କେନ୍ଦୁଝର : ଆଗକୁ ଦୀପାବଳି : ଦୀପ ତିଆରିରେ ଲାଗିପଡିଛନ୍ତି କୁମ୍ଭାର ପରିବାର

171

କନକ ବ୍ୟୁରୋ : ଆଗକୁ ଆଲୋକର ପର୍ବ ଦୀପାବଳୀ । ଦୀପାବଳୀ ଦିନ ଘରେ ମାଟି ଦୀପରେ ଦୀପାଳି ଜାଳିଲେ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ମାଟି ଦୀପ ତିଆରି କରିବାରେ ଲାଗି ପଡିଛନ୍ତି କାରିଗର ।

ଅନ୍ଧାର ଉପରେ ଆଲୋକର ବିଜୟ ପର୍ବ, ଦୀପାବଳୀ । ଦୀପାବଳିରେ ଦୀପଜାଳି ବା ସହ ବାଣ ଫୁଟାଇ ଉତ୍ସବ ମନେଇବା ପାଇଁ ସବୁଆଡେ ଜୋରଦାର ପ୍ରସ୍ତୁତି । ଏହାରି ଭିତରେ କିନ୍ତୁ କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅଶେଇଁକଳା ଓ ସାନବଡବିଲର କୁମ୍ଭାର ପରିବାରକୁ ତର ନାହିଁ । ମାଟି ଦୀପ ନିର୍ମାଣରେ ଲାଗି ପଡିଛନ୍ତି ଏହି ଦୁଇ ଗାଁର କାରିଗର ପରିବାର । ମାଟିରେ ଦୀପ ତିଆରି କରି ସେଥିରେ ରଙ୍ଗ ଦେଇ ଭାଟିରେ ପୋଡିବା ପରେ ବଜାରରେ ବିକ୍ରି କରିଥାନ୍ତି ଏମାନେ ।

ମାଟିର ପାତ୍ର ତିଆରି କରି ପରିବାର ପ୍ରତିପୋଷଣ କରୁଥିବା ଅଶେଇଁକଳା ଓ ସାନବଡବିଲର ୫ ପରିବାର ଏବେ ଚିନ୍ତାରେ ପଡିଛନ୍ତି । କାରଣ ଦିନେ ମାଟି ତିଆରି ସାମଗ୍ରୀର ଚାହିଦା ଥିବା ବେଳେ ଏବେ ମାର୍କେଟରେ ମିଳୁଥିବା ପ୍ଲାଷ୍ଟିକ ସାମଗ୍ରୀର ଚାହିଦା ବଢିଛି । ଫଳରେ ମାଟି ତିଆରି ହାଣ୍ଡି, ମାଠିଆ ଓ ମାଟି ଦୀପ ଭଳି ସାଗ୍ରୀର ଉଚିତ ପାଉଣା ମିଳୁନଥିବା ଅଭିଯୋଗ ହୋଇଛି । ସେପଟେ ଅଭିଯୋଗ ଆସିଲେ ଘଟଣାର ଅନୁଧ୍ୟାନ କରାଯାଇ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ପ୍ରଶାସନିକ ଅଧିକାରୀ ।

ପିଢି ପିଢି ଧରି ମାଟିରେ ନିର୍ମିତ ସମାଗ୍ରୀ ବିକ୍ରି କରି, ପରିବାର ପ୍ରତିପୋଷଣ କରୁଥିବା ପରିବାରର ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନିଆଯିବା ଜରୁରୀ ।