ଆମ ମନରେ ବାପା, ଆମ ପାଖରେ ବାପା… ମହାରଥୀଙ୍କ ଉପସ୍ଥିତିକୁ ଅନୁଭବ କରିବାକୁ ଅବିକଳ ଫଟୋ କରି କଲ୍ୟାଣମଣ୍ଡପ ଉଦଘାଟନ କଲେ ଝିଅ-ଜ୍ୱାଇଁ ।

728

କନକ ବ୍ୟୁରୋ: ବାପା ! ତମେ କୁଆଡେ ଯାଇନ… ଏଇଠି ଅଛ, ଆମ ସହ ଅଛ, ଆମ ପାଖରେ ରହିଛ । ତମ ଉପସ୍ଥିତି, ତମ ଆଶିର୍ବାଦ ଆମ ସହ ସବୁବେଳେ ଅଛି, ରହିଛି ଆଉ ରହିଥିବ ବି… ମୃତ୍ୟୁ ପରେ ମହାରଥୀଙ୍କ ଉପସ୍ଥିତିକୁ ଅନୁଭବ କରିବାକୁ କିଛି ଏମିତି ଢଙ୍ଗ ଆପଣାଇଛନ୍ତି ତାଙ୍କ ପରିବାର ସଦସ୍ୟ । ଯେଉଁଠି ତାଙ୍କ ସ୍ମୃତିକୁ ମନେପକାଇ ତାଙ୍କ କଟ୍ ଆଉଟ୍ କରି ଖୁସିର ମୁହୂର୍ତ୍ତକୁ ମହାରଥୀଙ୍କ ସହ ମନାଇଛନ୍ତି ସମସ୍ତେ ।

ବାପାଙ୍କ ବିନା କଣ ଶୁଭ କାର୍ଯ୍ୟ ସମ୍ଭବ । ସେଇଥିପାଇଁ ତ ତାଙ୍କ ଆବର୍ତ୍ତମାନରେ ତାଙ୍କ ଝିଅ ମହାରଥୀଙ୍କ ଅବିକଳ ଚିତ୍ର କରି ଶୁଭକାମ ଆରମ୍ଭ କରିଛନ୍ତି । ଝିଅ ପଲ୍ଲବୀ ଓ ଜ୍ୱାଇଁ ଅର୍ଦ୍ଧେନ୍ଦୁ ଭୁବନେଶ୍ୱରରେ ଏକ କଲ୍ୟାଣ୍ଡ ମଣ୍ଡପ କରିଛନ୍ତି । ଯାହାର ଶୁଭ ଉଦଘାଟନ ମହାରଥୀଙ୍କ ଦ୍ୱାରା କରାଯାଇଛି । ମହାରଥୀ ବଞ୍ଚିଥିବା ବେଳେ ଝିଅଙ୍କୁ କଲ୍ୟାଣ ମଣ୍ଡପ କଥା ପଚାରନ୍ତି ଆଉ ଝିଅ-ଜ୍ୱାଇଁ ବି ବାପାଙ୍କ ହାତରେ ଉଦଘାଟନ କରାଇବାକୁ ସ୍ୱପ୍ନ ଦେଖିଥିଲେ । ହେଲେ ସ୍ୱପ୍ନ ସତ ହେବା ଆଗରୁ ସମସ୍ତଙ୍କୁ ପର କରି ଆରପାରିକୁ ଚାଲିଯାଇଛନ୍ତି ମହାରଥୀ । କିନ୍ତୁ ମୃତ୍ୟୁ ପରେ ବି ତାଙ୍କ ସ୍ମୃତିକୁ ସେମିତି ସଜ ସଜ କରି ରଖିଛନ୍ତି ପରିବାର ସଦସ୍ୟ ।

ଏ ଫଟୋକୁ ଦେଖନ୍ତୁ ଏମିତି ଲାଗୁଛି ମହାରଥୀ ନିଜେ ଫିତା କାଟି କଲ୍ୟାଣମଣ୍ଡପର ଉଦଘାଟନ କରୁଛନ୍ତି । ଆଉ ସମସ୍ତେ ଫୁଲ ଫିଙ୍ଗି ହୁଳହୁଳି ଦେଇ ସ୍ୱାଗତ କରୁଛନ୍ତି । ଆଉ ଏଠି ହୋମ ଚାଲିଥିବା ବେଳେ ମହାରଥୀ ପଛରେ ରହି ପୂଜା ଦେଖୁଛନ୍ତି । ଝିଅ-ଜ୍ୱାଇଁ ତାଙ୍କ ସହ ଫଟୋ ଉଠାଉଛନ୍ତି । ସ୍ୱାମୀଙ୍କ ଅନୁପସ୍ଥିତି ଅନୁଭବ କରୁଥିବା ମହାରଥୀଙ୍କ ପତ୍ନୀ ତାଙ୍କ କଟ ଆଉଟ ପାଖରେ ଛିଡା ହେଲା ପରେ ତାଙ୍କ ମୁହଁରେ ଆପେ ଆପେ ହସ ବାହାରି ଆସୁଛି । ସତେ କି ତାଙ୍କ ସ୍ୱାମୀ ଏଇଠି ଅଛନ୍ତି । ପୂରା ପରିବାର ସହ ମହାରଥୀଙ୍କ ଏ କଟ ଆଉଟର ଫଟୋ ଦେଖିଲେ ଏମିତି ଲାଗୁଛି ମହାରଥୀ ଆଜି ବି ତାଙ୍କ ଗହଣରେ ରହିଛନ୍ତି ।

ତେବେ କର୍ଣ୍ଣାଟକ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଶ୍ରୀନିବାସ ଗୁପ୍ତା ନିଜ ପତ୍ନୀଙ୍କ ମହମ ମୂର୍ତ୍ତି କରି ଗୃହ ପ୍ରବେଶ କରିଥିଲେ । ଶୁଭ କାମ ପତ୍ନୀଙ୍କ ବିନା କେମିତି କରିବେ ତେଣୁ ସେ ତାଙ୍କ ସ୍ତ୍ରୀଙ୍କର ଅବିକଳ ମୂର୍ତ୍ତି କରି ଗୃହ ପ୍ରବେଶ କରିଥିଲେ । ଆଉ ଏବେ ଓଡିଶାରେ ମହାରଥୀଙ୍କ କଟ୍ ଆଉଟ୍ କରି କଲ୍ୟାଣମଣ୍ଡପର ଶୁଭ ଉଦଘାଟନ କରିଛନ୍ତି ତାଙ୍କ ଝିଅ-ଜ୍ୱାଇଁ । ମୃତ୍ୟୁ ପରେ ବି ଜଣଙ୍କୁ ମନେ ରଖିବାକୁ, ତାଙ୍କ ଉପସ୍ଥିତିକୁ ଅନୁଭବ କରାଇବାକୁ କେମିତି ଉପାୟ ଆପଣାଯାଏ ତାହା ବଡ ଘରର ବଡ ବାର୍ତ୍ତାରୁ ବୁଝି ହେଉଛି ।