୨୦ ବର୍ଷ ପରେ ଗାଦି ଛାଡିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ । ଭୟାନକ ରୋଗରେ ସଂକ୍ରମିତ ହେବା ପରେ ଗାଦି ଛାଡିବାକୁ ନିଷ୍ପତ୍ତି

1,562

କନକ ବ୍ୟୁରୋ : ୨୦ ବର୍ଷରେ ଗାଦି ଛାଡିବେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ । ଭୟାନକ ପେରିକସିନ ରୋଗରେ ପୀଡିତ ହେବା ପରେ ୬୮ ବର୍ଷିୟ ପୁତିନ ଗାଦି ଛାଡିବେ ବୋଲି ସୂଚନା ମିଳିଛି ।  ପୁତିନ୍ ୨୦ ବର୍ଷ କ୍ଷମତାରେ ରହିବା ପରେ ଜାନୁଆରୀ ୨୦୨୧ ରେ ପଦ ଛାଡିବେ ବୋଲି ଜଣାପଡିଛି । ପୁତିନଙ୍କୁ ଭୟାନକ ପେରିକସିନ ରୋଗର ଲକ୍ଷଣ ଦେଖା ଦେଇଛି । ଏହାକୁ ନେଇ ପୁତିନଙ୍କ ଗାର୍ଲଫ୍ରେଣ୍ଡ ଆଲିନା କେଭବା ପଦ ଛାଡିବାକୁ ପୁତିନଙ୍କୁ ମନାଇଛନ୍ତି ।

ଋଷର ବାମପନ୍ଥୀ ଶାସକ ଷ୍ଟାଲିନଙ୍କ ପରେ ସବୁଠାରୁ ଲମ୍ବା ସମୟ ପାଇଁ ଋଶର ରାଷ୍ଟ୍ରପତି ପଦରେ ପୁତିନ୍ ରହିଛନ୍ତି । ଏହାସହ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋଆବେ ବି ସ୍ୱାସ୍ଥ୍ୟଗତ କାରଣ ପାଇଁ ପଦ ଛାଡି ସାରିଛନ୍ତି । ଏକ ଆନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଭ୍ଲାଦିମିର ପୁତିନ୍ ଆସନ୍ତା ବର୍ଷ ଆରମ୍ଭରୁ ରାଷ୍ଟ୍ରପତି ପଦ ଛାଡିବା ସହ ରାଜନୀତିରୁ ସନ୍ୟାସ ନେବାକୁ ପ୍ରସ୍ତୁତ ହେଉଥିବା କୁହାଯାଇଛି । ଋଷ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସୂତ୍ରରୁ ଖବର ମୁତାବକ ପୁତିନଙ୍କ ଠାରେ ଭୟାନକ ପେରିକସିନ ରୋଗର ଲକ୍ଷଣ ଦେଖା ଦେଇଛି । ଏନେଇ ତାଙ୍କର ଗାର୍ଲଫ୍ରେଣ୍ଡ ଅତ୍ୟାଧିକ ଚାପରେ ଥିବା ବେଳେ ପୁତିନଙ୍କୁ ପଦ ଓ ରାଜନୀତିରୁ ସନ୍ୟାସ ନେବାକୁ ପ୍ରବର୍ତ୍ତାଇଛନ୍ତି । ପୁତିନ ଯେତେବେଳେ ନିଜ ଚେୟାରରେ ବସୁଛନ୍ତି ସେତେବେଳେ ସେ ବାରମ୍ବାର ନିଜ ଶରୀରକୁ ହଲାଉଛନ୍ତି । ଏହା ସହ ଅଚାନକ ତାଙ୍କ ପାଦ ଓ ହାତର ଆଙ୍ଗୁଳି ଗୁଡିକ ଥରୁଛି ।

ପୁତିନ ରାଷ୍ଟପତି ପଦରୁ ଅବ୍ୟାହତ ନେଉଥିବା କଥା ଗତ ସପ୍ତାହରେ ପ୍ରଚାରିତ ହୋଇଥିଲା ଯେତେବେଳେ କି ଋଷ ସଂସଦରେ ଏକ ନୂତନ ଆଇନ ପାରିତ କରାଯାଇଥିଲା । ଯେଉଁ ଆଇନ ବଳରେ ପୁତିନ ଇସ୍ଥଫା ଦେବା ପରେ ବି ଆଜୀବନ ସିନେଟରେ ସଦସ୍ୟ ରହିବାକୁ ସ୍ଥିର କରାଯାଇଥିଲା । ଏହି ଆଇନ ବଳରେ ପୁତିନ୍ କୌଣସି ମାମଲାରୁ ବଂଚିତ ରହିବା ସହ ସେ ବଂଚିଥିବା ଯାଏ ରାଷ୍ଟ୍ରପତି ମାନେ ପାଉଥିବା ସମସ୍ତ ସୁବିଧା ସୁଯୋଗ ତାଙ୍କୁ ଯୋଗାଇ ଦିଆଯିବ ।