ପୁଣି ଭୟ ବଢାଇଲାଣି ଓମିକ୍ରନ ଉପପ୍ରଜାତି: ଦେଶର ୫ଟି ରାଜ୍ୟରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ

177

କନକ ବ୍ୟୁରୋ: ପୁଣି ଭୟ ବଢାଇଲାଣି ଓମିକ୍ରନର ନୂଆ ଉପପ୍ରଜାତି । ଦେଶର ୫ଟି ରାଜ୍ୟରେ ଲଗାତାର ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଏହା ଭିତରେ ସବୁଠୁ ଆଗରେ ରହିଛି ମହାରାଷ୍ଟ୍ର । ଗତ ୨୪ ଘଂଟାରେ ମହାରାଷ୍ଟରେ ଦ୍ୱିଗୁଣ ସଂକ୍ରମିତ ଚିହ୍ନଟ ହେବା ପରେ ଚିନ୍ତା ବୃଦ୍ଧି ପାଇଛି । ବିଶେଷ କରି ଓମିକ୍ରନର ଦୁଇଟି ନୂଆ ଉପପ୍ରଜାତି “ବିଏ ଫୋର ଓ ବିଏ ଫାଇଭ” ପ୍ରଭାବରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ମେ ମାସରେ ଦୈନିକ ସଂକ୍ରମଣ ଏକ ହଜାର ତଳକୁ ରହୁଥିବାବେଳେ ଏବେ ଏହା ୯ହଜାର ପାଖରେ ପହଁଚିଲାଣି ଚଳିତବର୍ଷ ଆରମ୍ଭରେ ଓମିକ୍ରନର ଦୁଇ ଉପପ୍ରଜାତି ବିଏ ଫୋର ଓ ବିଏଫ ଫାଇଭ ଆମେରିକା ଓ ଦକ୍ଷିଣ ଆଫ୍ରିକାରେ ତାଣ୍ଡବ ରଚିଥିଲେ । ବର୍ତମାନ ଏହାର ଦ୍ୱାରା ୫ସଂକ୍ରମିତଙ୍କୁ ମୁମ୍ବାଇରୁ ଚିହ୍ନଟ କରାଯାଇଛି । ସେପଟେ ବିଏ.ଫୋର ୪୨ ଦେଶରେ ଓ ବିଏ.ଫାଇଭ ୪୭ ଦେଶରେ ପହଁଚିସାରିଲାଣି ।

ସ୍ୱାସ୍ଥ୍ୟବିଶେଷଜ୍ଞ ଆକଳନ କରିଛନ୍ତି କି ଓମିକ୍ରନ ସବ ଭ୍ୟାରିଆଂଟ ପ୍ରଭାବରେ ଦେଶରେ ଗତ ୭ଦିନ ମଧ୍ୟରେ ୫୫ଜାର ୨୩୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ଦେଶରେ ୮ହଜାର ୮୨୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆସନ୍ତୁ ନଜର ପକାଇବା ଗତ ସପ୍ତାହ ଭିତରେ କିଭଳି ଦ୍ରୁତ ଗତିରେ ଦେଶରେ ବୃଦ୍ଧି ପାଇଛି ସଂକ୍ରମଣ
୭ଦିନରେ କରୋନା ଗ୍ରାଫ

ତାରିଖ ସଂକ୍ରମିତଙ୍କ ସଂଖ୍ୟା
୮ଜୁନ ୭୨୪୦
୯ଜୁନ ୭୫୮୪
୧୦ ଜୁନ ୮୨୩୯
୧୧ଜୁନ ୮୫୮୨
୧୨ଜୁନ ୮୦୮୪
୧୩ ଜୁନ ୬୫୯୪
୧୪ ଜୁନ ୮୮୨୬
କିଛି ଦିନ ପୂର୍ବରୁ ଆଇଆଇଟି କାନପୁରରେ ଆକଳନ କରିଥିଲା କି ଜୁନ ମାସ ୩ୟ ସପ୍ତାହ ସୁଦ୍ଧା ଦେଶରେ କରୋନାର ୪ର୍ଥ ଲହର ଆସିପାରେ । ଏହା ଭିତରେ ଦେଶରେ ଯେଉଁଭଳି ଭାବେ ସଂକ୍ରମଣ ବୃଦ୍ଧି ପାଉଛି ସେଥିରୁ ୪ର୍ଥ ଲହରକୁ ନେଇ ଆଶଙ୍କା ଓ ଭୟ ଦିନକୁ ଦିନ ବଢୁଛି ।
ଆଇସିଏମଆର ଓ ନ୍ୟାଶନାଲ ଇନଷ୍ଟୁିଚ୍ୟୁଟ ଅଫ ବାଇଲୋଜିର ଏକ ଷ୍ଟଡି ଅନୁସାରେ ଡେଲଟା, ଓମିକ୍ରନ ବିରୋଧରେ ପ୍ରଭାବଶାଳୀ ହେବ ବୁଷ୍ଟର ଡୋଜ । ନୂଆ ସଂକ୍ରମିତଙ୍କ ମଧ୍ୟରେ ଅଧିକାଂଶ ବ୍ୟକ୍ତି ରହିଛନ୍ତି ଯେଉଁମାନେ କରୋନାର ଦୁଇଟି ଟିକା ନେଇ ମଧ୍ୟ ସଂକ୍ରମିତ ହୋଇଛନ୍ତି । ତେଣୁ ବୁଷ୍ଟର ଡୋଜ ଏହି ଦୁଇ ଭ୍ୟାରିଆଂଟକୁ ମାତ ଦେବାରେ ସକ୍ଷମ ହେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଆକଳନ କରୁଛନ୍ତି ।