ଏହି ୩ ଜଣଙ୍କୁ ଘରକୁ ଖାଇବାକୁ ନିମନ୍ତ୍ରଣ କରିବାକୁ ଚାହୁଁଥିଲେ ଝୁନଝୁନୱାଲା । ଇଚ୍ଛା ଇଚ୍ଛାରେ ହିଁ ରହିଗଲା

542

କନକ ବ୍ୟୁରୋ: ଆଉ ନାହାଁନ୍ତି ନିବେଶ ଜଗତର ବିଗ୍ ବୁଲ ରାକେଶ ଝୁନଝୁନୱାଲା । ଆଜି ଭୋର ସାଢେ ୬ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି । କିଛି ଦିନ ହେବ ଅସୁସ୍ଥତା କାରଣରୁ ମୁମ୍ବାଇର ବ୍ରିଜ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସା ପରେ ଡିସଚାର୍ଜ ହୋଇଥିଲେ । କିନ୍ତୁ ଆଜି ହଠାତ୍ ଅସୁସ୍ଥ ହୋଇପଡିବା କାରଣରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

ଭାରତୀୟ ନିବେଶ ଜଗତର ବାଦଶାହା ଭାବେ ପରିଚିତ ଥିଲେ ଝୁନଝୁନୱାଲା । ପ୍ରଥମେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ଏହାପରେ ନିବେଶ ଜଗତରେ ମନ ବଳାଇଥିଲେ । ମାତ୍ର ୫ ହଜାର ଟାଙ୍କାରୁ ନିବେଶ କରି ଆଜିକା ତାରିଖରେ ୪୦,୦୦୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକ ହୋଇଥିଲେ ଝୁନଝୁନୱାଲା ।

ଜୀବନରେ ଅନେକ କିଛି ସ୍ୱପ୍ନ ଦେଖିଥିଲେ । ସେଥିରୁ ଅନେକ ପୂରଣ ମଧ୍ୟ କରିଥିଲେ । ହେଲେ ସେଥିରୁ କିଛି ଇଚ୍ଛା ତାଙ୍କର ଇଚ୍ଛାରେ ରହିଯାଇଥିଲା । ଜୀବନରେ ଅନ୍ତତଃ ଥରେ ନିଜ ଘରକୁ ରାତ୍ରିି ଭୋଜନ ପାଇଁ ବିଶ୍ୱର ୩ ଜଣ ପ୍ରଖ୍ୟାତ ବ୍ୟକ୍ତିଙ୍କୁ ଡାକିବାକୁ ଇଚ୍ଛା ରଖିଥିଲେ ହେଲେ ତାଙ୍କର ଏହି ଇଚ୍ଛା ପୂରଣ ହୋଇପାରିଲାନି । କିଏ ଏହି ୩ ବିଶିଷ୍ଟ ବ୍ୟକ୍ତିତ୍ୱ?

ଏକ ସାକ୍ଷାତକାରରେ ରାକେଶ ଝୁନଝୁନୱାଲା କହିଥିଲେ ଯେ ସେ ୩ ଜଣଙ୍କୁ ତାଙ୍କ ଘରକୁ ଖାଇବାକୁ ନମନ୍ତ୍ରଣ କରିବାକୁ ଚାହାଁନ୍ତି । ସେମାନେ ହେଲେ ବ୍ରିଟେନର ପୂର୍ବ ପ୍ରଧାନମନ୍ତ୍ରୀ ୱିଷ୍ଟନ୍ ଚର୍ଚ୍ଚିଲ, ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ଆମେରିକାର ପ୍ରଖ୍ୟାତ ନିବେଶକ ଜର୍ଜ ସୋରୋସ୍ । ଏହା ତାଙ୍କର ସବୁଠୁ ବଡ ଇଚ୍ଛା ହେଲେ ତାଙ୍କର ଏହି ଇଚ୍ଛା ପୂରଣ ହେବ କି ନାହିଁ ସେ ଜାଣନ୍ତି ନାହିଁ ବୋଲି କହିଥିଲେ ।