ମନେ ରହିବେ ମାଲକାନଗିରିର ସହିଦ ରମେଶ : ବିରତ୍ୱର ଗାଥା ଅମର କରିବାକୁ ଆଗେଇ ଆସିଲେ ସାଥୀ ଯବାନ, ଗାଁର ରାସ୍ତାକୁ ତାଙ୍କ ନାଁରେ ନାମିତ କରିବାକୁ ଜିଲ୍ଲାପାଳଙ୍କ ସହ ଆଲୋଚନା

121

କନକ ବ୍ୟୁରୋ : ଚିର ସ୍ମରଣୀୟ ସହିଦ ଯବାନଙ୍କ ବିରତ୍ୱର ଗାଥା । ସହିଦ ଯବାନଙ୍କୁ ଶ୍ରଦ୍ଧାଂଜଳି ଜଣାଇବା ସହ ଦେଶ ମାତୃକା ପାଇଁ ତାଙ୍କର ଅବଦାନକୁ ଚିର ସ୍ମରଣୀୟ କରିବାକୁ ଆଗେଇ ଆସିଛି ପୁଲିସ ଓ ବିଭିନ୍ନ ସୁରକ୍ଷ ବାହିନୀ । ସହିଦଙ୍କ ଗାଁ କିମ୍ବା ବିଦ୍ୟାଳୟରେ ପ୍ରତିମୂର୍ତୀ ସହ ଥାନାରେ ସହିଦ ଗ୍ୟାଲାରୀ ସ୍ଥାପନ କରିବାକୁ ଅଂଟା ଭିଡିଛି ପୁଲିସ । ଆଉ ୧୧ ବର୍ଷ ପରେ ମାଲକାନଗିରିର ସହିଦ ସିଆର୍ପିଏଫ୍ ଯବାନ ରମେଶ ହାଲୱାଙ୍କୁ ଶ୍ରଦ୍ଧାଂଜଳି ଜଣାଇବା ଲାଗି ଯେତେବେଳେ କୋବ୍ରା ବାହିନୀର ଅଧିକାରୀମାନେ ପହଁଚି ଥିଲେ, ସେତେବେଳେ ଭାବ ବିହ୍ୱଳ ହୋଇ ପଡିଥିଲେ ପରିବାର ଲୋକେ ।

୧୧ ବର୍ଷ ପରେ ପୁଅ ବେଶରେ ଘରକୁ ଆସିଛନ୍ତି ସାଥୀ ଯବାନ । ଆଉ ଭେଣ୍ଡିଆ ପୁଅକୁ ମନେ ପକାଇବା ସହ ବର୍ଦ୍ଦି ଧାରି ଯବାନଙ୍କୁ ପାଖରେ ପାଇ କୋହ ସମ୍ଭାଳି ପାରୁନାହାନ୍ତି ସହିଦଙ୍କ ମାଆ । ୨୦୦୯ ସେପ୍ଟେମ୍ବର ୨୯ରେ ଜାମ୍ମୁ କାଶ୍ମୀର ସାପୋର୍ ଠାରେ ଆତଙ୍କବାଦୀ ହମଲାରେ ସହିଦ ହୋଇଥିଲେ ମାଲକାନଗିରିର ରମେଶ ହାଲୱା । ଆଉ ଏବେ ସହିଦଙ୍କ ଘରକୁ ଯାଇ ଶ୍ରଦ୍ଧାଂଜଳି ଜଣାଇଛନ୍ତି ବିଭାଗୀୟ ଅଧିକାରୀ ଓ ଯବାନ । ସୁନାବେଡା ସ୍ଥିତ କୋବ୍ରା ବାଟାଲିୟନର ଅଧିକାରୀ ଓ ଯାବନମାନେ ସହିଦ ରମେଶଙ୍କ ପରିବାରକୁ ସମ୍ମାନିତ କରିବା ସହ ସେ ପୁଢୁଥିବା ବିଦ୍ୟାଳୟରେ ତାଙ୍କ ବୀରତ୍ୱର ଗାଥା ବଖାଣିଛନ୍ତି । ଏହାସହ ସ୍କୁଲରେ ରମେଶଙ୍କ ପ୍ରତିମୂର୍ତି ସ୍ଥାପନ କରିବା ସହ ଜିଲ୍ଲାରେ କୌଣସି ଏକ ରାସ୍ତାରୁ ତାଙ୍କ ନାଁରେ ନାମିତ କରିବାକୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ବିଭାଗୀୟ ଅଧିକାରୀ ।

ସେହିପରି ଓଡିଶା ପୁଲିସ ପକ୍ଷରୁ ମଧ୍ୟ ସହିଦ ଯବାନଙ୍କ ସ୍ମୃତିକୁ ସାଉଁଟି ରଖିବା ଲାଗି ଭିନ୍ନ ଭିନ୍ନ ପଦକ୍ଷେପ ନିଆଯାଉଛି । ସହିଦଙ୍କ ଅଂଚଳ ଥାନା ପରିସରରେ ଯବାନଙ୍କ ଫଟୋ ଚିତ୍ରକୁ ନେଇ ଏକ ସହିଦ ଗ୍ୟାଲାରୀ ସ୍ଥାପନ କରାଯାଇଛି । ଏଥିସହ ସହିଦମାନଙ୍କ ଉଦେ୍ଧଶ୍ୟରେ ଆସୁଥିବା ସମସ୍ତ ସରକାରୀ ଅନୁଦାନ ଓ ସହାୟତ, ସହିଦ ପରିବାର ନିକଟରେ ପହଁଚିଛି ନାଁ  ନାହିଁ, ତା’ଉପରେ ବିଶେଷ ଦୃଷ୍ଟି ଦେଇଛି ଓଡିଶା ପୁଲିସ ।

ଦେଶର ସମସ୍ତ ସୁରକ୍ଷା ଏଜେନ୍ସି କିମ୍ବା ରାଜ୍ୟ ପୁଲିସର ଯବାନମାନଙ୍କ ସ୍ମୃତି ଓ ବୀରତ୍ୱର ଗାଥାକୁ ଉଦ୍ୟବିତ ରଖିବା ସହ ପରିବାର ବର୍ଗ ଯେମିତି ଅବେହେଳିତ ନ ହୁଅନ୍ତୁ, ସେଥିପ୍ରତି ନଜର ରଖିବା ପାଇଁ ଅକ୍ଟୋବର ୨୧ରେ ଜାତୀୟ ସହିଦ ଦିବସ ଅବସରରେ ନିର୍ଦେଶ ଜାରି କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଣାଳୟ ।