ଦେଶର ସର୍ବୋତ୍ତମ ସମ୍ବଲପୁରର କୁଚିଣ୍ଡା ଲଙ୍କା । ଲଙ୍କାର ମାନ ଉନ୍ନତ ନେଇ ଦୁଇଟି ଲ୍ୟାବରୁ ଆସିଲା ରିପୋର୍ଟ । ଜିଆଇ ଟ୍ୟାଗ ପାଇବା ନେଇ ଫିଟିଲା ବାଟ

272

କନକ ବ୍ୟୁରୋ: ଦେଶରେ ପ୍ରତିଟି ପ୍ରାନ୍ତରେ ଉପାଦନ ହେଉଥିବା ଲଙ୍କାଠାରୁ ସମ୍ବଲପୁର କୁଚିଣ୍ଡାର ଲଙ୍କା ସର୍ବୋତ୍ତମ । ରାଗ ଯେମିତି, ସ୍ୱାଦ ବି ସେମିତି । ଆଉ ଏହି ଅଞ୍ଚଳରୁ ଉତ୍ପାଦନ ହେଉଥିବା ଲଙ୍କା ଏବେ ଜିଆଇ ଟ୍ୟାଗ୍ ମାନ୍ୟତା ପାଇବାର ଆଶା ଉଜ୍ଜଳ ହୋଇଛି । କୁଚିଣ୍ଡା ଅଞ୍ଚଳର ଲଙ୍କା ଗୁଣବତ୍ତା ନେଇ ଦୁଇଟି ଲ୍ୟାବକୁ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଉନ୍ନତ ମାନର ବୋଲି ଏହାର ରିପୋର୍ଟ ଆସିଛି । ଯାହାକୁ ନେଇ କୁଚିଣ୍ଡା ଅଞ୍ଚଳର ଲଙ୍କା ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

  • କୁଚିଣ୍ଡା ଲଙ୍କା ଦେଶର ସର୍ବୋତ୍ତମ
  • ଦୁଇଟି ଲ୍ୟାବରୁ ଆସିଲା ଗୁଣବତ୍ତା ରିପୋର୍ଟ
  • ଜିଆଇ ଟ୍ୟାଗର ମାନ୍ୟତା ଆଶା ଉଜ୍ଜଳ

ରାଜାରାଜୁଡା ଅମଳରୁ ଅର୍ଥକାରୀ ଫସଲ ଭାବେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ଲଙ୍କା ଚାଷ କରାଯାଉଛି । ଲଙ୍କାର ଗୁଣବତା ନେଇ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ୨ଟି ପରୀକ୍ଷାଗାରରୁ ସର୍ବୋତ୍ତମ ଗୁଣବତ୍ତାର ରିପୋର୍ଟ ଆସିଛି । ସ୍ପାଇସ ବୋର୍ଡ଼ ଅଫ କୋଚି ଏବଂ ଚେନ୍ନାଇ ସ୍ଥିତ ଏସଜିଏସ ଲ୍ୟାବ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଆଉ ଜିଆଇ ଟ୍ୟାଗ୍ ପାଇଁ ଆଶା ଉଜ୍ଜଳ ହୋଇଛି । କୁୁଚିଣ୍ଡା ଅଞ୍ଚଳର ଲଙ୍କା ଜିଆଇ ଟ୍ୟାଗ ମାନ୍ୟତା ପାଇବାକୁ ଯାଉଥିବା ବେଳେ ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

ଲଙ୍କା ଚାଷ କରି ପରିବାର ପ୍ରତିପୋଷଣ କରନ୍ତି କୁଚିଣ୍ଡା ଅଞ୍ଚଳର ଅଧିକାଂଶ ଚାଷୀ । କିନ୍ତୁ ଜଳସେଚନର ଅଭାବ, ବଜାର ସୁବିଧା, ସରକାରୀ ପ୍ରୋତ୍ସାହନ ଅଭାବରୁ ଧୀରେ ଧୀରେ ଚାଷ ପ୍ରତି ଲୋକେ ବିମୁଖ ହେଉଛନ୍ତି । ଅନ୍ୟପଟେ ଚାଷୀଙ୍କ ଉନ୍ନତି ପାଇଁ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଚିଲ୍ି ପ୍ରୋସେସିଙ୍ଗ ୟୁନିଟ୍ କରାଯାଇଛି । ହେଲେ ତାହା ଠିକ୍ ଭାବେ ପରିଚାଳିତ ହେଉନାହିଁ । ଆଗକୁ ଲଙ୍କା ଚାଷୀଙ୍କୁ ତାଲିମ, ପ୍ରୋତ୍ସାହନ ଦିଆଯିବା ସହିତ ଲଙ୍କା ଚାଷ ପାଇଁ ସଚେତନ କରାଯିବାର ଯୋଜନା ରହିଥିବା କହିଛନ୍ତି ନିୟନ୍ତ୍ରୀତ ବଜାର କମିଟିର ସମ୍ପାଦକ ।

ଲଙ୍କା ଚାଷ ପାଇଁ ଆନ୍ଧ୍ର ପ୍ରଦେଶର ଗୁଂଟୁର ସାରା ଦେଶରେ ସ୍ୱତନ୍ତ୍ର ଖ୍ୟାତି ରଖିଛି । ଏହି କ୍ରମରେ ଓଡ଼ିଶାର କୁଚିଣ୍ଡା ଲଙ୍କା ଗୁଣବତାରେ ସ୍ୱତନ୍ତ୍ର ପ୍ରସିଦ୍ଧି ଆଣିବା ରାଜ୍ୟ ପାଇଁ ଗର୍ବର ବିଷୟ ହୋଇଛି ।