ଗ୍ୟାଙ୍ଗଷ୍ଟର ଘରେ ପହଁଚିଲା ଏସଟିଏଫ । ପ୍ରଶ୍ନ ବାଣରେ ଘାଇଲା ଗ୍ୟାଙ୍ଗଷ୍ଟର ଟିଟୋର କୋଟପତି ପତ୍ନୀ, ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

54

କନକ ବ୍ୟୁରୋ : ଟିଟୋର କଳା ସାମ୍ରାଜ୍ୟର ଛାନଭିନ୍ ଚାଲିଥିବା ବେଳେ ଆଜି ଗ୍ୟାଙ୍ଗଷ୍ଟରର ପତ୍ନୀ ବେନଜିର ବିବିଙ୍କୁ ଜେରା କରିଛି ଏସଟିଏଫ୍ । କାରଣ ଟିଟୋର ବ୍ୟବସାୟରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଜାଣିବାକୁ ପାଇଥିଲେ ତଦନ୍ତକାରୀ ଅଧିକାରୀ । ଆଜି ଟିଟୋ ସାମ୍ରାଜ୍ୟର ଗୁମର ଖେ୍ାଲିବା ପାଇଁ ଆଜି ଟିଟୋର କେନ୍ଦ୍ରାପଡ଼ା ଘରେ ପହଁଚି ଥିଲା ଏସଟିଏଫ ଟିମ୍ । ତଦନ୍ତକାରୀ ଟିମ୍ ପହଁଚିବା ବେଳେ ପତ୍ନୀ ବେନଜିର ସାଲାଇନ୍ ନେଉଥିଲେ । ଏଭଳି ସ୍ଥିତିରେ ତାଙ୍କୁ ପ୍ରଶ୍ନ କରିବା କଠିନ ଥିଲେ ବି ତାଙ୍କୁ ଦେଢ ଘଂଟା ଧରି ଜେରା କରିଥିଲା । ଜେରା ସମୟରେ ବେନଜିର ଟିଟୋର ତିନି ସହଯୋଗୀଙ୍କ ବିଷୟରେ କହିଥିବା ସୂଚନା ମିଳିଛି । ଏହି ତିନି ଜଣ, ଟିଟୋର କାରବାରରେ ପ୍ରମୁଖ ଭୂମିକା ତୁଲାଉଥିବା ଅନୁମାନ କରାଯାଉଛି । ସେମାନଙ୍କୁ ଏସଟିଏଫ ଖୁବଶୀଘ୍ର ତଦନ୍ତ ପରିସରକୁ ନେବ ବୋଲି ଜଣାପଡିଛି ।

ବେନଜିର ବିବି । କୁଖ୍ୟାତ ଗ୍ୟାଙ୍ଗଷ୍ଟର ଟିଟୋର ପତ୍ନୀ ବେନଜିର ବିବିଙ୍କୁ ଆଜି ଗୁଡାଇ ତୁଡାଇ ପ୍ରଶ୍ନ କରିଛି କ୍ରାଇମବ୍ରାଂଚର ସ୍ପେଶାଲ ଟାସ୍କ ଫୋର୍ସ । ଟିଟୋର ବିରାଟ ସାମ୍ରାଜ୍ୟ ପଛରେ, ବେନଜିର ବିବିଙ୍କ ଭୁମିକାକୁ ନେଇ ପୁଲିସ ଆଗରେ ଅନେକ ପ୍ରଶ୍ନ ଠିଆ ହୋଇଥିଲା କାରଣ ଠିକାଦାରି ଓ ନିର୍ମାଣ କାମ ପାଇଁ ଟିଟୋ କରିଥିବା ବି.ଆଇ.ପିଏଲ୍ କମ୍ପାନୀର ମାଲିକାଣି ହେଉଛନ୍ତି ବେନଜିର । ଖାଲି ସେତିକି ନୁହେଁ କୋଟି କୋଟି ଟଙ୍କାର ଟିଟୋ ସାମ୍ରାଜ୍ୟର ପତ୍ର ବି ହଲେନାହିଁ ବେନଜିରଙ୍କ ବିନା ଇସାରାରେ । କୁହାଯାଏ ଟିଟୋର ସବୁ ସମ୍ପତିର ଆଇନ ଅନୁସାରେ ମାଲିକାଣୀ ହେଉଛନ୍ତି ବେନଜିର । ତେଣୁ ଏସଟିଏଫ୍ ଜାଣିବାକୁ ଚାହୁଁଥିଲା- ଟିଟୋର ବେଆଇନ୍ କାମରେ ବେନଜିରଙ୍କ ଭୁମିକା କଣ ଥିଲା । ଏହାଛଡା ଟିଟୋର ବେଆଇନ ସାମ୍ରାଜ୍ୟ ବିଷୟରେ ବେନଜିରଙ୍କ ଠାରୁ ଅଧିକ ତଥ୍ୟ ଜାଣିବାକୁ ଚାହୁଂଥିଲା ଏସଟିଏଫ୍ ।

ବେନଜିର ଜଣେ ସାଧାରଣ ଗୃହିଣି କିନ୍ତୁ କାଗଜପତ୍ରରେ ସେ ହେଉଛନ୍ତି- ପେଟ୍ରୋଲ ପମ୍ପର ମାଲିକ, ବ୍ୟାଙ୍କରେ ଜମାଥିବା ସବୁ ଟଙ୍କାର ମାଲିକ, ବିଆଇପିଏଲ କମ୍ପାନୀର ମାଲିକ ଏବଂ ୯୦ ଲକ୍ଷ ଟଙ୍କାର ଅଡି କାରର ମାଲିକ । ସ୍ୱାଭବିକ ଭାବରେ ଅନୁମାନ କରାଯାଇପାରେ, ଯେ ଟିଟୋ ଆଇନର ଜାଲରୁ ବଂଚିବା ପାଇଁ ସବୁ ସମ୍ପତି ନିଜ ପତ୍ନୀଙ୍କ ନାଁରେ ରଖୁଥିଲା । ସେଥିପାଇଁ ଜଣେ ସାଧାରଣ ଗୃହିଣୀ ହୋଇ ମଧ୍ୟ କାଗଜପତ୍ରରେ କୋଟି କୋଟି ଟଙ୍କାର ମାଲିକ ବନିଥିଲେ୍ ବେନଜିର । ଦେଢ ଘଂଟା ଧରି କ୍ରାଇମବ୍ରାଂଚର ସ୍ପେସାଲ ଟାସ୍କ ଫୋର୍ସର ଅଧିକାରୀ ମାନେ ବେନଜିର ବିବିଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଥିଲେ । ଏବଂ ଜାଣିବା ପାଇଁ ଚାହିଁଥିଲେ ଟିଟୋ ଏତେସବୁ ସଂପତି କିଭଳି ଅର୍ଜନ କରିଥିଲା । ବିଆଇପିଏଲ କମ୍ପାନୀର କାମ କଣ ଥିଲା ଏବଂ କିଏ ଏହାକୁ ଚଳାଉଥିଲା । ଟିଟୋର କାରବାରରେ ଆଉ କେଉଁ ମାନେ ସହାୟତା କରୁଥିଲେ । ତେବେ ଏସବୁ ପ୍ରଶ୍ନର ଏସଟିଏଫ ସନ୍ତୋଷ ଜନକ ଉତର ପାଇଥିବା କୁହାଯାଉଛି ।