ଆହାର ଯୋଗାଉଛି ଜଙ୍ଗଲ ଜାତ ଦ୍ରବ୍ୟ। ଟୋଲ ବିକି ସ୍ୱାବଲମ୍ବୀ ମାଲକାନଗିରରି ଆଦିବାସୀ ପରିବାର।

136

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାରେ କୋୟା, ଗାଦବା, ଦିଦାୟୀ ପରି ଭିନ୍ନ ଭିନ୍ନ ପ୍ରଜାତିର ଜନଜାତିର ଲୋକେ ବସବାସ କରନ୍ତି । ଅତିସରଳ ଏମାନଙ୍କ ଜୀବନଧାରା । ଆଉ ପ୍ରକୃତି ଓ ପରିବେଶ ଉପରେ ନିର୍ଭରଶୀଳ ଏହି ବନବାସୀ ମଣିଷମାନେ । ତେଣୁ ବର୍ଷ ତମାମ ଜଙ୍ଗଲ ଓ ପ୍ରକୃତିକ ପରିବେଶରୁ ମିଳୁଥିବା ସାମଗ୍ରୀ ଉପରେ ନିର୍ଭର ଏମାନଙ୍କ ଚାଲିଚଳନ । ଏଇ ଯେମିତି ଦିନ କେଇଟା ପୂର୍ବରୁ ଜଙ୍ଗଲରୁ ମହୁଲ ସଂଗ୍ରହ କରୁଥିଲେ । ଆଉ ଏବେ ସେଇ ମହୁଲଗଛର ଫଳ ବା ଟୋଲକୁ ସଂଗ୍ରହ କରି ପେଟ ପୋଷୁଛନ୍ତି ମାଲକାନଗିରି ଜିଲ୍ଲାର ଅଧିବାସୀ । ପ୍ରତି ଦିନ ସକାଳ ହେବା ମାତ୍ରେ ଜଙ୍ଗଲକୁ ଚାଲିଯାନ୍ତି ମହିଳାମାନେ । ତଣ୍ଡିକି ପଞ୍ଚାୟତର ତୋଙ୍ଗଗୁଡା ଗାଁର ମହିଳାମାନେ ଟୋଲ ସଂଗ୍ରହ କରୁଥିବା ବେଳେ ପୁରୁଷ ମାନେ ଗଛରୁ ଟୋଲକୁ ଝଡେଇବାରେ ସହାୟତା କରନ୍ତି ।

ଟୋଲକୁ ଘରକୁ ଆଣିବା ପରେ ଏହାର ଚୋପାଛଡାଇ ଖରାରେ ଏହାକୁ ଶୁଖେଇବା କାର୍ଯ୍ୟରେ ଲାଗନ୍ତି ପୁରା ପରିବାର । ଆଉ ଗାଁରେ ଫେରିକରିବାକୁ ଆସୁଥିବା ବ୍ୟବସାୟୀଙ୍କ ଠାରୁ ଟୋଲ ବଦଳରେ ପନିପରିବା ଓ ସୌଦାପତ୍ର ଆଦି ବଦଳାଇନିଅନ୍ତି ଏଠାକାର ଅଧିବାସୀ । ତେବେ ଆମ ରାଜ୍ୟ ତୁଳନାରେ ପଡୋଶୀ ଛତିଶଗଡରେ ଦର ଅଧିକ ଥିବାରୁ ଓଡିଶାର ଲୋକେ ସୀମା ଆରପଟକୁ ଯାଇ ଛତିଶଗଡ ଦୈନିକ ହାଟରେ ଟୋଲ ବିକ୍ରିକରନ୍ତି । ଓଡିଶାରେ ଟୋଲା ଦର ୩୫ରୁ ୩୮ ଟଙ୍କା ପ୍ରତି କିଲୋ ବିକ୍ରି ହୋଉଥିବା ବେଳେ ଛତିଶଗଡ ବୁରଦୀ ହାଟରେ ଏହା ୪୨ରୁ ୪୫ ଟଙ୍କା ଦରରେ ବିକ୍ରି ହେଉଛି । ତେଣୁ ବୁଡଦି ସହ ସୀମା ଆର ପଟେ ଥିବା ବିଭିନ୍ନ ହାଟକୁ ଯାଇ ଦୁଇ ପଇସା ରୋଜଗାର କରନ୍ତି ମାଲକାନଗିରି ଜିଲ୍ଲାର ଜନଜାତି ପରିବାର ।

ମହୁଲକୁ ଅବକାରୀ ବିଭାଗ ନିୟନ୍ତ୍ରଣ କରୁଥିବାରୁ ଏହାକୁ କିଣାବିକା କରିବା ଲାଗି ମାତ୍ରାଧିକ କଟକଣା ରହିଛି । ମହୁଲ କିଣାବିକା ଲାଗି ଲାଇସେନ୍ସ ବାବଦକୁ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ । ରାଜ୍ୟ ବାହାରେ ବିକିଲେ ୨୮ ପ୍ରତିଶତ ଟିକସ ଦେବାକୁ ପଡେ । ପରିବହନ ଲାଗି ପରମିଟ୍ ଆବଶ୍ୟକ । ତେବେ ଛତିଶଗଡରେ ପଞ୍ଜିକୃତ ବ୍ୟବସାୟୀ ଉଭୟ ଟୋଲ ଓ ମହୁଲ ସହ ସମସ୍ତ ବନଜାତ ଦ୍ରବ୍ୟ କିଣି କୃଷି ମଣ୍ଡିରେ କେବଳ ୨ ପ୍ରତିଶତ ଟିକସ ଦେଇ ମଣ୍ଡିରେ ବିକ୍ରି କରିବା ଲାଗି ସୁବିଧାରହିଛି । ତେଣୁ ଓଡିଶା ଅପେକ୍ଷା ଛତିଶଗଡରେ ବନଜାତ ଦ୍ରବ୍ୟରୁ ଉଚିତ ମୁଲ୍ୟ ମିଳେ ବୋଲି କୁହନ୍ତି ଉଭୟ ରାଜ୍ୟର ବ୍ୟବସାୟୀା