ବଜାରକୁ ଆସିବ ‘୫ଜି’: ୪ ଜିଠାରୁ ୧୦ଗୁଣ ଅଧିକ ରହିବ ୫ଜିର ସ୍ପିଡ

169

କନକ ବ୍ୟୁରୋ: ବଜାରକୁ ଆସିବ ‘୫ଜି’ । ଏଥିପାଇଁ ସ୍ପେକ୍ଟ୍ରମ୍ ନିଲାମ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମତି ଦେଇଛନ୍ତି । ‘୫ଜି’ ସ୍ପେକ୍ଟ୍ରମ୍ ନିଲାମ ନିମନ୍ତେ ଟେଲି ଯୋଗାଯୋଗ ବିଭାଗ ପ୍ରସ୍ତାବ ଦେଇଥିଲ।। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାବିନେଟ୍ ବୈଠକରେ ସ୍ୱୀକୃତି ମିଳିଛି । ଜୁଲାଇ ଶେଷ ସୁଦ୍ଧା ଏହି ନିଲାମ ଆୟୋଜନ କରାଯିବ । ଏବେ ଆମେ ‘୪ଜି’ ବ୍ୟବହାର କରୁଛୁ । ‘୫ଜି’ ସେବା ୪ ଜିଠାରୁ ୧୦ଗୁଣ ଅଧିକ ସ୍ପୀଡ ରହିବ ।

୨୦ ବର୍ଷ ପର୍ଯ୍ୟନ୍ତ ବୈଧ୍ୟତା ଥାଇ ସମୁଦାୟ ୭୨ ଗିଗାହର୍ଜ ନିଲାମ ଡକାଯିବ । ଏହି ସେବା ଯୋଗାଇବା ପାଇଁ ସଫଳ ନିଲାମଧାରୀମାନଙ୍କୁ ‘ସ୍ପେକ୍ଟ୍ରମ୍’ ଦିଆଯିବ । ଏହି ‘୫ଜି’ ସେବା କେନ୍ଦ୍ର ସରକାରଙ୍କ ‘ଡିଜିଟାଲ୍ ଇଣ୍ଡିଆ’, ‘ଷ୍ଟାର୍ଟ-ଅପ୍ ଇଣ୍ଡିଆ’, ‘ମେକ୍ ଇନ୍ ଇଣ୍ଡିଆ’କୁ ଆଗକୁ ବଢାଇବାରେ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ବୋଲି ସରକାର ବିଚାର କରୁଛନ୍ତି । ଏବେ ମୋବାଇଲ୍ ବ୍ରଡ୍ବ୍ୟାଣ୍ଡ ସାଧାରଣ ନାଗରିକଙ୍କ ଜୀବନର ଅବିଚ୍ଛେଦ୍ୟ ଅଂଶ । ୨୦୧୫ରୁ ଦେଶରେ ‘୪ଜି’ ସେବା ସମ୍ପ୍ରସାରଣ କରାଯାଇ ଏହାର ଗୁରୁତ୍ୱ ବୃଦ୍ଧି କରାଯାଇଛି । ୨୦୧୪ରେ ୧୦ କୋଟି ଗ୍ରାହକ ଥିବା ବେଳେ ଆଜି ୮୦ କୋଟି ଗ୍ରାହକଙ୍କ ବ୍ରଡ୍ବ୍ୟାଣ୍ଡ୍ ସେବା ପାଇ ପାରୁଛନ୍ତି ବୋଲି ସରକାର କହିଛନ୍ତି ।