ଭିନ୍ନ ଜାତିରେ ବାହା ହେଲି ବୋଲି ଅଲଗା କରିଦେଲା କଙ୍ଗାରୁ କୋର୍ଟ । ସ୍ତ୍ରୀକୁ ଛଡାଇନେଲେ, କୁଲି ବି ସଜାଇ ଦେଲେ । ଭଲ ପାଇ ମୁଁ କି ଭୁଲ କଲି…?

460

କନକ ବ୍ୟୁରୋ: ନା ଥିଲା ହୋମନିଆଁ, ନା ପଡିଥିଲା ହାତଗଣ୍ଠି । ବିନା ବରଯାତ୍ରୀ, ବିନା ବାହାବେଦୀରେ ଦୁହେଁ ଦୁହିଁଙ୍କୁ କରିଥିଲେ ବିବାହ । ମହାଦେବଙ୍କୁ ସାକ୍ଷୀ ରଖି ସାତ ଜନମର ସାଥି ପାଲଟିଥିଲେ ପ୍ରେମୀଯୁଗଳ । ଆଉ ଇଏ ହେଉଛି ଦୁଇ ପ୍ରେମପକ୍ଷୀଙ୍କ ସେହି ବିବାହ ବେଳର ମୂହୁର୍ତ୍ତ । ଭିନ୍ନ ଜାତିରେ ଭଲପାଇ ଥିବାରୁ ଯେତେବେଳେ ସେମାନଙ୍କ ପ୍ରେମକୁ କେହି ସ୍ୱୀକୃତି ଦେଲେନି ସେତେବେଳେ ଭଗବାନଙ୍କ ଆଗରେ ନିଜ ଭଲପାଇବାକୁ ବିବାହରେ ବଦଳାଇଥିଲେ ପ୍ରତାପ-ଫଗୁଣୀ ।

ହେଲେ ବିବାହର ଦିନ କେଇଟା ପରେ କଙ୍ଗାରୁ କୋର୍ଟକୁ ଟଣା ହୋଇଥିଲା ସେମାନଙ୍କ ପ୍ରେମ । ନ୍ୟାୟର ନିକିତିରେ ଭାଗ ଭାଗ ହୋଇଥିଲା ଭଲପାଇବା । ଆଉ ଶେଷରେ ଆଧୁନିକତାର ଏ ଶିକ୍ଷିତ ସମାଜରେ ଦୁଇ ପ୍ରେମୀଯୁଗଳଙ୍କୁ ବିବାହ ପରେ ବି ଅଲଗା ଅଲଗା କରିଦେଲା ଜାତିପ୍ରଥା । ପତ୍ନୀକୁ ତ ଛଡାଇନେଲେ ତା ସହ ପ୍ରେମ କରିଥିବାରୁ ୫୦ ହଜାର ଟଙ୍କା ଜରିମାନା ବି କଲେ । ପ୍ରେମ-ବିବାହ ଓ ଜାତିପ୍ରଥାକୁ ନେଇ ଏଭଳି ନିନ୍ଦନୀୟ ଘଟଣା ଆସିଛି ନବରଙ୍ଗପୁର ରାଇଘର ଅଞ୍ଚଳରୁ ।

