ଅର୍ନ୍ତଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ମହମ୍ମଦ କୈଫ । ୧୬ ବର୍ଷ ପୂର୍ବେ ଆଜିର ଦିନରେ ଲର୍ଡସରେ ଦେଖାଇଥିଲେ ଦମ, ଭାରତ ଜିତିଥିଲା ନାଟୱେଷ୍ଟ ସିରିଜ

81

ଅର୍ନ୍ତଜାତୀୟ କ୍ରିକେଟକୁ ବାଏ ବାଏ କଲେ ଭାରତୀୟ କ୍ରିକେଟର ମହମ୍ମଦ କୈଫ୍ । ଟିମ୍ ଇଣ୍ଡିଆର ଜଣେ ଜବରଦସ୍ତ ଫିଲ୍ଡର ତଥା ନିମ୍ନକ୍ରମରେ ଦଳ ପାଇଁ ସଙ୍କଟମୋଚକ ସାଜିଥିବା ମହମ୍ମଦ କୈଫ କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ନେଇଛନ୍ତି । ଏନେଇ ବିସିସିଆଇର କାଯ୍ୟକାରୀ ଅଧ୍ୟକ୍ଷ ସିକେ ଖାନ୍ନା ଓ କାଯ୍ୟକାରୀ ସଚିବ ଅମିତାଭ ଚୌଧୁରୀଙ୍କୁ ମହମ୍ମଦ କୈଫ ଇମେଲ ଯୋଗେ ଜଣାଇଛନ୍ତି । ଇମେଲରେ କୈଫ ସମସ୍ତ ପ୍ରକାର ପ୍ରତିଯୋଗିତାମୂଳକ କ୍ରିକେଟରୁ ଅବସର ନେଉଥିବା କଥା ଉଲ୍ଲେଖ କରିଛନ୍ତି ।

କୈଫଙ୍କ ପାଇଁ ଆଜିର ଦିନଟି କାରଣ ପାଇଁ ଗୁରୁତ୍ୱପୂର୍ଣ୍ଣ । ୧୬ ବର୍ଷ ପୂର୍ବେ ଆଜିର ଦିନରେ ହିଁ ଇଂଲଣ୍ଡ ମାଟିରେ ଟିମ ଇଣ୍ଡିଆ ପାଇଁ ସଙ୍କଟମୋଚକ ସାଜିଥିଲେ ମହମ୍ମଦ କୈଫ । ନାଟୱେଷ୍ଟ ଟ୍ରଫି ଫାଇନାଲ ମ୍ୟାଚରେ ଲର୍ଡ଼ସରେ ମହମ୍ମଦ କୈଫ ଯୁବରାଜ ସିଂ ସହ ମିଶି ଭାରତକୁ ଦେଇଥିଲେ ଐତିହାସିକ ବିଜୟ । ଏହି ମ୍ୟାଚ ବିଜୟୀ ହେବା ସହ ଭାରତ ଜିତିଥିଲା ନାଟେଓô୍ଷ୍ଟ ସିରିଜ । ପ୍ରତି କ୍ରିକେଟପ୍ରେମୀଙ୍କ ମନରେ ଏବେ ମଧ୍ୟ ସେହି ମ୍ୟାଚର ସ୍ମୃତି ତାଜା ହୋଇ ରହିଛି । ନାଟୱେଷ୍ଟ ସିରିଜ ବିଜୟର ଦୀର୍ଘ ୧୬ ବର୍ଷ ପରେ ଆଜି ଅର୍ନ୍ତଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି ମହମ୍ମଦ କୈଫ୍ ।

ଇମେଲରେ ମହମ୍ମଦ କୈଫ୍ ଲେଖିଛନ୍ତି, ନାଟୱେଷ୍ଟ ଟ୍ରଫି ଫାଇନାଲ ବିଜୟକୁ ୧୬ ବର୍ଷ ପୂରିଛି । ଆଜି ମୁଁ ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ନେଉଛି । ଟିମ୍ ଇଣ୍ଡିଆ ପାଇଁ ଖେଳିବାକୁ ସୁଯୋଗ ଦେଇଥିବାରୁ ଭାରତୀୟ କ୍ରିକେଟ ବୋର୍ଡକୁ ଧନ୍ୟବାଦ । ୩୭ ବର୍ଷୀୟ କୈଫ ନିଜ କ୍ରିକେଟ କ୍ୟାରିୟର ମଧ୍ୟରେ ୧୩ଟି ଟେଷ୍ଟ, ୧୨୫ଟି ଦିନିକିଆ ଖେଳିଛନ୍ତି । ତେବେ ଶେଷଥର ପାଇଁ ୧୨ ବର୍ଷ ପୂର୍ବେ ଟିମ ଇଣ୍ଡିଆରେ ସ୍ଥାନ ପାଇଥିଲେ କୈଫ । କିନ୍ତୁ ଏହାପରେ କୈଫଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିନାହିଁ । ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଯେତେବେଳେ ଭାରତୀୟ କ୍ରିକେଟର ନୂଆ ଇତିହାସ ରଚୁଥିଲା ସେତେବେଳେ ମହମ୍ମଦ କୈଫ ଓ ଯୁବରାଜ ସିଂ ଦଳର ଅଭିନ୍ନ ଅଙ୍ଗ ପାଲଟି ଯାଇଥିଲେ ।

୨୦୦୩ ମସିହା ବିଶ୍ୱକପ ଫାଇନାଲ ଖେଳିଥିବା ଭାରତୀୟ ଟିମରେ ମହମ୍ମଦ କୈଫଙ୍କୁ ମଧ୍ୟ ସ୍ଥାନ ମିଳିଥିଲା । ଉତ୍ତର ପ୍ରଦେଶକୁ ରଣଜୀ ଟ୍ରଫି ବିଜୟୀ କରାଇଥିବା କୈଫ ଶେଷ ପ୍ରଥମ ଶ୍ରେଣୀ ମ୍ୟାଚ ଛତିଶଗଡ ପକ୍ଷରୁ ଖେଳିଥିଲେ । ଏପରିକି ନିର୍ବାଚନୀ ମୈଦାନରେ ମଧ୍ୟ ନିଜର ଭାଗ୍ୟ ପରୀକ୍ଷା କରାଇ ସାରିଛନ୍ତି ଏହି ଧୂରନ୍ଧର କ୍ରିକେଟର । କିନ୍ତୁ ରାଜନୀତି କ୍ୟାରିୟରରେ ସେତେଟା ସଫଳ ହୋଇ ପାରିନଥିଲେ କୈଫ । ଏବେ ଟିଭି ଭାଷ୍ୟକାର ଭାବେ ନିଜର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି ମହମ୍ମଦ କୈଫ ।