ଆଇନ ପ୍ରତ୍ୟାହାର ଦାବିରେ ଅଟଳ ଆନ୍ଦୋଳନକାରୀ : ଆଜି ଚାଷୀନେତାଙ୍କ ବୈଠକ; ସରକାରଙ୍କ ପ୍ରସ୍ତାବ ଉପରେ ହେବ ଆଲୋଚନା

57

କନକ ବ୍ୟୁରୋ : ଦିଲ୍ଲୀରେ ଚାଷୀ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିନା କୌଣସି ସମାଧାନରେ ଶେଷ ହୋଇଛି ଦଶମ ରାଉଣ୍ଡ ବୈଠକ । ଏହି ବୈଠକରେ ୩ଟି ନୂଆ କୃଷି ଆଇନକୁ ପ୍ରତ୍ୟାହାର ନେଇ ଦାବିରେ ଅଟଳ ରହିଥିଲେ ଚାଷୀ ସଂଗଠନ । କେନ୍ଦ୍ର ସରକାର ଆଇନକୁ ବର୍ଷକରୁ ଦେଢବର୍ଷ ଯାଏଁ ସ୍ଥଗିତ ରଖିବାକୁ ପ୍ରସ୍ତାବ ରଖିଥିଲେ । ଏହା ସହିତ ନୂଆ କମିଟି ଗଠନ ନେଇ ମଧ୍ୟ ପ୍ରସ୍ତାବ ରଖିଥିଲେ । ତେବେ କୌଣସି ସଂଶୋଧନ ନେଇ ପ୍ରସ୍ତାବକୁ ଚାଷୀ ସଂଗଠନର ନେତାମାନେ ଗ୍ରହଣ କରିନଥିଲେ ।

ଫଳରେ ଚାଷୀ ସଂଗଠନ ସମାଧାନ ଆଡକୁ କୌଣସି ଆଭିମୁଖ୍ୟ ଦେଖାଉନଥିବାରୁ ଆଗକୁ ୧୧ତମ ବୈଠକ ବସିବା ନେଇ ସମ୍ଭାବନା ଦେଖା ଦେଇଛି । ଆଜି କୃଷକ ସଂଗଠନର ନେତାମାନଙ୍କର ବୈଠକ ହେବ ଏବଂ ସରକାରଙ୍କ ପ୍ରସ୍ତାବ ଉପରେ ଆଲୋଚନା ହେବ । ଆସନ୍ତା ୨୨ ତାରିଖରେ ହେବାକୁ ଥିବା ପରବର୍ତ୍ତୀ ବୈଠକରେ ସେମାନେ ନିଜର ମତ ସରକାରଙ୍କୁ ଜଣାଇବେ । ଗତକାଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ସହ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ ୪୦ରୁ ଅଧିକ ଚାଷୀ ସଂଗଠନ ଆଲୋଚନାରେ ସାମିଲ ହୋଇଥିଲେ ।