ଅନ୍ଧବିଶ୍ୱାସର ଅନ୍ଧଗଳି ! ପାର୍ବଣରେ ମିଳିଲା ୮ ବର୍ଷ ଶିଶୁପୁତ୍ରର ମୁଣ୍ଡ ବିହୀନ ମୃତଦେହ, ନରବଳି ସନ୍ଦେହରେ ପୁଲିସର ତନାଘନା, ଜଣେ ଅଟକ ।

35

କନକ ବ୍ୟୁରୋ : ଶାରଦୀୟ ପୂଜାକୁ ନେଇ ସବୁଆଡେ ଉତ୍ସବର ମାହୋଲ । ଧରାପୃଷ୍ଠରେ ଦେବୀ ଦଶଭୁଜାଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ବଲାଙ୍ଗିରରୁ ଏକ ନାଟକୀୟ ଘଟଣା ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ସନ୍ଦେହ କରାଯାଉଛି ପାର୍ବଣ ଅବସରରେ ଶିଶୁବଳୀ ପାଇଁ ୮ ବର୍ଷର ଶିଶୁର ମୁଣ୍ଡଗଣ୍ଡି ଅଲଗା କରି ହତ୍ୟା କରାଯାଇଛି । ପୁଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ପାର୍ବଣ ଆରମ୍ଭରେ ସାରା ରାଜ୍ୟ ଯେତେବେଳେ ଉତ୍ସବ ମୁଖର ହୋଇ ଉଠୁଥିଲା, ସେତେବେଳେ ବଲାଙ୍ଗୀର ବଙ୍ଗୋମୁଣ୍ଡା ବ୍ଲକରେ ଏପରି ଘଟଣା ସାମ୍ନାକୁ ଆସିଲା ଯାହା ସମସ୍ତଙ୍କ ଛାତି ଥରାଇ ଦେଇଥିଲା । ଘଟଣା ଯେତିକି ନାଟକୀୟ ଥିଲା, ସେତିକି ଥିଲା ହୃଦୟ ବିଦାରକ ।

ପାର୍ବଣରେ ନରବଳି । ନାବାଳକ ମିଥୁନଙ୍କ ମୁଣ୍ଡ-ଗଣ୍ଡି ଅଲଗା । ମିଥୁନର ବୟସ ୮ ବର୍ଷ । ଜୀବନ କ’ଣ ବୁଝିବା ପୂର୍ବରୁ ଲିଭିଯାଇଛି ତା’ର ଜୀବନ । ତା’ର ମୁଣ୍ଡ ଗଣ୍ଡି ଅଲଗା କରି ବାଲିରେ ପୋତି ଦିଆଯାଇଥିଲା ମୃତଦେହ । ମୃତଦେହ ମିଳିବା ପରେ ପାରପାଶ୍ୱିର୍କ ସ୍ଥିତିରୁ ବଳି ସଂଦେହ ଦୃଢିଭୂତ ହେଉଛି । କାରଣ ଜଣେ ନିଷ୍ପାପ ଶିଶୁକୁ ଏପରି ମୁଣ୍ଡ କାଟି ଜଘନ୍ୟ ଭାବେ ହତ୍ୟା କରାଯିବାର ଅନ୍ୟ ଉଦ୍ଦେଶ୍ୟ ବୁଝାପଡୁନାହିଁ ।

୧୬ ତାରିଖ, ସକାଳ । ସ୍ଥାନ: ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରଲା ନାଳ । ସକାଳୁ ସକାଳୁ ଗନ୍ଧରଲା ନାଳ ନିକଟରେ ଗୋଟିଏ ଶିଶୁର ପୋତା ହୋଇଥିବା ମୃତଦେହ ଦେଖି ଚମକି ପଡିଲେ ଗାଁ ଲୋକ । ମୃତଦେହର କିଛି ଅଂଶ ଦେଖି ଗାଁ ଚୌକିଦାର ଓ ପୋଲିସକୁ ଖବର ଦେଇଥିଲେ ଗାଁ ଲୋକ । ବାଲି ଖୋଳିବା ପରେ ବାହାରିଲା ମୁଣ୍ଡ ବିହୀନ ଶିଶୁର ମୃତଦେହ । ଆଉ କିଛି ଖୋଳିବା ପରେ ବାହାରିଲା ଶିଶୁର ମୁଣ୍ଡ । ଏ ଏଭଳି ଦୃଶ୍ୟ ଥିଲା ଉପସ୍ଥିତ ଲୋକଙ୍କ ଦେହ ଶିତେଇ ଉଠିଥିଲା । ଜଣାପଡିଥିଲା, ମୃତଦେହଟି ଦୁଇ ଦିନ ତଳେ ନିଖୋଜ ହୋଇଥିବା ମିଥୁନର ।

ଗତ ଶନିବାର ସଂଧ୍ୟା ୫ଟାରେ ସିନେ୍ଧକେଲା ରଣାପଡ଼ାର ଅଣ୍ଡା ଦୋକାନୀ ହୀରା ରଣାଙ୍କ ପୁଅ ମିଥୁନ ଦୋକାନରୁ ଘରକୁ ଫେରିଥିଲା । ହେଲେ ପୁଅ ଘରକୁ ନଫେରିବାରୁ ରବିବାର ଦିନ ଥାନାରେ ଅଭିଯୋଗ କରିଥିଲେ ବାପା-ମାଆ । ପୁଅକୁ ଖୋଜି ଖୋଜି ନୟାନ୍ତ ହେବା ପରେ ଶେଷକୁ ମିଳିଥିଲା ପୋତା ହୋଇଥିବା ମୃତଦେହ । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସିନେ୍ଧକେଲା ଅଂଚଳରେ ଏବେ ବି ରହିଛି ଗୁଣି ଗାରେଡି ଓ ଅନ୍ଧବିଶ୍ୱାସ ଘେରରେ । ପୂର୍ବରୁ ମଧ୍ୟ ଏହି ଅଂଚଳରୁ ନରବଳି ଅଭିଯୋଗ ଆସିଛି । ଅନ୍ଧବିଶ୍ୱାସର ଏହି ଅନ୍ଧଗଳିରେ ପୁଣି ଜଣେ ନାବାଳକର ଜୀବନ ଯାଇଥିବା ସଂଦେହ ଦୃଢ଼ ହେବାରେ ଲାଗିଛି । ପୂରା ରହସ୍ୟ ଖୋଲିବାକୁ ସାଇଂଟିଫିକ୍ ଟିମ୍ ସହ ତନାଘନା ଚଳାଇଛି ପୋଲିସ ।