ନୟାଗଡ ନୂଆଗାଁ ଅଞ୍ଚଳରେ ଆଇନକୁ ହାତକୁ ନେଲେ ଲୋକ ! ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ଧରି ନିସ୍ତୁକ ପିଟିଲେ ଗ୍ରାମବାସୀ ।

33

କନକ ବ୍ୟୁରୋ : ଜଣେ ୧୨ ବର୍ଷୀୟା ନାବାଳିକାକୁ ଅପହରଣ ଓ ପରେ ଗଣ ଦୁଷ୍କର୍ମର ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ସଂପୃକ୍ତ ନାବାଳିକା ଜଣକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେପଟେ ଲୋକଙ୍କ ହାତରେ ଧରାପଡିବା ପରେ ଜଣେ ଅଭିଯୁକ୍ତ ଯୁବକକୁ ଉତ୍ୟକ୍ତ ଲୋକ ପ୍ରବଳ ମାଡ ମାରିଛନ୍ତି । ଅନ୍ୟପଟେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ମାମଲାର ତଦନ୍ତ ଜାରି ରଖିଛି । ଘଟଣା ଘଟିଛି ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅଂଚଳରେ ।

କେତେ ସାଂଘାତିକ ହୋଇପାରେ ଲୋକଙ୍କ ଆକ୍ରୋଶ, ଏହି ଘଟଣା ହିଁ ବୟାନ କରୁଛି । ଲୋକଙ୍କ ରୋଷର ଶିକାର ହୋଇଛି ଜଣେ ଯୁବକ । ଠେଙ୍ଗା ବାଡି ଯିଏ ଯାହା ପାଇଲା, ପିଟି ଚାଲିଛି । ଆଇନକୁ ହାତକୁ ନେଇଛନ୍ତି ଶହ ଶହ ଲୋକ । ସ୍ଥାନୀୟ ପୋଲିସ ପହଂଚି ଉଦ୍ଧାର ପାଇଁ ଚେଷ୍ଟା କରୁଛି ହେଲେ ଲୋକଙ୍କ ମାଡରୁ ପୋଲିସ ବି ବର୍ତୁନାହିଁ । କଙ୍ଗାରୁ କୋର୍ଟର ଏହି ଘଟଣା ଯେତିକି ସାଂଘାତିକ, ସେତିକି ସାଂଘାତିକ ହେଉଛି ଏହି ଯୁବକଙ୍କ ବିରୋଧରେ ଅଭିଯୋଗ । ଜଣେ ନାବାଳିକାକୁ ଅପହରଣ କରିବା ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ତା’ ନାଁରେ ।

ନୟାଗଡ, ନୂଆଗାଁ ଥାନା ଅଂଚଳର ଜଣେ ନାବାଳିକା ତାର ଜଣେ ସାଙ୍ଗ ସହ ଗତକାଲି ରାତିରେ ଟ୍ୟୁସନକୁ ଯାଉଥିଲେ । ବାଟରେ ୨ଟି ବାଇକରେ ୩ ଜଣ ଯୁବକ ସଂପୃକ୍ତ ନାବାଳିକାକୁ ବାହାନା କରି ଗାଡିରେ ବସାଇ ନେଇଯାଇଥିଲେ । ଜଂଗଲିଆ ରାସ୍ତାରେ ନାବାଳିକା ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡ଼ିତାର ସାଙ୍ଗ ଠାରୁ ଜାଣିବା ପରେ ପରିବାର ଲୋକେ ସେମାନଙ୍କ ପିଛା କରିଥିଲେ । ନୂଆଗାଁ ଡିମିରିପଲ୍ଲୀ ରାସ୍ତାରେ ୩ ଜଣଙ୍କୁ କାବୁ କରିଥିବା ବେଳେ ୨ ଜଣ ଖସି ପଳାଇଥିଲେ, ହେଲେ ଲୋକଙ୍କ ହାବୁଡରେ ପଡିଥିଲା ଏହି ଯୁବକ । ଆଉ ଖାଇଥିଲା ନିର୍ଧୁମ ଛେଚା ।

ସେପଟେ ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଘଟଣା ସଂପର୍କରେ ଖବର ପାଇ ସଂପୃକ୍ତ ଯୁବକକୁ ଗିରଫ କରିଛି ନୂଆଗାଁ ପୋଲିସ । ସଂପୃକ୍ତ ନାବାଳିକାର ବାପାଙ୍କ ଏତଲା ଆଧାରରେ ମାମଲା ରୁଜୁ ହୋଇଛି । ଡାକ୍ତରୀ ମାଇନା ସହ ଅଭିଯୁକ୍ତ ଯୁବକକୁ କୋର୍ଟଚାଲାଣ କରାଯାଇଥିବା ବେଳେ ଏହି ଘଟଣା ଏବେ ନୟାଗଡ଼ ଜିଲ୍ଲାରେ ହଇଚଇ ଖେଳାଇ ଦେଇଛି ।