ମୋ ହାତରେ ଥିଲା ଜଗା-ବଳିଆଙ୍କ ମସ୍ତିଷ୍କ ! କନକ ନ୍ୟୁଜ ସାମ୍ନାରେ ଅପରେସନର ଅନୁଭୂତି ବଖାଣିଲେ ଅଶୋକ ମହାପାତ୍ର

38

କନକ ବ୍ୟୁରୋ : ଭବିଷ୍ୟତରେ କଣ ଜଗା-ବଳିଆ ସାଧାରଣ ଲୋକଙ୍କ ଭଳି ଜୀବନଯାପନ କରିବେ? ସେମାନେ କଣ ସମ୍ପୂଣ୍ଣ ଠିକ୍ ହୋଇଯିବେ ? ଏଭଳି ପ୍ରଶ୍ନ ସମସ୍ତଙ୍କ ମନକୁ ଆସୁଥିବା ବେଳେ ସେମାନଙ୍କ ଅପରେସନ୍ କରିଥିବା ଡାକ୍ତର ଅଶୋକ ମହାପାତ୍ର ଏସବୁ ପ୍ରଶ୍ନର ଉତର ଦେଇଛନ୍ତି ।

ଦିଲ୍ଲୀ ଏମ୍ସରେ ଜଗା-ବଳିଆଙ୍କୁ ଅଲଗା କରିବା ପାଇଁ ଅପରେସନ୍ ଚାଲିଥିବା ବେଳେ ଜଗା ଓ ବଳିଆଙ୍କର ଦୁଇଟି ମସ୍ତିଷ୍କକୁ ଦୁଇ ହାତରେ ଧରିଥିଲେ ଡାକ୍ତର ଅଶୋକ ମହାପାତ୍ର । ଆଉ ଅନୁଭବ କରୁଥିଲେ, ଜଣେ ସାଧାରଣ ଶିଶୁର ମସ୍ତିଷ୍କର ଓଜନ ୬ଶହରୁ ୭ଶହ ଗ୍ରାମ ରହୁଥିବା ବେଳେ ଏମାନଙ୍କ କ୍ଷେତ୍ରରେ ମସ୍ତିଷ୍କର ଓଜନ ଥିଲା ୩ଶହରୁ ୪ଶହ ଗ୍ରାମ । କିନ୍ତୁ ଡାକ୍ତରମାନେ ଆଶା କରୁଛନ୍ତି ଧିରେ ଧିରେ ଏଥିରେ ଉନ୍ନତି ଆସିପାରେ ।

କମ୍ ଓଜନ ବା ଛୋଟ ମସ୍ତିଷ୍କର ଅର୍ଥ ହେଉଛି, ଏହା ସମ୍ପୂଣ୍ଣ ସାମାନ୍ୟ ନୁହେଁ । କିନ୍ତୁ ଏମାନେ ମାତ୍ର ୩-୪ ବର୍ଷର ଶିଶୁ ହୋଇଥିବାରୁ ଏବଂ ଦୁଇଟି ମସ୍ତିଷ୍କ ଅଲଗା ଅଲଗା ହୋଇଯାଇଥିବାରୁ ସାଧାରଣ ମସ୍ତିଷ୍କ ଭଳି ଧିରେ ଧିରେ ବଢିପାରେ । ତେବେ ଜଗା ଅପେକ୍ଷା ବଳିଆକୁ ନେଇ ଡାକ୍ତରଙ୍କ ଚିନ୍ତା ବେଶି । କିନ୍ତୁ ବଳିଆ କ୍ଷେତ୍ରରେ ବି ବେଶ୍ ଉନ୍ନତି ପରିଲକ୍ଷିତ ହେଉଛି । ଶୀତ ଦିନରେ ହ୍ୱିଲ୍ ଚେୟାରରେ ବଳିଆକୁ ବସାଇ ବାହାରେ ବୁଲାଉଥିବାର ଫଟୋ ଏବେ ସାମ୍ନାକୁ ଆସିଛି ।

ଗତ ୪୦ ବର୍ଷ ଭିତରେ ସାରା ବିଶ୍ୱରେ ଜଗା-ବଳିଆଙ୍କ ଭଳି ଅପରେସନରେ ମାତ୍ର ୭ ରୁ ୮ ଜଣ ବଂଚିପାରିଛନ୍ତି । ତେବେ ପରେ ତାଙ୍କର କଣ ହୋଇଛି ତାର ତଥ୍ୟ କାହା ପାଖରେ ନାହିଁ । ତେବେ ଜଗା-ବଳିଆଙ୍କ କ୍ଷେତ୍ରରେ ଏବେଯାଏଁ ଯେଉଁ ଉନ୍ନତି ପରିଲକ୍ଷିତ ହେଉଛି, ତାହା ବି ବିରଳ ।