ତେବେ ରାଇଘର ଥାନା ଖାଡେଗାଁ ଗାଁର ପ୍ରତାପ କଲାର ସେହି ଗାଁର ମଇନୁ ଗଣ୍ଡଙ୍କ ଝିଅ ଫଗୁଣୀ ଗଣ୍ଡଙ୍କୁ ପ୍ରେମ ବିବାହ କରିଥିଲେ । ହେଲେ ସେମାନଙ୍କ ଭଲ ପାଇବାକୁ ଘରଲୋକ ସମର୍ଥନ ଦେଲେ ନାହିଁ । ତେଣୁ ସେମାନେ ଗତ ଜୁନ୍ ୨୭ ତାରିଖରେ ଘରୁ ଲୁଚି ପଳାଇ ଯାଇଥିଲେ ଓ ପରେ ନୋଟାରୀ ପାଖରେ ରେଜିଷ୍ଟ୍ରି ମ୍ୟାରେଜ କରିବା ସହ ଛତିଶଗଡର ଏକ ଶିବ ମନ୍ଦିରରେ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ । ମାତ୍ର ଜାତିପ୍ରଥା ଓ କୁସଂସ୍କାରରେ ବୁଡି ରହିଥିବା ସେମାନଙ୍କ ପରିବାର ଲୋକେ ମିଛ ନାଟକ କରି ଘରକୁ ଡାକି କଙ୍ଗାରୁ କୋର୍ଟରେ ବିଚାର କରିଥିଲେ ।
ଦୁହେଁ ଭିନ୍ନ ଜାତିର ହୋଇଥିବାରୁ ସେମାନଙ୍କ ବିବାହକୁ ଗ୍ରହଣ ନକରି ପୁଣି ଅଲଗା କରି ଦିଆଯାଇଛି । ଗାଁ କଙ୍ଗାରୁ କୋର୍ଟରେ ଏକ ତରଫା ଫଇସଲା କରି ପ୍ରତାପଙ୍କ ଉପରେ ୫୦ ହଜାର ଟଙ୍କାର ଜରିମାନା ଲଗାଇ ଫଗୁଣୀକୁ ଛଡାଇ ନିଆଯାଇଛି । ସବୁଠାରୁ ଦୁଃଖଦ କଥା ହେଉଛି କଙ୍ଗାରୁ କୋର୍ଟରେ ପ୍ରତାପ ୩୨ ହଜାର ଟଙ୍କା ଜମା କରିଥିବା ବେଳେ ବାକି ପଇସା ପୈଠ କରିବାକୁ ଛତିଶଗଡରେ କୁଲି କାମ କରୁଛନ୍ତି ।

ପ୍ରେମ ପାଇଁ ନବରଙ୍ଗପୁରରୁ ଆସିଥିବା ଏ କୁତ୍ସିତ କାହାଣୀ ଦେଖିବା ପରେ ସାଧାରଣରେ ପ୍ରଶ୍ନ ଉଠୁଛି, ପ୍ରେମ କରିବା କଣ ପାପ ? ଭିନ୍ନ ଜାତିରେ ଭଲପାଇବା କଣ ଭୁଲ ? କୋର୍ଟ ମ୍ୟାରେଜ କରିବା ପରେ ବି କେମିତି ଅଲଗା କରିଦେଲା କଙ୍ଗାରୁ କୋର୍ଟ ? କୋର୍ଟଙ୍କ ଅନୁମତିଠୁ କଣ ବଳିଗଲା କଙ୍ଗାରୁ କୋର୍ଟର ନିଷ୍ପତ୍ତି? କଣ କରୁଛି ରାଇଘର ପୋଲିସ? କାହିଁକି ଏଯାଏଁ କାର୍ଯ୍ୟାନୁଷ୍ଠାନ ନେଇନି ? ଜାତି, ଧର୍ମ ଉପରକୁ ଯାଇ ପୁଅଝିଅ ଯଦି ନିଜ ଇଚ୍ଛାରେ ବିବାହ କରିବାକୁ କର୍ଣ୍ଣାଟକ ହାଇକୋର୍ଟ ଅନୁମତି ଦେଇ ପାରୁଛନ୍ତି ତେବେ ଓଡିଶାରେ କଣ ପାଇଁ ସେମାନଙ୍କ ମୌଳିକ ଅଧିକାରକୁ ଛଡାଇ ନିଆଯାଉଛି ? କେବେ ବଦଳିବ ଲୋକଙ୍କ ମାନସିକତା ? କେବେ କମିବ କଙ୍ଗାରୁ କୋର୍ଟର ନିର୍ଯାତନା? ଆଉ କେତେ ଦିନ ପ୍ରେମୀଯୁଗଳ ଜାତି ପାଇଁ, ଧର୍ମ ପାଇଁ ଅଲଗା ହେଉଥିବେ… ଆତ୍ମହତ୍ୟା କରୁଥିବେ ? ଏ ସବୁ ପ୍ରଶ୍ନର ଉତ୍ତର ଦେଇପାରିବ କି ଶିକ୍ଷିତ ସମାଜ ???