କଲମା ବ୍ୟାରେଜର ଓଡିଶା ଉପରେ ପ୍ରଭାବ : ଜାନୁଆରୀ ମାସରେ ସରୁଧାର ହେଲାଣି ମହାନଦୀ; ଜୀବନଜୀବିକା ହରାଉଛନ୍ତି ନଦୀକୂଳବାସୀ

ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଲା କନକ ନ୍ୟୁଜ୍

115

କନକ ବ୍ୟୁରୋ : କିପରି କଲମା ବ୍ୟାରେଜରେ ଛତିଶଗଡ଼ ମହାନଦୀ ପାଣି ଅଟକାଇଛି, ଗୁଗୁଲ ଆର୍ଥ ଚିତ୍ରରୁ ସ୍ପଷ୍ଟ ଜଣା ପଡିବା ପରେ ସ୍ଥିତି ପରଖିଥିଲା କନକ ନ୍ୟୁଜ୍ ଟିମ୍ । ଛତିଶଗଡ଼ ପଟେ ଉଛୁଳୁଛି ପାଣି, ଓଡ଼ିଶା ପଟ ଶୁଖିଲା ପଡିଛି । କେବଳ ପାଣିର ଏକ ପତଳା ସୁଅ ଓଡିଶା ଆଡକୁ ଆସୁଛି । ଜାନୁଆରୀ ମାସରେ ଝାରସୁଗୁଡ଼ାରେ ମହାନଦୀର ବାସ୍ତବ ଚିତ୍ରକୁ କ୍ୟାମେରାରେ କଏଦ କରିଛି କନକ ନ୍ୟୁଜ୍ ଟିମ୍ । ଏହି ସମୟରେ ମହାନଦୀ ପାଣିରେ ଭରପୂର ରହିବା କଥା, ହେଲେ ଏବେ ଶୁଖି ଆସୁଥିବା ଧାର ବହୁଛି । ଶୀତ ଯାଇନାହିଁ, ଚାଷ ଜମି ଶୁଖିବା ଆରମ୍ଭ ହୋଇଗଲାଣି । ଆଗକୁ କ’ଣ ହେବ, ଏହି ଚିନ୍ତା ସ୍ଥାନୀୟ ଲୋକଙ୍କୁ ଘାରିଛି ।

ବର୍ଷ ବର୍ଷ ଧରି ମହାନଦୀ ଉପରେ ନିର୍ଭର କରି ପରିବାର ଚଳାଇଥାନ୍ତି ମତ୍ସ୍ୟଜୀବୀ । ଏହି ସମୟରେ ମହାନଦୀରୁ ପ୍ରବଳ ମାଛ ଧରିଥାନ୍ତି ଏମାନେ । କିନ୍ତୁ କଲମା ବ୍ୟାରେଜ କରି ଛତିଶଗଡ଼ ପାଣି ଅଟକାଇବା ପରେ ସ୍ଥିତି ବଦଳି ଯାଇଛି । କେବଳ ବର୍ଷା ଦିନରେ ମାଛ ମାରୁଛନ୍ତି, ଅନ୍ୟ ଦିନରେ ମୂଲ ମଜୁରି ଲାଗି କୁଟୁମ୍ବ ପୋଷୁଛନ୍ତି ମତ୍ସ୍ୟଜୀବୀ । ଝାରସୁଗୁଡ଼ାରେ ବହି ଯାଇଥିବା ମହାନଦୀ କୂଳରେ ଥିବା ଗାଁଗୁଡିକର ଏ ହେଉଛି ଚିତ୍ର । ଘରେ ଜାଲ ଥୁଆ ହୋଇଛି, କାଁ ଭାଁ ମାଛ ଧରିବାକୁ ଲୋକେ ଯାଉଛନ୍ତି । ପାଣି କମି କମି ଆସୁଥିବାରୁ ମାଛ ଧରି ଜୀବିକା ନିର୍ବାହ କରିବା ପାଇଁ ଭରସି ପାରୁନାହାନ୍ତି ମତ୍ସ୍ୟଜୀବୀ ।

ମହାନଦୀ ପ୍ରସଙ୍ଗକୁ ନେଇ ବେଶ ହୋ-ହଲ୍ଲା ହୋଇଛି । ଛତିଶଗଡ ମହାନଦୀ ପାଣିକୁ ଅଟକାଇଛି ବୋଲି ଅଭିଯୋଗ ଓ ଦିଲ୍ଲୀରେ ଏହାକୁ ନେଇ ତମ୍ବି ତୋଫାନ ହେବା ପରେ ମଧ୍ୟ ଏଥିରେ କିଛି ପରିବର୍ତ୍ତନ ଆସିନାହିଁ । ଯଦି ମୌସୁମୀ ଠିକ ସମୟରେ ଆସିବ ନାହିଁ, ତେବେ ହୀରାକୁଦ ଜଳଭଣ୍ଡାର ମଧ୍ୟ ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । କଲମା ବ୍ୟାରେଜରେ ଏତେ ପରିମାଣର ପାଣି ଅଟକାଇବା ପଛର କାରଣ ହେଉଛି, ଛତିଶଗଡ ସରକାର ଶିଳ୍ପାନୁଷ୍ଠାନ ଗୁଡିକୁ ପ୍ରଚୁର ପରିମାଣରେ ପାଣି ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ପାଣି ଅଟକାଇ ଏହି ପ୍ରତିଶ୍ରୁତି ପୂରଣ କରୁଛି ଛତିଶଗଡ଼ । ଏପଟେ ଓଡିଶା ପଟର ମହାନଦୀରେ ମତ୍ସ୍ୟଜୀବୀମାନେ ମଧ୍ୟ ମାଛ ଧରିପାରୁ ନାହାନ୍ତି । ଖରାଦିନେ ମହାନଦୀ ପାଣି ଉପରେ ନିର୍ଭର କରି ଚାଷ କାମ ହୋଇଥାଏ । ହେଲେ ଏବେ ସ୍ଥିତି ପୂରା ବଦଳି ଗଲାଣି ।