ ମେଳି କଲେ ମମତା। ୨୨ଟି ଅଣଏନଡିଏ ଦଳ ମଧ୍ୟରୁ ବୈଠକରେ ଯୋଗ ଦେଲେ ୧୬ଟି ଦଳ। 

451

କନକ ବ୍ୟୁରୋ :  ରାଷ୍ଟ୍ରପତି ନିର୍ବାଚନ ପାଇଁ  ମଝିରେ ଆଉ  ଗୋଟିଏ ମାସ ଥିବା ବେଳେ ଦେଶ ରାଜନୀତିରେ ବିଭିନ୍ନ ରାଜନୈତିକ ସମୀକରଣ ତିଆରି ହେଉଛି । ମମତା, ବିରୋଧୀଙ୍କ ନେତୃତ୍ୱ ନେଉଥିବା ବେଳେ କିଛି ଦଳ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି ।

ଦିଲ୍ଲୀ କଂଷ୍ଟିଚ୍ୟୁସନ କ୍ଲବ, ଯେଉଁଠାରେ ବିରୋଧୀଙ୍କୁ ମେଳି କରି ମୋଦି ସରକାର ବିରୋଧରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ମମତା ବାନାର୍ଜୀ ।  ପ୍ରସଙ୍ଗ ହେଉଛି ରଷ୍ଟ୍ରପତି ନିର୍ବାଚନ । ଏହି ବୈଠକରେ ଯୋଗଦେବା ପାଇଁ ୨୨ଟି ଅଣଏନଡିଏ ଦଳକୁ ଡାକିଥିଲେ ମମତା । କିନ୍ତୁ ମମତାଙ୍କ ଏହି ବୈଠକକୁ ଆସିବା ପୂର୍ବରୁ ଅନେକ ବିରୋଧୀ ଦଳର ନେତା ମୁହଁମୋଡି ଦେଇଛନ୍ତି । ମୋଟ ୧୬ଟି ଦଳ ମମତାଙ୍କ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ସାମିଲ ହୋଇଥିଲେ । ବୈଠକରେ ଟିଆରଏସ, ଆମ ଆଦମି ପାର୍ଟି, ଶିରୋମଣି ଅକାଳି ଦଳ ଓ ବିଜୁ ଜନତା ଦଳ ଯୋଗଦେଇନଥିଲେ ।

ଏ ସବୁ ଭିତରେ ସମସ୍ତଙ୍କ ନଜର ଥିଲା ବିଜେଡି ଉପରେ । ପୂର୍ବରୁ ବି ବିଜେଡି ଏଭଳି ମେଳିରେ ସାମିଲ ହୁଏ ନାହିଁ । ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରଣନୀତି ଏ ସବୁ କ୍ଷେତ୍ରରେ ସମ୍ପୂର୍ଣ୍ଣ ଅଲଗା ଥାଏ । ଏଥର ବି ସେଇୟା ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତି ନିର୍ବାଚନରେ ବିଜୁ ଜନତା ଦଳ ନିଜର ଆଭିମୁଖ୍ୟ ସ୍ପଷ୍ଟ  କରି ନଥିବାବେଳେ ମମତାଙ୍କ ବୈଠକରେ ବିଜେଡି  ଯୋଗ ନଦେବା ଏହି ଚର୍ଚ୍ଚକୁ ଆହୁରି ବଢାଇ ଦେଇଛି । କିଛି ଦିନ ପୂର୍ବରୁ ଦିଲ୍ଲୀରେ ନବୀନ ଓ ମୋଦୀଙ୍କ ଭେଟଘାଟ ହୋଇଥିଲା ଓ ଏହାକୁ ରାଷ୍ଟ୍ରପତି ନିର୍ବାଚନ ଦୃଷ୍ଟିକୋଣରୁ ଦେଖାଯାଉଥିଲା । କିନ୍ତୁ ଏହା ସୌଜନ୍ୟମୂଳକ ସାକ୍ଷାତ  ବୋଲି କହିଥିଲେ ନବୀନ ।

ଟିଆରଏସ କହିଛି କଂଗ୍ରେସ ସହ କୌଣସି ପରିସ୍ଥିତିରେ ଗୋଟିଏ ମଞ୍ଚରେ ଏକାଠି ହେବନି ଦଳ । ସମାନ କଥା ପଞ୍ଜାବର ଶିରୋମଣି ଅକାଳୀ ଦଳ ମଧ୍ୟ କହିଛି । ସେହିପରି ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଦଳ ଆପ୍ କହିଛି, ପ୍ରାର୍ଥୀ ଘୋଷଣା ପରେ ଦଳ କୌଣସି ନିଷ୍ପତ୍ତି ନେବ । ସେହିପରି ବିଜୁ ଜନତା ଦଳ ମଧ୍ୟ ବୈଠକରୁ ଦୂରେଇ ରହିଛି ।