ସିଂହଦ୍ୱାରରେ ଲାଗିଲା ତିନି ରଥ : ମାଉସୀ ଘର ଯିବା ପାଇଁ ପ୍ରସ୍ତୁତ ତିନି ଠାକୁର

71

କନକ ବ୍ୟୁରୋ : ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ରଥଯାତ୍ରା ପାଇଁ ଦେଶ ବିଦେଶରୁ ଅନେକ ଭକ୍ତ ଶ୍ରୀକ୍ଷେତ୍ରରେ  ଆସି ପହଞ୍ଚିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମାଉସୀ ଘର ନେଇ ଯିବାକୁ ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ୱଜ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛି । ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇଛି । ପରେ ପରଂପରା ଅନୁସାରେ ରଥଗୁଡ଼ିକୁ ପୂଜାର୍ଚ୍ଚନା କରାଯାଇଛି ।

ଏବେ ମହାପ୍ରଭୁଙ୍କ  ଜ୍ୱର ଛାଡ଼ିଛି । ଘରେ ଆଉ ମନ ଲାଗୁନି । ମାଉସୀ ଘର ବୁଲିଯିବାକୁ ମନ ବଳିଛି । ପ୍ରଭୁଙ୍କ ମନ ଜାଣି ମହାରଣା ପୁଅ ରଥ ଗଢ଼ି ଦେଇଛି । ଶ୍ରୀକ୍ଷେତ୍ରରେ ଆଜି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିଛନ୍ତି । ରାତି ପାହିଲେ ଘୋଷଯାତ୍ରା ହେବ । ମାଉସୀ ମନ୍ଦିରକୁ ରଥ ଗଡ଼ିବା ପୂର୍ବରୁ ରଥ-ପଥକୁ ପ୍ରସ୍ତୁତ କରାଯାଇଛି । ଭକ୍ତି ଭାବନାରେ ଭକ୍ତମାନେ ବଡ଼ ଦାଣ୍ଡରେ ହଜିବେ । ଏଥିପାଇଁ ପୁରୀରେ ଲକ୍ଷାଧିକ ଭକ୍ତ ପହଞ୍ଚି ସାରିଥିବା ବେଳେ ସକାଳ ପାହିଲା ବେଳକୁ ବଡ଼ଦାଣ୍ଡ, ରେଳଷ୍ଟେସନ, ବେଳାଭୂମି, ମଠ-ମନ୍ଦିର ପରିସର ଲୋକାରଣ୍ୟରେ ପରିଣତ ହେବ।

ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି କ୍ରାନ୍ତି ଅନୁଷ୍ଠିତ ହୋଇଥିଲା । ଭକ୍ତମାନେ ପରିମାଣିକ ଦର୍ଶନ ପରେ ସାହାଣମେଲା ଦର୍ଶନ କରିଥିଲେ । ଶ୍ରୀଜିଉଙ୍କ ଗୁପ୍ତନୀତି ଚାଲିଛି। ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ କର୍ମଚାରୀଙ୍କ ଦ୍ୱାରା ରଥଗୁଡ଼ିକୁ ଦକ୍ଷିଣମୋଡ଼ କରାଯାଇଛି ।

ସେପଟେ ମହାପ୍ରଭୁଙ୍କୁ ଦେଖିବା ପାଇଁ କୋଣ ଅନୁକୋଣରୁ ଭକ୍ତଙ୍କ ସୁଅ ଛୁଟିଛି । କାଳିଆ ସାଆନ୍ତକୁ ମନଭରି ଟିକିଏ ଦେଖିବା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଏପିରିକି ରଥଯାତ୍ରାର ମାସକ ପୂର୍ବରୁ ହିଁ ପୁରୀ ସମେତ ଆଖାପାଖ ଅଂଚଳରେ ଥିବା ବିଭିନ୍ନ ହୋଟେଲ ଲଜ୍ ଆଦି ବୁକିଂ ହୋଇସାରିଛି । ତେବେ ସଭିଁଙ୍କ ମନରେ ଖାଲି ଗୋଟିଏ ଅଭିଳାଶା କେତେବେଳେ ତାଙ୍କ ଆରାଧ୍ୟ ଦେବତା ଶ୍ରୀମନ୍ଦିର ବାହାରକୁ ଆସିବେ ଆଉ ବଡଦାଣ୍ଡରେ ଭକ୍ତଙ୍କୁ ଦର୍ଶନ ଦେବେ ।