ଉପରମୁଣ୍ଡରେ ପ୍ରବଳ ବର୍ଷା, ମହାନଦୀରେ ଆସିବ ମଧ୍ୟମ ଧରଣର ବନ୍ୟା । ଏସଆରସି ଦେଲେ ତାଜା ସୂଚନା ।

112

କନକ ବ୍ୟୁରୋ : ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ମହାନଦୀରେ ଆସୁଛି ମଧ୍ୟମ ଧରଣର ବର୍ଷା । ହୀରାକୁଦରୁ ୩୪ଟି ଗେଟ ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି । ଯାହା ଫଳରେ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ତେବେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ନଦୀରେ ବନ୍ୟା ଆଶଙ୍କା ନଥିବା ବେଳେ ଜଳକାରେ ଜଳସ୍ତର ବିପଦ ସଂକେତ ଉପରେ ରହିଛି । ତେବେ ଜଳକାରେ ଏହା ସ୍ୱାଭାବିକ ସ୍ଥିତି । ଦକ୍ଷିଣ ଓଡ଼ିଶା ନଦୀରେ ସେମିତି ବନ୍ୟା ଆଶଙ୍କା ନାହିଁ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା ।

ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖିଲେ ମହାନଦୀ ଅବବାହିକା ମୁଣ୍ଡୁଳୀରେ ୧୦ ଲକ୍ଷରୁ ସାଢେ ୧୦ ଲକ୍ଷରୁ ଅଧିକ କ୍ୟୁସେକ ଜଳ ପ୍ରବାହିତ ହେବ । ଆସନ୍ତାକାଲି ସନ୍ଧ୍ୟା ବେଳକୁ ଏହା ମୁଣ୍ଡୁଳୀ ଅତିକ୍ରମ କରିବ । ଏବେ ଖଇରମାଳ ଠାରେ ୯.୫୬ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ହୀରାକୁଦର ୁଅଧିକ ପାଣି ଆସୁଛି । ହୀରାକୁଦର ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଛି । ଯାହାଫଳରେ ସରାଡିହି ଠାରେ ୬.୫୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଏବେ ହୀରାକୁଦର ୩୪ଟି ଗେଟ୍ ଖୋଲା ଅଛି, ଯେହେତୁ ଆଗକୁ ବର୍ଷା କମିବାର ସମ୍ଭାବନା ରହିଛି ତେଣୁ ଏବେ ଏହି ୩୪ଟି ଗେଟ୍ ଦେଇ ବନ୍ୟା ଜଳ ପ୍ରବାହିତ ହେବ ।

ଆସନ୍ତାକାଲି ମୁଣ୍ଡଳୀଠାରେ ସର୍ବାଧିକ ଜଳ ପ୍ରବାହିତ ହେବ । ୨୦୧୯ରେ ବି ସମପରିମାରଣ ବନ୍ୟା ଜଳ ମୁଣ୍ଡୁଳୀ ଅତିକ୍ରମ କରିଥିଲା । କିନ୍ତୁ ଆଶ୍ୱସ୍ତିର କଥା ହେଉଛି ବ୍ରାହ୍ମଣୀ ନଦୀରେ ବନ୍ୟା ସ୍ଥିତି ନାହିଁ । ଯାହା ବ୍ରାହ୍ମଣୀ ଅବବାହିକାରେ ଥିବା ଅଞ୍ଚଳ ଗୁଡିକ ପାଇଁ ଆଶ୍ୱସ୍ତି ଆଣି ଦେଇଛି । ମହାନଦୀର ଅବବାହିକାରେ ଥିବା କେନ୍ଦ୍ରାପଡା , ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଜିଲ୍ଲାର କିଛି ଅଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ରହିଛି । ଯେଉଁଥିପାଇଁ ୭ଟି ଓଡ୍ରାଫ୍, ୩ଟି ଏନଡିଆରଏଫ ଟିମ୍ ଓ ୧୨ଟି ଅଗ୍ନିଶମ ଟିମ୍ ନିୟୋଜିତ କରାଯିବ । ପୁରୀ, କେନ୍ଦ୍ରାପଡା, ଜଗତସିଂହପୁରକୁ ଅଗ୍ନିଶମ ଟିମ୍ ଅଧିକ ଦିଆଯିବ । ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସୁଥିବା କହିଛନ୍ତି ଏସଆରସି । ପୂର୍ବରୁ ୨୦୧୯ରେ ମଧ୍ୟମ ଧରଣର ବନ୍ୟା ଆସିଥିଲେ ମଧ୍ୟ ବିଶେଷ କିଛି କ୍ଷତି ହୋଇନଥିବା କହିଛନ୍ତି ଏସଆରସି । ତଥାପି ଏହାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ବୋଲି ସେ ସୂଚନା ଦେଇଛନ୍ତି ।