ଗାଁରେ ବନ୍ଧୁତ୍ୱର ନିଚ୍ଛକ ନିଦର୍ଶନ । ଜୟପୁର ଗଡ଼ପଦର ଓ ଏକମ୍ବା ଗାଁ ଲୋକଙ୍କ ସମ୍ପର୍କ ବର୍ଷ ବର୍ଷର

210

କନକ ବ୍ୟୁରୋ: ଯୁଗ ବଦଳିଛି, ସମୟ ବି ବଦଳିଛି, ହେଲେ ବଦଳିନି ରାଜା ରାଜୁଡ଼ା କାଳର ବନ୍ଧୁତା । ଆଜି ବି ବଞ୍ଚାଇ ରଖିଛି ୨ଟି ଗ୍ରାମର ଅତୁଟ ବନ୍ଧୁତ୍ୱକୁ । ଜଣେ କି ୨ ଜଣ ନୁହଁ ପୁରା ଗାଁ କୁ ଗାଁ ମଧ୍ୟରେ ରହିଛି ବନ୍ଧୁତା । ଆଉ ଆଜିର ଦୁନିଆକୁ ଦେଖାଉଛି ପରମ୍ପରା ଓ ସଂସ୍କାର ବାଟ । ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଳା ଜୟପୁର ବ୍ଳକ ଅଧିନରେ ଥିବା ଏକମ୍ବା ଗ୍ରାମରେ ।

ବର୍ଷ ବର୍ଷ ଧରି ଗାଁରେ ରହିଛି ଏହି ନିଆରା ସମ୍ପର୍କ । ରହିଛି ବର୍ଷ ବର୍ଷର ବନ୍ଧୁତ୍ୱ । ଯାହା ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହୁଏନି । ଜୟପୁର ବ୍ନକ ଗଡ଼ପଦର ଗାଁରେ ବାଲିଯାତ୍ରା ହେବ । ଏନେଇ ପାଖ ଗାଁ ଏକାମ୍ବକୁ ଯାଇଛନ୍ତି ନିମନ୍ତ୍ରଣ ଦେବାକୁ । ବିଭିନ୍ନ ବାଦ୍ୟର ତାଳେ ତାଳେ ନାଚି ନାଚି ଯାଉଛନ୍ତି ନିମନ୍ତ୍ରଣ ନେଇ । ଗାଁ ଭିତରେ ପ୍ରବେଶ କରିବା ମାତ୍ରେ ଏକମ୍ବା ଗାଁର ଲୋକମାନେ ମଧ୍ୟ ଆସିଥିବା ଅତିଥିଙ୍କ ଗୋଡ଼ ଧୋଇ ମୁଣ୍ଡିଆ ମାରି , ହୁଳ ହୁଳି ଦେଇ ଗାଁ ଭିତରକୁ ପାଛୋଟି ନେଇଛନ୍ତି । ପରିବାରର ଛୋଟ ଛୋଟ ପିଲା ମାନେ ଅତିଥିଙ୍କ ପାଦ ଛୁଇଁ ମୁଣ୍ଡିଆ ମାରୁଛନ୍ତି । ଗାଁ ଭିତରକୁ ପ୍ରବେଶ କରିବା ପରେ ଗାଁର ମନ୍ଦିର ନିକଟକୁ ପାଛୋଟି ନେବା ସହ ସେଠାରେ ଖାଇବା ପିଇବାର ଜମୁଛି ଆସର ।

ଏକମ୍ବା ଗାଁର ୩୦୦ ପରିବାର ଓ ଗଡ଼ ପଦର ଗାଁର ୨୬୦ ପରିବାର ମଧ୍ୟରେ ଦୀର୍ଘ ବର୍ଷର ରହିଛି ବନ୍ଧୁତ୍ୱର ସମ୍ପର୍କ । ରାଜାରାଜୁଡ଼ା କାଳରୁ ରହି ଆସିଥିବା ଏହି ଅତୁଟ ସମ୍ପର୍କ ଆଜି ବି ବଞ୍ଚିରହିଛି । ଆଉ ବର୍ତ୍ତମାନର ପିଢି ମଧ୍ୟ ତାକୁ ପାଳନ କରୁଛନ୍ତି । ଗାଁରେ ପୂଜା ଅର୍ଚ୍ଚନା ହେଉ କି ବାହାଘର, କି ଯାନିଯାତ୍ରା , ଉଭୟ ଗାଁ ଉଭୟଙ୍କୁ ଦିଅନ୍ତି ଏଭଳି ନିମନ୍ତ୍ରଣ । ବନ୍ଧୁଙ୍କ ପାଖରେ କେହି ଛୋଟ ବଡ଼ ନାହିଁ ଜାତି ଅଜାତି ନାହିଁ । ଉଭୟଙ୍କ ସୁଖ ଦୁଃଖରେ ଉଭୟ ସହଯୋଗ କରିଆସୁଛନ୍ତି । ବ୍ୟସ୍ତ ବହୁଳ ଜୀବନ ଭିତରେ ଭଲ ବନ୍ଧୁଟିଏ ସ୍ଥାୟୀ ହୋଇ ରହିବା କଷ୍ଟକର । ହେଲେ ଏହି ୨ ଗାଁ ମଧ୍ୟରେ ରହିଥିବା ଅତୁଟ ସମ୍ପର୍କ ଅନ୍ୟ ମାନଙ୍କ ପାଇଁ ପାଲଟିଛି ଉଦାହରଣ ।