ଆରସିପି ସିଂଙ୍କ ପରେ ନୀତିଶଙ୍କୁ ଲାଗିପାରେ ଆଉ ଏକ ଝଟକା, ହରିବଂଶଙ୍କୁ ନେଇ ବିଜେପି କରୁଛି ଏଭଳି ଦାବି

582

କନକ ବ୍ୟୁରୋ : ରାଜ୍ୟସଭାରେ ଉପ ସଭାପତିି ଥିବା ହରିବଂଶ କୁମାରଙ୍କୁ ନେଇ ପୁଣି ବିହାର ରାଜନୀତି ସରଗରମ ହେବାରେ ଲାଗିଛି । କୁହାଯାଉଛି କି ଜେଡିୟୁରୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ ହୋଇଥିବା ହରିବଂଶ କୁମାର ବିଜେପିରେ ଯୋଗ ଦେଇ ପାରନ୍ତି । ଏହାର କାରଣ ବି ରହିଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅଗଷ୍ଟ ୯ ତାରିଖରେ ଦଳୀୟ ବୈଠକ ଡାକିଥିଲେ । ଏହି ବୈଠକରେ ହରିବଂଶ ସାମିଲ ହୋଇ ନଥିଲେ । ସେପଟେ ହରିବଂଶଙ୍କ ନିକଟତରଙ୍କ କହିବା କଥା କି ଏହି ବୈଠକକୁ ହରିବଂଶକୁ ନିମନ୍ତ୍ରଣ କରାଯାଇ ନଥିଲା । ଏହି ଘଟଣା ପରେ ହରିିବଂଶ ଦଳ ଛାଡୁଥିବା ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

ସେପଟେ କୁହାଯାଉଛି କି ଜେଡିୟୁର ପୂର୍ବତନ ସାଂସଦ ଆରସିପି ସିଂଙ୍କ ମାଧ୍ୟମରେ ବିଜେପି ଜେଡିୟୁକୁ ଭାଙ୍ଗିବାକୁ ଚେଷ୍ଟା କରୁଥିଲା । ହେଲେ ତା ପୂର୍ବରୁ ଜେଡିୟୁ ଏନଡିଏ ଠାରୁ ଅଲଗା ହୋଇ ମହାଗଠବନ୍ଧନର ସମର୍ଥନରେ ସରକାର ଗଠନ କରିସାରିଛି । ଏହି ଘଟଣା ପରେ ବିହାର ରାଜନୀତିର ସମୀକରଣ ସମ୍ପୂର୍ଣ୍ଣ ବଦଳି ଯାଇଛି । ହେଲେ ଭାରତୀୟ ଜନତା ପାର୍ଟି ଏବେ ପରାଜୟ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହେଁ  ।

ଏନଡିଏରୁ ଜେଡିୟୁ ଅଲଗା ହେବା ପରେ ଚର୍ଚ୍ଚା ହେଉଛି କି ହରିବଂଶ ରାଜ୍ୟସଭାର ଉପ ସଭାପତି ପଦରୁ ଇସ୍ତଫା ଦେବେ । କହିରଖୁ କି ୨୦୧୮ ମସିହା ଅଗଷ୍ଟ ୮ ତାରିଖରେ ହରିବଂଶ ରାଜ୍ୟସଭାର ଉପ ସଭାପତି ଭାବେ ଚୟନ ହୋଇଥିଲେ । ସବୁଠାରୁ ବଡକଥା କି, ହରିବଂଶଙ୍କ ନାମ ପ୍ରଥମେ ବିଜେପି ପ୍ରସ୍ତାବ ଦେଇଥିଲା ।